ପାର୍ଲ : ନୂଆ ଅଧିନାୟକ ରୋହିତ ଶର୍ମା ଆହତ କାରଣରୁ ଆଗାମୀ ସାଉଥ୍ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ରୁ ବାଦ୍ ପଡ଼ିବା ପରେ ତାଙ୍କ ଓପନିଂ ଯୋଡ଼ିଦାର ଲୋକେଶ ରାହୁଲ୍ଙ୍କୁ ଏହି ଦାୟିତ୍ୱ ମିଳିଥିଲା । ତେଣୁ ଉପଅଧିନାୟକ ଭାବେ ଡାହାଣହାତୀ ପେସର୍ ଜସପ୍ରୀତ୍ ବୁମରାଙ୍କୁ ନିଯୁକ୍ତି ଦିଆଯାଇଥିଲା । ତେବେ ଏହି ବୋଲର୍ ଜଣକ ଟେଷ୍ଟ୍ ଟିମ୍ର ଅଧିନାୟକ ପଦ ମିଳିଲେ, ତାକୁ ସାଦରେ ଗ୍ରହଣ କରିବେ ବୋଲି ମତ ଦେଇଛନ୍ତି । ଗତ ସାଉଥ୍ ଆଫ୍ରିକା ବିପକ୍ଷ ଟେଷ୍ଟ୍ ସିରିଜ୍ରେ ଭାରତ ଅପ୍ରତ୍ୟାଶିତ ଭାବେ ୧-୨ରେ ପରାସ୍ତ ହେବା ପରେ ଦଳର ଅଧିନାୟକ ପଦରୁ ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଅବ୍ୟାହତି ନେଇଛନ୍ତି ।
ତେଣୁ ତାଙ୍କ ସ୍ଥାନରେ କାହାକୁ ଅଧିନାୟକ ପଦ ଦିଆଯିବ, ସେନେଇ ବିଚାରବିମର୍ଶ ତ୍ୱରାନ୍ୱିତ ହୋଇଥିବା ବେଳେ ଯଦି ତାଙ୍କୁ ଏହି ଦାୟିତ୍ୱ ମିଳେ, ତା’ହେଲେ ସେ ଏହାକୁ ତୁଲାଇବେ ବୋଲି ଆସନ୍ତା ବୁଧବାରଠାରୁ ଆରମ୍ଭ ହେଉଥିବା ସୀମିତ ଓଭର୍ ସିରିଜ୍ ପୂର୍ବରୁ ସୋମବାର ଆୟୋଜିତ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ବୁମରା କହିଛନ୍ତି । ସେ କହିଛନ୍ତି, ଯଦି ଅଧିନାୟକ ଦାୟିତ୍ୱ ଦିଆଯାଏ ତା’ହେଲେ ଏହା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ହେବ । କୌଣସି ଖେଳାଳି ବି ଏପରି ସୁଯୋଗ କଦାପି ହାତଛଡ଼ା କରିବେ ନାହିଁ । ମୋ କ୍ଷେତ୍ରରେ କିପରି ବ୍ୟତିକ୍ରମ ହେବ? ଦଳ ପାଇଁ ଅବଦାନ କୌଣସି ବି ଭୂମିକାରେ ଦେବା ସକାଶେ ମୋର ସବୁବେଳେ ଆଗ୍ରହ ରହିଛି ।
ଅଧିନାୟକ ହେଲେ ଯେ ଭୂମିକା ବଦଳିଯିବ, ସେପରି କିଛି ନାହିଁ । ତେଣୁ କ୍ଷମତା ମୁତାବକ ଅବଦାନ ପାଇଁ ମୁଁ ସବୁବେଳେ ଚେଷ୍ଟିତ ବୋଲି ବୁମରା କହିଛନ୍ତି । ବୁମରା ଆହୁରି ମଧ୍ୟ କହିଛନ୍ତି, ଦଳର ପ୍ରମୁଖ ବୋଲର୍ ଭାବେ ପ୍ରତିପକ୍ଷ ଉପରେ ଚାପ ସୃଷ୍ଟି କରିବା ମୋର ମୁଖ୍ୟ କାର୍ଯ୍ୟ । ଜଣେ ଉପଅଧିନାୟକ ଭାବେ ଅଧିନାୟକ ଲୋକେଶ ରାହୁଲଙ୍କ ଭରପୂର ସହଯୋଗ କରିବାକୁ ମଧ୍ୟ ମୋର ଆଗ୍ରହ ରହିଛି ବୋଲି ବୁମରା କହିଛନ୍ତି । ସେହିପରି କୋହଲି ଅଧିନାୟକ ପଦ ଛାଡ଼ିବା ନେଇ ବୁମରା କହିଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଓ ଏହି ନିଷ୍ପତ୍ତିକୁ ମୁଁ ସମ୍ମାନ ଜଣାଉଛି । କୋହଲିଙ୍କ ପରି ଅଧିନାୟକଙ୍କ ନେତୃତ୍ୱରେ ମୋତେ ଖେଳିବାକୁ ସୁଯୋଗ ମିଳିଥିବାରୁ ଏଥିପାଇଁ ମୁଁ ନିଜକୁ ଗୌରବାନ୍ୱିତ ଅନୁଭବ କରୁଛି । ବିଶେଷକରି ତାଙ୍କ ଅଧିନାୟକତ୍ୱରେ ମୁଁ ଟେଷ୍ଟ୍ ଡେବ୍ୟୁ କରିଛି ।
ତାଙ୍କର ଉଦ୍ଦାମତା ଦଳର ଖେଳାଳିଙ୍କ ମଧ୍ୟରେ ସ୍ୱତନ୍ତ୍ର ସ୍ଫୂର୍ତ୍ତି ଜାଗ୍ରତ କରିଥାଏ । ତେଣୁ ସେ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ବି ପ୍ରତିଟି ଫର୍ମାଟ୍ରେ ସେ ଆମର ଅଧିନାୟକ ରହିବେ ବୋଲି ବୁମରା କହିଛନ୍ତି । ସୂଚନାଯୋଗ୍ୟ ଯେ ଦିନିକିଆ ସିରିଜ୍ର ପ୍ରଥମ ଦୁଇଟି ମ୍ୟାଚ୍ ଏଠାକାର ବୋଲାଣ୍ଡ୍ ପାର୍କରେ ଖେଳାଯିବ ଓ ଚୂଡ଼ାନ୍ତ ମ୍ୟାଚ୍ଟି କେପଟାଉନ୍ଠାରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି ।