31.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ ଆସିନି ସଟ୍‌ଡାଉନ୍ ସ୍ଥିତି

ରାଜ୍ୟରେ ଆସିନି ସଟ୍‌ଡାଉନ୍ ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ କରୋନା ଓ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏବେ ସଟ୍‌ଡାଉନ୍ ଲାଗୁ କରାଯିବା ଭଳି ପରିସ୍ଥିତି ଆସିନି ବୋଲି ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର କହିଛନ୍ତି । ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ରାଜ୍ୟବାସୀଙ୍କୁ ଆଜି ସମ୍ବୋଧନ କରି ଶ୍ରୀ ମହାପାତ୍ର ଏହା କହିଛନ୍ତି । ଏଥିସହ ଭୟଭୀତ ନହୋଇ କୋଭିଡ୍ ନିୟମାବଳୀକୁ ପାଳନ କରିବା ପାଇଁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ କରୋନା ସଂକ୍ରମଣର ୩ୟ ଲହର ସମଗ୍ର ବିଶ୍ୱ ସମେତ ଓଡ଼ିଶାରେ ମଧ୍ୟ ଜାରି ରହିଛି । ପ୍ରଥମ ଓ ୨ୟ ଲହର ତୁଳନାରେ କରୋନାର ୩ୟ ଲହର ସେତେ ଭୟଙ୍କର ନାହିଁ ।

ଏହାର ଉଦାହରଣ ହେଲା ବହୁତ କମ୍‍ ପରିମାଣରେ ଲୋକେ ହସ୍ପିଟାଲକୁ ଯାଉଛନ୍ତିି ।  ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‍ ସାଧାରଣ ଲୋକଙ୍କ ଜୀବିକାକୁ ପ୍ରଭାବିତ କରିବ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁସାରେ, ତୃତୀୟ ଲହରୀରେ ଲୋକଙ୍କ ଜୀବିକାକୁ ସୁରକ୍ଷିତ ରଖିବାକୁ ପ୍ରୟାସ କରାଯାଉଛି । ତେଣୁ ସାଧାରଣ ଲକଡାଉନ୍‍ କିମ୍ବା ସଟ୍‌ଡାଉନ୍‍ ଲାଗୁ କରାଯିବ ନାହିଁ । ଲୋକଙ୍କୁ ଘରୁ ବାହାରିବାବେଳେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ମାନିବାକୁ ସେ ପରାମର୍ଶ ଦେବା ସହ କୋଭିଡ୍‍ ପରିସ୍ଥିତି ଦୃଷ୍ଟିରୁ ଆଗାମୀ କିଛିଦିନ ଓଡ଼ିଶା ପାଇଁ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଦ୍ୱିତୀୟ ଲହରୀରେ ୧୦ ପ୍ରତିଶତ କୋଭିଡ୍‍ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଏବେ ମାତ୍ର ୨ ପ୍ରତିଶତ ରୋଗୀ ହସ୍ପିଟାଲ ଯାଉଛନ୍ତି ।

ସମସ୍ତଙ୍କର ସହଯୋଗ ଯୋଗୁ ମହାମାରୀ ପରିସ୍ଥିତିକୁ ମୁକାବିଲା କରିବାରେ ଏପର୍ଯ୍ୟନ୍ତ ଓଡ଼ିଶା ସକ୍ଷମ ହୋଇଛି । ବୟସ୍କ ଲୋକ, ଗର୍ଭବତୀ ଓ ଛୋଟ ପିଲାମାନେ ଯେଭଳି ସଂକ୍ରମିତ ନ ହେବେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ୍‍ । ଯଦି କୌଣସି ଲକ୍ଷଣ ଦେଖାଯାଉଛି ତୁରନ୍ତ କୋଭିଡ୍‍ ପରୀକ୍ଷା କରାଇବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି । ସେହିପରି ଔଷଧ ମାଗଣାରେ ଯୋଗାଇ ଦିଆଯାଉଛି ଓ ଡାକ୍ତରଙ୍କ ପରାମର୍ଶରେ ଏହା ସେବନ କରିବାକୁ ସେ କହିଛନ୍ତି । ରାଜ୍ୟରେ ଏବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦ରୁ ୧୧ହଜାର ମଧ୍ୟରେ ରହୁଥିଲେ ମଧ୍ୟ ଲୋକେ ଭୟଭୀତ ନହୋଇ କୋଭିଡ୍‍ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ୩ୟ ଲହର ଆରମ୍ଭ ହେବା ଦିନ ଠାରୁ ୭ ଦିନ ମଧ୍ୟରେ ସମସ୍ତ କୋଭିଡ୍ ହସ୍ପିଟାଲକୁ ପ୍ରସ୍ତୁତ କରାଯାଇଛି ।

୨ୟ ଲହର ସମୟରେ ରାଜ୍ୟରେ ଅକ୍ସିଜେନ ଓ ଆଇସୋଲେସନର ବହୁତ ଆବଶ୍ୟକତା ପଡୁଥିଲା । ଏବେ କିନ୍ତୁ ପରିସ୍ଥିତି ଓଲଟା । ଏବେ ରାଜ୍ୟରେ ଅକ୍ସିଜେନ୍ ଓ ଆଇସୋଲେସନ୍‌ର ଆବଶ୍ୟକତା କମ୍ ପଡୁଛି । ଲୋକେ କରୋନାକୁ ଭୟ କରନ୍ତୁ ନାହିଁ । ଏପର୍ଯ୍ୟନ୍ତ ୧୦ ପ୍ରତିଶତ ହସ୍ପିଟାଲ୍ ବେଡ ପୂରିଛି । ଅର୍ଥାତ୍ ୯୦ ପ୍ରତିଶତ ବେଡ୍ ଖାଲି ରହୁଛି । କିନ୍ତୁ କରୋନାରୁ ବର୍ତ୍ତିବା ଲାଗି ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking