27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗକୃଷକ ଆନ୍ଦୋଳନକୁ ନୈତିକ ସମର୍ଥନ ଦେଇ କୋଶଳ ରାଜ୍ୟ ସମନ୍ୱୟ ସମିତିର ପ୍ରତୀକାତ୍ମକ ଧାରଣା

କୃଷକ ଆନ୍ଦୋଳନକୁ ନୈତିକ ସମର୍ଥନ ଦେଇ କୋଶଳ ରାଜ୍ୟ ସମନ୍ୱୟ ସମିତିର ପ୍ରତୀକାତ୍ମକ ଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସର୍ବ ଭାରତୀୟ ସ୍ତରରେ ଆଜି କୃଷକମାନେ ବନ୍ଦର ଡ଼ାକରା ଦେଇଛନ୍ତି । ଏହି ଅବସରରେ କୋଶଳାଞ୍ଚଳର ଚାଷୀ ସଂଗଠନମାନେ ମଧ୍ୟ ଏହି ବନ୍ଦରେ ସାମିଲ ହୋଇଛନ୍ତି । ତେଣୁ କୋଶଳାଞ୍ଚଳର ଚାଷୀ ସଂଗଠନମାନଙ୍କୁ ନୈତିକ ସମର୍ଥନ ଦେବାକୁ କୋଶଳ ରାଜ୍ୟ ସମନ୍ୱୟ ସମିତି ନିଷ୍ପତ୍ତି କରି ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକାତ୍ମକ ଧାରଣା ଦେଇଛି । କୋଶଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତୀକାତ୍ମକ ଧାରଣାରେ କୋଶଳ ଆନ୍ଦୋଳନ ସହ ସମ୍ପର୍କିତ ବହୁ ବୁଦ୍ଧିଜୀବୀ, ସଂଗଠକ ଓ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ସାରା ଭାରତର ଚାଷୀ ୧୯୪୭ ମସିହା ପରେ କ୍ରମାଗତ ଭାବରେ ଉପେକ୍ଷିତ ହୋଇ ଆସିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟରେ ଶାସନ କରିଥିବା ବିଭିନ୍ନ ସରକାର କେବଳ ରାଜନୀତି କରିବା ପାଇଁ ଚାଷୀର ନାଁ ନେଉଥିଲେ ମଧ୍ୟ ବାସ୍ତବରେ ସମସ୍ତେ ଚାଷୀ ବିରୋଧୀ ପଦକ୍ଷେପ ହିଁ ଗ୍ରହଣ କରିଛନ୍ତି । ବିଶେଷ କରି କୋଶଳାଞ୍ଚଳର ଚାଷୀର ଅବସ୍ଥା ଅବର୍ଣ୍ଣନୀୟ । ଲାଗ୍‌ ଲାଗ୍‌ ମରୁଡିର ଶିକାର ହୋଇ କୋଶଳାଞ୍ଚଳର ଚାଷୀ ବାଧ୍ୟ ହୋଇ ଦାଦନ ଖଟି ଯାଉଛନ୍ତି, ଅନାହାର ମୃତ୍ୟୁର ଶିକାର ହେଉଛନ୍ତି । ଗତ ତିନି ବର୍ଷ ମଧ୍ୟରେ ୩୦୦ରୁ ଅଧିକ ଚାଷୀ ଆତ୍ମହତ୍ୟା ଘଟଣା ଘଟିଥିଲେ ମଧ୍ୟ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଅନ୍ୟ ପକ୍ଷରେ କଟ୍‌ନି-ଛଟ୍‌ନି ବ୍ୟବସ୍ଥା କରି ଚାଷୀକୁ ଉଭୟ ମଣ୍ଡି ଓ ଦଲାଲ ଦ୍ୱାରା ଶୋଷଣ କରାଯାଇଛି । ଭୁବନେଶ୍ୱରରୁ ଟୋକନ୍‌ ଜାରି ବ୍ୟବସ୍ଥା କରାଯାଇଥିବାରୁ କୋଶଳାଞ୍ଚଳର ଚାଷୀ ଅବର୍ଣ୍ଣନୀୟ ଦୂରାବସ୍ଥାର ସମ୍ମୁଖୀନ ହେଉଛି । ଫଳତଃ ଚାଷୀ ବାଧ୍ୟ ହୋଇ ଅତି ଅଳ୍ପ ମୂଲ୍ୟରେ ତାର ଉତ୍ପାଦନ ସାମଗ୍ରୀ ବିକ୍ରି କରିବାକୁ ବାଧ୍ୟ ହେଉଛି । ଅନ୍ୟ ପକ୍ଷରେ ଗତ ଦୁଇ ବର୍ଷ ହେଲା ଇନସୁରେନ୍‌ସ୍‌ ଟଙ୍କା ନ ମିଳିବାରୁ ଚାଷୀ ଉପରେ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ଅବସ୍ଥା ହୋଇଛି । ତେଣୁ ଦେଶରେ ସର୍ବାଧିକ ନିର୍ଯ୍ୟାତନାର ଶିକାର ହେଉଥିବା କୋଶଳାଅଞ୍ଚଳର ଚାଷୀର ସମସ୍ୟା କେବଳ କୋଶଳ ରାଜ୍ୟ ଗଠନ ହେଲେ ଯାଇ ସମ୍ଭବ ହେବ ବୋଲି କୋଶଳବାଦୀ ନେତା ଶ୍ରୀ ମିଶ୍ର ମତ ଦେଇଛନ୍ତି । କୋଶଳ ଓ କୃଷକ ପରସ୍ପରର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ଥିବାରୁ କୋଶଳ ରାଜ୍ୟ ସମନ୍ୱୟ ସମିତି ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଛି ବୋଲି ସମନ୍ୱୟ ସମିତିର ଅଧ୍ୟକ୍ଷ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

ଏହି ପ୍ରତୀକାତ୍ମକ ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ କୋଶଳ ରାଜ୍ୟ ସମନ୍ୱୟ ସମିତିର ବଲାଙ୍ଗିର ଜିଲ୍ଲା ସଭାପତି ବିକ୍ରମାନନ୍ଦ ବହିଦାର, କେନ୍ଦ୍ରୀୟ ଉପାଧ୍ୟକ୍ଷ ମନୋରଞ୍ଜନ ସାହୁ, କେନ୍ଦ୍ରୀୟ ସାଧାରଣ ସମ୍ପାଦକ ବିଭୁଦତ୍ତ ମିଶ୍ର, ବଲାଙ୍ଗିର ଯୋନ୍‌ ସଂଜୋଯକ ଶରତ ହୋତା, ବିଶିଷ୍ଠ ଶ୍ରମିକ ନେତା ରବିଶଙ୍କର ମିଶ୍ର, ବିଶିଷ୍ଠ କୋଶଳବାଦୀ ନେତା ରଣରାଜ ସିଂଦେଓ, ଶିକ୍ଷାବିତ୍‌ ଗୋପଭୂଷଣ ନାଥ, ନାରୀନେତ୍ରୀ ନିରୁପମା ଉଦ୍ଗାତା, ବନଲତା ମାଝୀ, କର୍ମଚାରୀ ନେତା ପୁଲିନ୍‌ ମିଶ୍ର, ଜ୍ୟୋତି ରଞ୍ଜନ ମହାନ୍ତି, ଯୁବନେତା ପ୍ରସନ୍ନ ନେଗୀ, ଅଚ୍ୟୁତ ସିପୁନ ଖମାରୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସଂଗଠକ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking