ନୂଆଦିଲ୍ଲୀ: ପ୍ରେମ ପ୍ରସ୍ତାବ ଗ୍ରହଣ ନକରିବାରୁ ଘରେ ପଶି ହାଣିଲା ପ୍ରେମିକ । କର୍ଣ୍ଣାଟକର ହୁବଳିରେ ଘଟିଛି ଏଭଳି ଘଟଣା । ମୃତକ ନିଜ ଘରେ ଥିବା ବେଳେ ଅଭିଯୁକ୍ତ ଘରେ ପଶି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ପରିବାର ଲୋକେ ଚେଷ୍ଟା କରି ବି ତାଙ୍କୁ ଅଟକାଇ ପାରିନଥିଲେ । ମୃତକଙ୍କ ନାମ ଅଞ୍ଜଳି ଅମ୍ବିଗେରା(୨୦) ହୋଇଥିବା ବେଳେ ଅଭିଯୁକ୍ତର ନାମ ବିଶ୍ୱ ସାୱନ୍ତ ବୋଲି ଜଣାପଡ଼ିଛି । ହତ୍ୟା କରିବା ପରେ ବିଶ୍ୱ ଫେରାର ଥିବା ବେଳେ ଏବେ ଖୋଜିବା ଆରମ୍ଭ କରିଛି ପୁଲିସ ।
ସୂଚନା ମୁତାବକ, କିଛି ଦିନ ତଳେ ଅଞ୍ଜଳି ଅମ୍ବିଗେରାଙ୍କୁ ଭଲ ପାଉଥିବା କହିଥିଲେ ବିଶ୍ୱ । ଏହା ସହ ମାତାପିତାଙ୍କୁ ଛାଡ଼ି ତାଙ୍କ ସହ ମହୀସୁରରେ ରହିବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ । ହେଲେ ଏଭଳି କରିବାକୁ ମନା କରିଦେଇଥିଲେ ଅଞ୍ଜଳି । ପ୍ରସ୍ତାବ ଗ୍ରହଣ ନକରିବାରୁ ଅଞ୍ଜଳିଙ୍କୁ ହତ୍ୟା କରିବାର ଧମକ ଦେଇଥିଲେ ବିଶ୍ୱ । ଏଭଳି ଧମକ ପାଇ ଅଞ୍ଜଳିଙ୍କ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଥିଲେ ବି ଚିନ୍ତା ନ କରିବାକୁ କହିଥିଲା ପୁଲିସ । ପୁଲିସର ସାହାଯ୍ୟ ନମିଳିବାରୁ ଅସହାୟ ହୋଇ ବସିପଡ଼ିଥିଲେ ଅଞ୍ଜଳିଙ୍କ ପରିବାର । ଘଟଣା ଦିନ ଘରେ କେବଳ ଅଞ୍ଜଳି, ତାଙ୍କର ଦୁଇ ଭଉଣୀ ଓ ତାଙ୍କ ଜେଜେ ମା’ ଥିଲେ । ଏହି ସମୟରେ ବିଶ୍ୱ ଘର ଭିତରକୁ ପଶି ଅଞ୍ଜଳିଙ୍କ ଉପରେ ଆକ୍ରମଣ କରିଥିଲା । ରକ୍ତାକ୍ତ ହୋଇ ଅଞ୍ଜଳି ତଳେ ପଡ଼ିଯିବାରୁ ସେଠାରୁ ଫେରାର ହୋଇଯାଇଥିଲା ବିଶ୍ୱ ।