33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା

ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା

ନୂପୁରଙ୍କ ଅନିୟନ୍ତ୍ରିତ ଭାଷା ଦେଶରେ ନିଆଁ ଲଗାଇଛି
‘ଟିଭିରେ ସାରା ଦେଶକୁ କ୍ଷମା ମାଗନ୍ତୁ ନୂପୁର’
ନୂଆଦିଲ୍ଲୀ : ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ମାମଲାରେ ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କୁ ସୁପ୍ରିମ୍‌କୋର୍ଟ ଆଜି ତୀବ୍ର ଭର୍ତ୍ସନା କରିଛନ୍ତି । ଟେଲିଭିଜନ ଜରିଆରେ ନୂପୁର ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି କୋର୍ଟ କହିଛନ୍ତି । ଜଷ୍ଟିସ୍ ଜେବି ପାରଦୀୱାଲା କହିଛନ୍ତି, ନୂପୁର ଶର୍ମା ନିଜର ରସନାକୁ ସଞ୍ଜତ କରିନପାରି ବିବାଦୀୟ ମନ୍ତବ୍ୟ ଦେଇ ଦେଶରେ ନିଆଁ ଲଗାଇ ଦେଇଛନ୍ତି । ଏଥିପାଇଁ ସେ ହିଁ ବ୍ୟକ୍ତିଗତ ଭାବେ ଦାୟୀ । ଉଦୟପୁର ଘଟଣା ପାଇଁ ନୂପୁର ଶର୍ମାଙ୍କ ମନ୍ତବ୍ୟ ଦାୟୀ । ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ଏକ ଟିଭି ଡିବେଟ୍‌ରେ ପ୍ରଫେଟ ମହମ୍ମଦଙ୍କ ସଂପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହାପରେ ବିଜେପି ତାଙ୍କୁ ପାର୍ଟିରୁ ନିଲମ୍ବିତ କରିଥିଲା ।

ମାତ୍ର ତାଙ୍କ ମନ୍ତବ୍ୟକୁ ନେଇ ସାରା ଦେଶରେ ଏବେ ବି ବିଶୃଙ୍ଖଳା ଲାଗିରହିଛି । ଜଷ୍ଟିସ୍ ଜେବି ପାରଦୀୱାଲା ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ନେଇ ଅବକାଶକାଳୀନ ଖଣ୍ଡପୀଠ କହିଥିଲେ, ‘ଆମେ ଡିଭି ଡିବେଟ୍‌ରେ ଦେଖିଥିଲୁ କିପରି ତାଙ୍କୁ ଉସୁକା ଯାଉଥିଲା । ମାତ୍ର ଯେପରି ଭାବେ ସେ ଏହା ଉପରେ ମନ୍ତବ୍ୟ ଦେଲେ ଏବଂ ପରେ କହିଲେ ସେ ଜଣେ ଓକିଲ, ଏହା ସବୁଠୁ ଲଜ୍ଜାଜନକ । ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ନୂପୁର ଶର୍ମାଙ୍କ ଏକ ଆବେଦନ ଉପରେ ଥିଲା । ମହମ୍ମଦଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ରୁଜୁ ମାମଲାଗୁଡ଼ିକୁ ଦିଲ୍ଲୀ ସ୍ଥାନାନ୍ତର ପାଇଁ ନୂପୁର ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିଲେ ।

କୋର୍ଟ ତାଙ୍କ ଆବେଦନ ଅଗ୍ରାହ୍ୟ କରିଦେବା ସହ ତାଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ । କୋର୍ଟ କହିଥିଲେ, ‘ନୂପୁର ଶର୍ମାଙ୍କ ବୟାନ ଉଦୟପୁରରେ ହୋଇଥିବା ଦୁର୍ଭାଗ୍ୟଜନକ ହତ୍ୟା ପାଇଁ ଦାୟୀ ।’ ଉଲ୍ଲେଖଯୋଗ୍ୟ, ଉଦୟପୁରରେ ଜୁନ୍ ୨୯ରେ ଦୁଇଜଣ ବ୍ୟକ୍ତି କହ୍ନେୟାଲାଲ୍ ନାମକ ଜଣେ ଦର୍ଜିଙ୍କ ବେକକାଟି ହତ୍ୟା କରିଥିଲେ । କହ୍ନେୟାଲାଲ୍‌ଙ୍କ ୮ ବର୍ଷର ପୁଅ ନୂପୁର ଶର୍ମାଙ୍କ ସମର୍ଥନରେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲା । ଏହି ହତ୍ୟାକାଣ୍ଡକୁ ନେଇ ଏବେ ଦେଶ ସାରା ଆକ୍ରୋଶ ଦେଖାଦେଇଥିବା ବେଳେ ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ବିଶୃଙ୍ଖଳା ଜାରି ରହିଛି । ମହମ୍ମଦଙ୍କ ବିରୋଧରେ ନୂପୁର ଶର୍ମାଙ୍କ ମନ୍ତବ୍ୟ ଶସ୍ତା ପ୍ରଚାର କିମ୍ବା ରାଜନୈତିକ ଏଜେଣ୍ଡା କିମ୍ବା କୌଣସି ଅପବିତ୍ର ଗତିବିଧି ପାଇଁ କରାଯାଇଥିଲା ।

ସେ କୌଣସି ଧାର୍ମିକ ବ୍ୟକ୍ତି ନୁହନ୍ତି, ଉସୁକାଇବା ପାଇଁ ହିଁ ମନ୍ତବ୍ୟ ଦେଇଥାନ୍ତି । ଏପରି ବ୍ୟକ୍ତି ଅନ୍ୟ ଧର୍ମର ସମ୍ମାନ କରିନଥାନ୍ତି । କୋର୍ଟ ବିବାଦୀୟ ଡିବେଟ୍ ପ୍ରସାରଣ କରିଥିବା ଟିଭି ଚ୍ୟାନେଲ୍ ଏବଂ ଦିଲ୍ଲୀ ପୁଲିସକୁ ଭର୍ତ୍ସନା କରି କହିଥିଲେ, ‘ଦିଲ୍ଲୀ ପୁଲିସ କ’ଣ କରିଛି? ଟିଭି ଡିବେଟ୍ କେଉଁ ବିଷୟ ଉପରେ ଥିଲା? ଏହା ଦ୍ୱାରା କେବଳ ଏକ ଏଜେଣ୍ଡା ସେଟ୍ କରାଯାଉଥିଲା । ଯେଉଁ ପ୍ରସଙ୍ଗକୁ ନେଇ କୋର୍ଟରେ ମାମଲା ଚାଲିଛି, ସେପରି ପ୍ରସଙ୍ଗକୁ କାହିଁକି ଚୟନ କରାଯାଇଥିଲା ।’ ସୁପ୍ରିମକୋର୍ଟ ସମସ୍ତ ମାମଲା ଦିଲ୍ଲୀ ସ୍ଥାନାନ୍ତର ପାଇଁ ନୂପୁର ଶର୍ମାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେବା ଫଳରେ ତାଙ୍କୁ ଏବେ ବିଭିନ୍ନ ରାଜ୍ୟରେ ମୋକଦ୍ଦମା ଲଢ଼ିବାକୁ ପଡ଼ିବ ।

ତାଙ୍କ ବିରୋଧରେ ଦିଲ୍ଲୀ, ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ସମେତ ଆଠଟି ରାଜ୍ୟର ବିଭିନ୍ନ ଥାନାରେ ମାମଲା ରୁଜୁ କରାଯାଇଛି । ନୂପୁର ନିଜ ଆବେଦନରେ ତାଙ୍କ ଜୀବନକୁ ବିପଦ ଥିବା ଦର୍ଶାଇ ଏହି ସମସ୍ତ ମାମଲା ଦିଲ୍ଲୀ ସ୍ଥାନାନ୍ତର ପାଇଁ ଆବେଦନ କରିଥିଲେ । ଏବେ ତାଙ୍କୁ ଲଗାତାର ହତ୍ୟା ଧମକ ମିଳୁଛି । ତେଣୁ ଭିନ୍ନ ଭିନ୍ନ ରାଜ୍ୟରେ ଜେରା ବେଳେ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ମାତ୍ର ନୂପୁରଙ୍କ ଏହି ଯୁକ୍ତିର କୋର୍ଟଙ୍କ ଉପରେ କୌଣସି ପ୍ରଭାବ ପଡ଼ିନଥିଲା ଏବଂ କୋର୍ଟ ତାଙ୍କୁ ଭର୍ତ୍ସନା କରିବା ସହ ଆବେଦନକୁ ଖାରଜ କରିଦେଇଥିଲେ । ତେବେ ନୂପୁର ଶର୍ମାଙ୍କ ବିରୋଧରେ ଅବକାଶକାଳୀନ ଖଣ୍ଡପୀଠ ଦେଇଥିବା ଟିପ୍ପଣୀକୁ ପ୍ରତ୍ୟାହାର ଦାବିରେ ଆଜି ପ୍ରଧାନ ବିଚାରପତି ଏନ୍‌ଭି ରମନାଙ୍କ କୋର୍ଟରେ ଏକ ଆବେଦନ କରାଯାଇଛି । ଦିଲ୍ଲୀର ଅଜୟ ଗୌତମ ନାମକ ଜଣେ ବ୍ୟକ୍ତି ଏହି ପିଟିସନ୍ ଦାଖଲ କରି ଏହାକୁ ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣ କରିବାକୁ ସିଜେଆଇଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking