40.1 C
Bhubaneswar
Thursday, April 25, 2024
Homeଓଡିଶାବାଉଁଶ କାରିଗରଙ୍କ ଜୀବନଜୀବିକା ଦୁର୍ବିସହ

ବାଉଁଶ କାରିଗରଙ୍କ ଜୀବନଜୀବିକା ଦୁର୍ବିସହ

ପାଲୁର : ଗଞ୍ଜାମ ବ୍ଲକ ରମ୍ଭା ବିଜ୍ଞପିତ ଅଞ୍ଚଳ ପରିଷଦର ବିଭିନ୍ନ ଟୋଲାରେ ବାଉଁଶ କାରିଗରୀ କରି ଜୀବନ ନିର୍ବାହ କରୁଥିବା ବହୁ ପରିବାରର ସମ୍ପ୍ରତି ସରକାରୀ ପ୍ରୋତ୍ସାହନ ଅଭାବରୁ ଦୁର୍ବିସହ ହୋଇପଡିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦର ଆଡ଼କଠା, ବାଉଁଶମୁଣ୍ଡା ଏବଂ କରମାପଡ଼ା ଟୋଲାରେ ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ପରିବାର ବାଉଁଶ କାରିଗରୀ କରି ଜୀବିକା ନିର୍ବାହ କରନ୍ତି । ସେମାନେ ବାଉଁଶରୁ ଟୋପା, କୁଲା, ଡାଲା, ଗେଣ୍ଡୁଆ, ଘରି, ଥୋଲା, ତାଟି ବିଭିନ୍ନ ଘରୋଇ ଉପକରଣ ତିଆରି କରି ଚାହିଦା ମେଣ୍ଟାଇଥାନ୍ତି । ବିବାହ ଋତୁରେ ପରଲା ଡଲା, କୁଲେଇ, ବିଛଣା, ଡାଳା, ସୁବୁରା ଆଦି ବିଭିନ୍ନ ମାଙ୍ଗଳିକ ଉପକରଣ ଯୋଗାଇ ବେଶ ଦି ପଇସା ରୋଜଗାର କରିଥାନ୍ତି । ବନବିଭାଗ ପାଇଁ ବାଉଁଶ ନିର୍ମିତ ଚାରାର ସୁରକ୍ଷା ବାଡ଼ ତିଆରି କରୁଥିବା ବେଳେ ମତ୍ସ୍ୟଜୀବୀଙ୍କ ସକାଶେ ଧଏର୍‍, ଥପା, କୁମନା, ତାଟି, ଚାଞ୍ଚ ଆଦି ତିଆରି କରିଥାଆନ୍ତି । ବାଉଁଶରୁ ଡାଏନୋସର, ମୟୂର ଆଦି ବିଭିନ୍ନ ପଶୁପକ୍ଷୀ ସହ ଫୁଲ, ଫୁଲଦାନୀ, ଚେୟାର ଆଦି ସୌଖିକ ସାମଗ୍ରୀ ମଧ୍ୟ ତିଆରି କରିଥାନ୍ତି । ମାତ୍ର ସମ୍ପୃକ୍ତ ବାଉଁଶ କାରିଗରମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁ ନାହିଁ । ବାଉଁଶ କାରିଗରଙ୍କୁ ତାଲିମ ପ୍ରଦାନ, ବାଉଁଶ ଯୋଗାଣ, ପ୍ରସ୍ତୁତ ସାମଗ୍ରୀର ବିକ୍ରିବଟା, ଋଣ ପ୍ରଦାନ ଆଦିର ସରକାରୀ ବ୍ୟବସ୍ଥା ରହିଥିଲେ ହେଁ ଏହା ତାଙ୍କ ନିକଟରେ ଅପହଞ୍ଚ ହୋଇରହିଛି । ଫଳରେ ତାଙ୍କ କାରିଗରୀ ବିକଶିତ ହୋଇପାରୁ ନାହିଁ । ନିଜ ଉଦ୍ୟମରେ ବାଉଁଶ ଯୋଗାଡ଼ କରିଥାନ୍ତି । ସମ୍ପ୍ରତି ମହାମାରୀ କରୋନା ଏବଂ ଲକଡାଉନ ଯୋଗୁଁ ବାଉଁଶ ସାମଗ୍ରୀ ଗୁଡିକ ଗତ ସାତମାସ ଧରି ବିକ୍ରି ହୋଇନାହିଁ । ସ୍ଥାନୀୟ ସାପ୍ତାହିକ ହୁମ୍ମା ହାଟରୁ ବାଉଁଶରେ ନିର୍ମିତ ହାଇଥିବା ସାମଗ୍ରୀ ବିକ୍ରି କରି ହଜାର ହଜାର ଟଙ୍କା ରୋଜଗାର କରି ନିଜ ପରିବାର ଚଳେଇଥାନ୍ତି । କରୋନା ପାଇଁ ସେହି ହାଟକୁ କଟକଣା ମୁକ୍ତ କରାଯାଇ ନାହିଁ । ବନବିଭାଗ ସାମଗ୍ରୀ ନେଉଥିବା ବେଳେ ସରକାରୀ ସ୍ତରରେ ଅନ୍ୟ ସାମଗ୍ରୀର ବିକ୍ରି ବ୍ୟବସ୍ଥା କରାଯାଉ ନଥିବାରୁ ହାତ ବାନ୍ଧି ବସି ରହିଛନ୍ତି । ଏଣୁ ସମ୍ପୃକ୍ତ ବାଉଁଶ କାରିଗରଙ୍କୁ ସରକାରୀ ପ୍ରୋତ୍ସାହନ ଦିଆଯାଇ ତାଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ପ୍ରଶାସନ ଆଗେଇ ଆସିବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking