ଡୋମିନିକା: ଚଳିତ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଘରୋଇ ୱେଷ୍ଟ୍ଇଣ୍ଡିଜ୍ ୩୫ ରନ୍ରେ ବିଜୟୀ ହୋଇଛି । ପୂର୍ବରୁ ସିରିଜ୍ର ପ୍ରଥମ ମ୍ୟାଚ୍ଟି ବର୍ଷାରେ ଧୋଇଯିବା ପରେ ରବିବାର ମ୍ୟାଚ୍ରେ ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୫ ୱିକେଟ୍ରେ ୧୯୩ ରନ୍ କରିଥିବା ବେଳେ ରୋଭମାନ୍ ପାୱେଲ୍ ବିସ୍ଫୋରକ ୬୧ ରନ୍ର ଇନିଂସ ଖେଳିଥିଲେ । ସେ ମାତ୍ର ୨୮ଟି ବଲ୍ ଖେଳି ୨ଟି ଚୌକା ଓ ୬ଟି ଛକା ମାଧ୍ୟମରେ ଏହି ରନ୍ କରିଥିଲେ । ଏହାଛଡ଼ା ଓପନର ବ୍ରେଣ୍ଡନ୍ କିଙ୍ଗ୍ ୪୩ଟି ବଲ୍ରେ ୭ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୫୭ ରନ୍ ଏବଂ ଅଧିନାୟକ ନିକୋଲାସ୍ ପୂରନ୍ ୩ଟି ଚୌକା ଓ ଗୋଟିଏ ଛକା ଜରିଆରେ ୩୪ ରନ୍ କରିଥିଲେ । ଏହାଛଡ଼ା ଅନ୍ୟତମ ଓପନର କାଇଲ୍ ମାୟେର୍ସ ୨ଟି ଚୌକା ଓ ଗୋଟିଏ ଛକା ସହ ୧୭ ଏବଂ ଓଡିନ୍ ସ୍ମିଥ୍ ଗୋଟିଏ ଛକା ମାଧ୍ୟମରେ ଅପରାଜିତ ୧୧ ରନ୍ର ଇନିଂସ ଖେଳିଥିଲେ ।
ବାଂଲାଦେଶ ପକ୍ଷରୁ ଶୋରିଫୁଲ୍ ଇସଲାମ୍ ୨ଟି ଏବଂ ମେହିଦୀ ହସନ୍, ସାକିବ୍-ଅଲ୍-ହସନ୍ ଓ ମୋସାଡେକ୍ ହୋସେନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ବାଂଲାଦେଶ ପାଇଁ ବ୍ୟାଟିଂରେ ସାକିବ୍ ୫ଟି ଚୌକା ଓ ୩ଟି ଛକା ଜରିଆରେ ୬୮ ରନ୍ର ଅପରାଜିତ ଇନିଂସ ଖେଳିଥିଲେ ହେଁ ଦଳ ୨୦ ଓଭର୍ରେ ୬ ୱିକେଟ୍ ବିନିମୟରେ ୧୫୮ ରନ୍ ହିଁ କରିପାରିଥିଲା । ଆଫିଫ୍ ହୋସେନ୍ ୩ଟି ଚୌକା ଓ ଗୋଟିଏ ଛକା ସହ ୩୪ ଏବଂ ମୋସାଡେକ୍ ଗୋଟିଏ ଛକା ସହ ୧୫ ରନ୍ର ଯୋଗଦାନ ଦେଇଥିଲେ । ଇଣ୍ଡିଜ୍ ପକ୍ଷରୁ ଓବେଦ୍ ମ୍ୟାକ୍କୟ ଓ ରୋମାରିଓ ଶେଫର୍ଡ ୨ଟି ଲେଖାଏଁ ଏବଂ ଆକିଲ୍ ହୋସେନ୍ ଓ ସ୍ମିଥ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ପାୱେଲ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ସିରିଜ୍ର ଅନ୍ତିମ ଟି-୨୦ ଆସନ୍ତା ୭ ତାରିଖରେ ଗୟାନାଠାରେ ଖେଳାଯିବ ।