30.1 C
Bhubaneswar
Sunday, July 3, 2022
Homeଓଡିଶାସର୍ବସାଧାରଣ ଦର୍ଶନ କରିବେ ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶ

ସର୍ବସାଧାରଣ ଦର୍ଶନ କରିବେ ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶ

ପୁରୀ : ଆଗେଇ ଆସୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆସନ୍ତା ଜୁନ୍ ୧୪ ତାରିଖରେ ହେବ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନ ମଣ୍ଡପରେ ତିନିଘଣ୍ଟା ଧରି ସର୍ବ ସାଧାରଣ ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶ ଦର୍ଶନ କରିପାରିବେ । କିନ୍ତୁ କୌଣସି ଭକ୍ତ ଶ୍ରୀ ବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ । ଦେବସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ସବକମିଟିର ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ଛତିଶା ନିଯୋଗ ଅନୁମୋଦନ ଦେଇଛି । ତେବେ ଜଳଲାଗି ଓ ହାତୀବେଶକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସମସ୍ତ ସେବାୟତ ନିଯୋଗକୁ ପରାମର୍ଶ ଦିଆଯାଇଛି । ସ୍ନାନପୂର୍ଣ୍ଣମୀ ଦିନ ସନ୍ଧ୍ୟା ୬ ଟାରୁ ରାତି ୯.୩0ଯାଏଁ ସର୍ବସାଧାରଣ ଦର୍ଶନ କରିବାକୁ ନୀତି ନିର୍ଘଣ୍ଟ ହୋଇଯାଇଛି । ସେହିପରି ରାତି ୧୦ ଟାରେ ବାହୁଡ଼ା ପହଣ୍ଡି ଓ ରାତି ୧.୩୦ରେ ସୁନା ଚିତା ଓ ରାହୁରେଖା ମଇଲମ କରାଯିବାକୁ ନୀତି ନିର୍ଘଣ୍ଟ ହୋଇଯାଇଛି ।

ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ପ୍ରଥମେ ନୀତି ସବକମିଟି ପରେ ଛତିଶା ନିଯୋଗ ବୈଠକ ବସିଥିଲା । ବୈଠକରେ ଆସନ୍ତା ୧୪ ତାରିଖରେ ହେବାକୁ ଥିବା ସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ ହୋଇଯାଇଛି । ମଙ୍ଗଳାର୍ପଣ, ଡୋର ଲାଗି ଓ ପୁଷ୍ପାଞ୍ଜଳି ପରେ ପହଣ୍ଡି ଆରମ୍ଭ ହେବ । ଏଥର ଭକ୍ତଙ୍କ ଗହଣରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଦ୍ବିଗୁଣା ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବା ଆକଳନ କରାଯାଉଛି । ଜୁନ୍ ୧୪ରେ ଭୋର ୪ଟାରୁ ପହଣ୍ଡି ଆରମ୍ଭ ହୋଇ ୬ଟାରେ ଶେଷ ହେବ । ସକାଳ ୯.୩୦ରୁ ୧୧.୩୦ ମଧ୍ୟରେ ଜଳ ବିଜେ ଓ ପୂଜା ହୋଇ ୧୨.୧୫ ରେ ଛେରା ପହଁରା ଓ ୧୨.୩୦ରୁ ୨.୩୦ ମଧ୍ୟରେ ହାତୀବେଶ ଶେଷ କରାଯିବ । ତେବେ ସକାଳେ ପରିମାଣିକ ଟିକେଟ ଦର୍ଶନ କରାଯିବ । ଭକ୍ତ ମାନେ ବଡ଼ଦାଣ୍ଡରୁ ଜଳଲାଗି ଓ ହାତୀବେଶ ପରେ ତିନି ଘଣ୍ଟା ସ୍ନାନ ମଣ୍ଡପ ଉପରେ ବେଶ ଦେଖିବାର ସୁଯୋଗ ପାଇବେ ।

ସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ସମ୍ପର୍କରେ ନୀତି ସବକମିଟି ବୈଠକରେ ପ୍ରଥମେ ଆଲୋଚନା କରାଯାଇଥିଲା । ସ୍ନାନ ଯାତ୍ରା ଓ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ବ୍ୟବସ୍ଥାବଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପରେ ଏହାକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଦୁଇବର୍ଷ ଧରି ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ କୋଭିଡ ସ୍ଥିତି ସ୍ବାଭାବିକ ଥିବାରୁ ଭକ୍ତଙ୍କ ଗହଣରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ ।

ଏଥିପାଇଁ ନୀତିକୁ ଶୃଙ୍ଖଳିତ କରିବା ଦିଗରେ ଛତିଶା ନିଯୋଗ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବିଶେଷ କରି ପ୍ରଭୁଙ୍କ ଜଳଲାଗିକୁ ଶୃଙ୍ଖଳିତ କରିବା ଓ ହାତୀବେଶ ଓଲାଗି ସମୟରେ ଶୃଙ୍ଖଳା ରକ୍ଷା କରିବା ପାଇଁ ସମ୍ପୃକ୍ତ ସେବାୟତ ମାନଙ୍କୁ ପରାମର୍ଶ ଦିଆଯାଇଥିଲା । ସେହିପରି ଜଳଲାଗି ଓ ହାତୀବେଶ ସମୟରେ ଶ୍ରୀବିଗ୍ରହ ମାନଙ୍କ ସମ୍ମୁଖରେ ଯେଭଳି କୈାଣସି ସେବାୟତ ଠିଆ ହୋଇ ଭକ୍ତଙ୍କ ଦର୍ଶନରେ ବାଧା ସୃଷ୍ଟି କରିବେ ନାହିଁ ଏହା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଥିଲା । ସମସ୍ତ ସେବାୟତଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରାଯାଇ ନୀତିକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରାଯିବ ବୋଲି ସେବାୟତ ମଣ୍ଡଳୀ ମତ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking