27.8 C
Bhubaneswar
Friday, April 19, 2024
Homeଓଡିଶାପ୍ରବଳ ବର୍ଷା ଓ ବନ୍ୟା ନେଇ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି

ପ୍ରବଳ ବର୍ଷା ଓ ବନ୍ୟା ନେଇ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି

ଭୁବନେଶ୍ୱର : ରାଜ୍ୟରେ ବର୍ଷା ଜାରି ରହିଛି । ମହାନଦୀ ଓ ବୈତରଣୀରେ ବନ୍ୟାଜଳସ୍ତରବ ବଢ଼ିଛି । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଘନୀଭୂତ ହେଉଛି । ଏହା ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ତେଣୁ ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏସ୍‌ଆରସି କହିଛନ୍ତି ଯେ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବର୍ଷା ଓ ବନ୍ୟା ଯୋଗୁଁ କିଛି ସ୍ଥାନରେ ବନ୍ୟାଜଳ ସମସ୍ୟା ସୃଷ୍ଟି କରିପାରେ । ସେହିପରି ପାହାଡ଼ିଆ ସ୍ଥାନରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି ।

ସହରର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ତେଣୁ ନିଷ୍କାସନ ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟାପରେ କ୍ଷୟକ୍ଷତି ନେଇ ରିପୋର୍ଟ ଦେବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷେ ସାରା ରାଜ୍ୟରେ ଦିନତମାମ ବର୍ଷା ହେଉଛି । ଫଳରେ ପ୍ରଭାବିତ ହୋଇଛି ଜନଜୀବନ । ତୁହାକୁ ତୁହା ବର୍ଷା ଯୋଗୁଁ ଜଳବନ୍ଦୀ ହୋଇରହିଛନ୍ତି କନ୍ଧମାଳ ଚକାପାଦର ବ୍ୟାଙ୍କ୍ ସାହି ବାସିନ୍ଦା । ବହୁ ଲୋକଙ୍କ ଘରେ ବର୍ଷା ପାଣି ପଶିଯାଇଛି । ରାଇପଦା-ଜୁଇଖୋଲ ଗାଁକୁ ସଂଯୋଗ କରୁଥିବା କାଠ ପୋଲକୁ ବଢ଼ି ପାଣି ଭସାଇନେଇଛି । ବାଲେଶ୍ୱର ବଡପାଳ ପଛାୟତ କାକବୋରାଇ ଗାଁରେ ଜଳବନ୍ଦୀ ହୋଇରହିଛି ବିୟୁଏସ୍ ବିଦ୍ୟାପୀଠ । ଲଗାଣ ବର୍ଷାରେ ହରଭଙ୍ଗି ନଦୀରେ ବଢ଼ି ପାଣି ଆସି ଅସ୍ଥାୟୀ ପୋଲ ଭାସିଯିବା ପରେ ବିଛିନ୍ନ ହୋଇଯାଇଛି ଗଜପତି ଜିଲ୍ଲା ମୋହନା ଅଞ୍ଚଳର ୪ଟି ଗାଁ । ସେପଟେ କାଠଯୋଡ଼ି ଏବଂ ମହାନଦୀ କୂଳିଆଙ୍କୁ ଘାରିଛି ବନ୍ୟା ଚିନ୍ତା ।

ସମ୍ଭାବ୍ୟ ସ୍ଥିତିକୁ ଦେଖି କଟକ ଜିଲ୍ଲାରେ ୫୩୬ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ଓ ୨୫ଟି ମୋଟର ବୋଟ୍ ପ୍ରସ୍ତୁତ ରଖାଯାଇଛି । ଏପଟେ ଭଦ୍ରକ ଆଖୁଆପଦାଠାରେ ବୈତରଣୀର ଜଳସ୍ତର ବିପଦ ସଂକେତ ଉପରେ ରହିଛି । ସେହିପରି ବାଲେଶ୍ୱର ଜଳେଶ୍ୱର ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ମଥାନୀରେ ବିପଦ ସଂକେତ ଉପରେ ରହିଛି । କିନ୍ତୁ ବାଲେଶ୍ୱର ଜଳସଂପଦ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି, ଜଳକାକୁ ନେଇ ଏବେ ବିପଦ ନାହିଁ । ବର୍ଷା ପାଇଁ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଏଡ଼ାଇବା ପାଇଁ ୬ ଜଣ ଯନ୍ତ୍ରୀଙ୍କୁ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।

ଛତିଶଗଡ଼ରେ ପ୍ରବଳ ବର୍ଷା ପରେ ହୀରାକୁଦ ଡ୍ୟାମ୍‌ର ପାଣି ବଢ଼ୁଛି । ଫଳରେ ଗେଟ୍ ଖୋଲିବା ଦ୍ୱାରା ତଳ ମୁଣ୍ଡରେ ଏକ ଛୋଟ ଧରଣର ବନ୍ୟା ଆସିପାରେ ବୋଲି ଆଶଙ୍କା କରାଯାଇଛି । ଉପରମୁଣ୍ଡରେ ଯେଉଁଭଳି ବର୍ଷା ହେଉଛି , ଆଗକୁ ଅଧିକ ଗେଟ ଖୋଲିବାର ସମ୍ଭାବନା ମଧ୍ୟ ରହିଛି । ସେଥିଲାଗି ଆଜି ୧୦୦୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି , ୭ଟି ରିଲିଫ କ୍ୟାମ୍ପ ସକ୍ରିୟ ଅଛି । ପମ୍ପିଂ ମାଧ୍ୟମରେ ସହରର ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ କାର୍ଯ୍ୟ ଚାଲରହିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking