29.1 C
Bhubaneswar
Friday, April 26, 2024
Homeଓଡିଶା୧୦ ଗ୍ରାମକୁ ବିଚ୍ଛିନ୍ନ କରୁଛି କାଢ଼ିପେନୁ ନଦୀ

୧୦ ଗ୍ରାମକୁ ବିଚ୍ଛିନ୍ନ କରୁଛି କାଢ଼ିପେନୁ ନଦୀ

ଫୁଲବାଣୀ : କନ୍ଧମାଳ କ.ନୂଆଗାଁ ବ୍ଲକ ଗୁଞ୍ଜିବାଡି ପଞ୍ଚାୟତର ୧୦ଟି ଗ୍ରାମର ଦୁଃଖ କାଢ଼ିପେନୁ ନଦୀ । ନଦୀ ଉପରେ ପୋଲ ନ ଥିବାରୁ ଲୋକେ ନାହିଁ ନ ଥିବା ଅସବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ୪ ମାସ ସେମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଛନ୍ତି । ଏହି ସମୟରେ ସେମାନେ ଭଲରେ ଖାଦ୍ୟ ପାଉନାହାନ୍ତି । ଗର୍ଭବତୀ, ନବଜାତ ଶିଶୁ ଏବଂ ପାଠ ପଢ଼ିବା କଥା ନ କହିବା ଭଲ । ଫୁଲବାଣୀରୁ ବାଲିଗୁଡ଼ା ଯିବା ରାସ୍ତାରେ ପଡ଼ିବ ରାଇକିଆ ଛକ । ଯେଉଁଠାରୁ କ.ନୂଆଗାଁ ବ୍ଲକ ମାତ୍ର ୪ କି.ମି ଦୂର । ଛକରୁ ବାମ ଆଡ଼କୁ ରାଇକିଆ ରାସ୍ତାରେ ଭାଙ୍ଗିଲେ ମାତ୍ର ୨ କି.ମି ଦୂରରେ ରହିଛି ଗୁଞ୍ଜିବାଡି ପଞ୍ଚାୟତର ଏହି ୧୦ଟି ଗ୍ରାମ । ରାଜପଥର ମାତ୍ର ୩୦୦ମିଟର ତଳକୁ ଖସିଲେ କାଢ଼ିପେନୁ ନଦୀ । ଏହାର ଆର ପଟେ ରହିଛି ୧୦ଟି ଗ୍ରାମ ବଗାଡ଼ି, ବଦାଲି, ଶ୍ରକପାଙ୍ଗା, ମିନାମିଲୁ, ଡାକଲି, ମାଦିରାହା ଟିପିଣିଗାଁ, ଗୁଡୁରିପଡି, ଶ୍ରୁଗାମାହା, ମଣ୍ଡାରପଦର, କଙ୍ଗେରିକିଆ ।

ଏ ସବୁ ପଡ଼ା ଗ୍ରାମରେ ଲୋକସଂଖ୍ୟା ପ୍ରାୟ ୧୫୦୦ରୁ ଊର୍ଦ୍ଧ୍ୱ । ପ୍ରଶାସନ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ଏବଂ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଖୋଲିଛି । ହେଲେ ଯିବାକୁ ରାସ୍ତା କରିନାହିଁ । ନଦୀ ପାର ହେଲେ ହିଁ ଏହିସବୁ ଗ୍ରାମକୁ ଯିବାକୁ ପଡ଼ିବ । ନଦୀ ପାର ହେବାକୁ ପୋଲ ନାହିଁ । ବର୍ଷରେ ୮ ମାସ ନଦୀ ଶୁଖିଲା ପଡୁଥିବାରୁ ଲୋକେ ଯାତାୟାତ କରନ୍ତି । ବର୍ଷା ଦିନ ଆସିଲେ ବାକି ୪ ମାସ ବିଚ୍ଛିନ୍ନ । ନଦୀର ଏକ ପାଖରୁ ଆର ପାଶ୍ୱର୍ରେ ଥିବା ଦୁଇଟି ଗଛରେ ବନ୍ଧା ହୁଏ ଲୁହାର ତାର । ଖାଲି ଲୋକେ ନୁହନ୍ତି କୁନି କୁନି ପିଲାମାନେ ତାରରେ ଓହଳି ନଦୀ ପାର ହୁଅନ୍ତି ।  ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ପାଠ ସାରିଥିବା ବହୁ ପିଲା ନଦୀ ପାର ନ ହୋଇ ପାରି ପାଠ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ୨୦୦୯ ମସିହାରୁ ଆଶାକର୍ମୀ ଭାବେ କାମ କରୁଥିବା ମହିଳା ପ୍ରକାଶ କରିଛନ୍ତି, ଆମର ସବୁଠୁ ବଡ଼ ସମସ୍ୟା ହେଉଛି ନଦୀ ।

ପୋଲ ନ ଥିବାରୁ ବିଶେଷ କରି ମୁଁ ଗର୍ଭବତୀଙ୍କୁ ଠିକ୍ ସମୟରେ ମେଡିକାଲ ନେଇ ହେଉନାହିଁ । ସରକାରଙ୍କ ଟିକାକରଣ କାର୍ଯ୍ୟ ବି ଏଠାରେ ଫେଲ । କାରଣ ଗ୍ରାମକୁ ଯିବାକୁ ରାସ୍ତା ନାହିଁ କି ନଦୀ ଉପରେ ପୋଲ ନାହିଁ । ସେପଟ ପିଲା ଏପଟକୁ ଆସି ପାରୁ ନାହାନ୍ତି କି ଏପଟ ପିଲା ସେପଟକୁ । ଯଦି କୌଣସି ଗର୍ଭବତୀଙ୍କ ପ୍ରସବ ବେଦନା ହୁଏ, ସେମାନଙ୍କୁ ଆଣି ହୁଏ ନାହିଁ । ଗ୍ରାମର ଲୋକେ ଭାର କରି ବହୁ କଷ୍ଟରେ ଗର୍ଭବତୀଙ୍କୁ ନଦୀ ପାର କରାନ୍ତି । ଯାହା ସବୁ ବେଳେ ସମ୍ଭବ ହୁଏ ନାହିଁ । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ, କିରୋସିନି ଆଣିବା ପାଇଁ ଲୋକେ ହଇରାଣ ହେଉଛନ୍ତି । ଗର୍ଭବତୀ ମେଡିକାଲ ନ ଯାଇ ପାରି ବାଧ୍ୟ ହୋଇ ଘରେ ପ୍ରସବ କରୁଛନ୍ତି ।

ମୋ ସମୟରେ ୪ ନବଜାତଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଷ୍ଟିକର ଖାଦ୍ୟ ଅଭାବରୁ ୧୦ ଜଣ ଶିଶୁ ମୁତ୍ୟୁବରଣ କଲେଣି ବୋଲି ଆଶାକର୍ମୀ ପ୍ରିୟତମା ପ୍ରଧାନ କହିଛନ୍ତି । ସେହିପରି ଅନୁରୂପ ସମସ୍ୟା ସମ୍ପର୍କରେ ବଗାଡି ଗ୍ରାମର ସୁଲୋଚନା ପ୍ରଧାନ, ଶ୍ରକାପାଙ୍ଗା ଗ୍ରାମର ବିଶ୍ୱନାଥ ପ୍ରଧାନ, ବଦାଲିର ଭଞ୍ଜରାଜ ପ୍ରଧାନ, ରେଖା ପ୍ରଧାନ ଏବଂ ଡାକଲି ଗ୍ରାମର ଅଜୟ ପ୍ରଧାନ ନିଜର ଅସନ୍ତୋଷ ଜାହିର କରିଛନ୍ତି।  ଏ ସଂକ୍ରାନ୍ତରେ କ.ନୂଆଗାଁ ବିଡିଓ ଶରତ କୁମାର ପାତ୍ରଙ୍କୁ ପଚାରିବାରୁ କହିଛନ୍ତି ଯେ ମୁଁ ଅଳ୍ପ ଦିନ ହେବ ଏଠାକୁ ଆସିଛି । ଏ ସଂକ୍ରାନ୍ତରେ ରାଜ୍ୟ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ, ମନ୍ତ୍ରୀଙ୍କୁ ଏ ବିଷୟରେ କହିଛୁ । ଜିଲ୍ଲାପାଳ ବି ଆମକୁ ଏ ବିଷୟରେ କହିଛନ୍ତି । ସରକାରଙ୍କୁ ଆମେ ଜଣାଇଛୁ । ଆଶା କରୁଛୁ ଖୁବ୍‌ଶୀଘ୍ର ଲୋକଙ୍କ ସମସ୍ୟା ଦୂର ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking