27.1 C
Bhubaneswar
Friday, March 29, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଛତ୍ର ଭଙ୍ଗ ଦେଲେଣି ଋଷ ସେନା!

ଛତ୍ର ଭଙ୍ଗ ଦେଲେଣି ଋଷ ସେନା!

କିଭ୍‌: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ୨୦୦ ଦିନରୁ ଅଧିକ ସମୟ ବିତିଲାଣି । ତଥାପି ଶକ୍ତିଶାଳୀ ରୁଷିଆକୁ କଡା ଟକ୍କର ଦେଉଛି ୟୁକ୍ରେନ୍ । ସ୍ଥିତି ଏପରି ହୋଇଛି ଯେ, ୟୁକ୍ରେନ୍ ସେନାର ଅତର୍କିତ ଆକ୍ରମଣରେ ଛତ୍ରଭଙ୍ଗ ଦେଇଛି ରୁଷିଆ । ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନ୍ ସେନା ରୁଷିଆ ଦଖଲରେ ଥିବା ଅଂଚଳ ଉପରେ ୨୦ ଥର ଏୟାର ଷ୍ଟ୍ରାଇକ୍ କରିଛି । ୟୁକ୍ରେନ୍‌ର ଏଭଳି ଘନ ଘନ ଆକ୍ରମଣର ସାମ୍ନା କରି ନପାରି ରୁଷୀୟ ସେନା ପ୍ରାୟ ୬ ହଜାର ବର୍ଗ କିଲୋମିଟର ଅଞ୍ଚଳ ଛାଡ଼ି ଦେଇଛି । ଏନେଇ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି ଘୋଷଣା କରିଛନ୍ତି । ସମଗ୍ର ୟୁକ୍ରେନ୍‌କୁ ରୁଷିଆ ମୁକ୍ତ କରିବା ଆମର ଲକ୍ଷ୍ୟ । ଯେକୌଣସି ପରିସ୍ଥିତିରେ ଏହା କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଜେଲେନସ୍କି ।

ପୂର୍ବରୁ ୟୁକ୍ରେନ୍‌ର ଏହି ଅଞ୍ଚଳଗୁଡିକୁ ଦଖଲ କରି ନେଇଥିଲା ରୁଷିଆ । କିନ୍ତୁ ୟୁକ୍ରେନର ପାଲଟା ଆକ୍ରମଣ ପରେ ଖାରକିଭ୍‌ର ଇଜିୟମ ଓ କୁପିଆନ୍ସକ ଅଞ୍ଚଳ ପୁଣି ଦଖଲକୁ ଆସିଛି । ଏକ ପଞ୍ଚମାଂଶ ଅଞ୍ଚଳ ଏବେ ବି ରୁଷିଆ ଦଖଲରେ ରହିଥିଲେ ମଧ୍ୟ ରୁଷିଆ ସେନାର ଏଭଳି ପଛଘୁଞ୍ଚାକୁ ବଡ଼ ବିଫଳତା ମନେ କରାଯାଉଛି । ରୁଷିଆ ଦଖଲରେ ଥିବା ଡନ୍‌ବାସ ଅଞ୍ଚଳକୁ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଇଜିୟମ୍ ଓ କୁପିଆନ୍ସ ସହରକୁ ପେଣ୍ଠସ୍ଥଳୀ ଭାବେ ବ୍ୟବହାର କରାଯାଉଥିଲା । ଏହି ଅଞ୍ଚଳରେ ରୁଷିଆ ସୈନ୍ୟମାନଙ୍କୁ ଏକତ୍ର କରି ପ୍ରସ୍ତୁତ କରୁଥିଲା ରଣନୀତି । ବିଶେଷ କରି ଇଜିୟମ ଅଞ୍ଚଳ ୟୁକ୍ରେନ୍ ଦଖଲକୁ ଯିବା ପରେ ରୁଷିଆକୁ ଶକ୍ତ ଝଟ୍‌କା ଲାଗିଛି ।

ପୂର୍ବରୁ ଏପ୍ରିଲ ମାସରେ ରୁଷୀୟ ସେନା କିଭ୍ ଅଂଚଳରୁ ଓହରି ଯାଇଥିଲା । ତେଣେ ସୈନ୍ୟମାନଙ୍କୁ ଅଧିକ ସଂଗଠିତ କରିବା ପାଇଁ ଇଜିୟମ୍ ଓ କୁପିଆନ୍ସ ଅଞ୍ଚଳରୁ ସେମାନଙ୍କୁ ପ୍ରତ୍ୟାହାର କରାଯାଇଥିବା ରୁଷିଆ ପକ୍ଷରୁ ସଫେଇ ଦିଆଯାଇଛି । ସେପଟେ ୟୁକ୍ରେନର ଦକ୍ଷିଣଭାଗରେ ଥିବା ଖେରସୋନ୍ ଅଂଚଳରେ ଏବେ ବି ଜାରି ରହିଛି ଘମାଘୋଟ ସଂଘର୍ଷ । ସାଧାରଣ ଲୋକଙ୍କ ଘର ସହ ବିଭିନ୍ନ ଅନୁଷ୍ଠାନ ଗୁଡିକୁ ଆକ୍ରମଣ କରାଯାଉଛି । ସହର ଭିତରେ ବିଭିନ୍ନ ସମୟରେ ଶୁଭୁଛି ଗୁଳିର ଶବ୍ଦ । ରୁଷିଆ ପକ୍ଷରୁ ଉତ୍ତେଜନା ସୃଷ୍ଟି କରିବା ଭଳି ପରିସ୍ଥିତି ସୃଷ୍ଟି କରାଯାଉଛି ବୋଲି ୟୁକ୍ରେନ୍ ଅଭିଯୋଗ କରିଛି । ଅନ୍ୟପକ୍ଷରେ ସାଧାରଣ ଲୋକଙ୍କୁ ଆଳ କରି ରୁଷୀୟ ସୈନ୍ୟଙ୍କୁ ୟୁକ୍ରେନ୍ ଟାର୍ଗେଟ୍ କରୁଥିବା ପାଲଟା ଆରୋପ ଲଗାଇଛି ରୁଷିଆ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking