37.1 C
Bhubaneswar
Friday, May 20, 2022
Homeଓଡିଶାମୌସୁମୀଙ୍କ ମହାନତା : ସ୍ୱାମୀଙ୍କ ଚିକିତ୍ସା ପାଇଁ ମିଳିଥିବା ୪୦ ଲକ୍ଷ ଟଙ୍କା ଲୋକଙ୍କ ପାଇଁ...

ମୌସୁମୀଙ୍କ ମହାନତା : ସ୍ୱାମୀଙ୍କ ଚିକିତ୍ସା ପାଇଁ ମିଳିଥିବା ୪୦ ଲକ୍ଷ ଟଙ୍କା ଲୋକଙ୍କ ପାଇଁ ଉତ୍ସର୍ଗ କଲେ

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ମନ୍ଦାରୀ ଅଞ୍ଚଳର ଯୁବ ଇଞ୍ଜିନିୟର ସ୍ୱର୍ଗତ ଅଭିଷେକ ମହାପାତ୍ରଙ୍କ ପତ୍ନୀ ମୌସୁମୀ, ସ୍ୱାମୀଙ୍କ ଚିକିତ୍ସା ପାଇଁ ବିଭିନ୍ନ ବଦାନ୍ୟବ୍ୟକ୍ତଙ୍କଠାରୁ ମିଳିଥିବା ୪୦ ଲକ୍ଷ ଟଙ୍କାକୁ ଆଜି ଜନସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେଥିରୁ ୩୦ ଲକ୍ଷ ଟଙ୍କା ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଇଥିବା ବେଳେ ୧୦ ଲକ୍ଷ ଟଙ୍କା ଜିଲ୍ଲା ରେଡକ୍ରସ୍ ପାଣ୍ଠିକୁ ଦେଇଛନ୍ତି । ମୌସୁମୀଙ୍କର ଏହି ମହାନତାକୁ ରାଜ୍ୟବ୍ୟାପୀ ପ୍ରଶଂସା କରାଯାଉଛି । ଅଭିଷେକ ବିବାହର ମାତ୍ର ୮ ଦିନ ପରେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର କଳିଙ୍ଗ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ତାଙ୍କ ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଏୟାର ଲିପ୍ଟ କରି କୋଲକାତା କିମ୍ବା ହାଇଦ୍ରାବାଦ ନେବା ଆବଶ୍ୟକ ହୋଇଥିଲା ।

ତେବେ ପରିବାର ପାଖରେ ଏତେ ସମ୍ବଳ ନଥିଲା । ହାତରୁ ମେହେନ୍ଦି ପାଦରୁ ଅଳତା ଲିଭିନଥିବା ତାଙ୍କର ନବ ବିବାହିତା ସ୍ତ୍ରୀ ମୌସୁମୀ ମହାନ୍ତି ସ୍ୱାମୀଙ୍କ ଚିକିତ୍ସା ପାଇଁ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ କରିଥିବା ଆକୁଳ ନିବେଦନ ସେଦିନ ସମସ୍ତଙ୍କୁ ମ୍ରିୟମାଣ କରିଥିଲା । ଦେଶ ବିଦେଶରୁ ବହୁ ବଦାନ୍ୟ ବ୍ୟକ୍ତି ତାଙ୍କୁ ସହାୟତା ପାଇଁ ଆଗେଇ ଆସିଥିଲେ । ସହାୟତା ଆକାରରେ ତାଙ୍କୁ ପ୍ରାୟ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ମିଳିଥିଲା । ତେଣୁ ଅଭିଷେକଙ୍କୁ ଏୟାର ଲିଫ୍ଟ ଯୋଗେ କୋଲକାତା ନିଆଯାଇଥିଲା । ବ୍ୟୟବହୁଳ ଏକ୍‌ମୋ ଚିକିତ୍ସାରେ ୩ ମାସରୁ ଊର୍ଦ୍ଧ୍ୱକାଳ ରହି ଅଭିଷେକ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ସଂସାରକୁ ବୁଝିବା ଆଗରୁ ସେହି ସ୍ୱାମୀହରା ଯୁବତୀ ମୌସୁମୀଙ୍କର ଆଜି ଅନ୍ୟ ଏକ ବଦାନ୍ୟତା ମୂଳକ କାର୍ଯ୍ୟ ପୁଣି ଥରେ ସମସ୍ତଙ୍କ ହୃଦୟକୁ ଛୁଇଁଛି । ସାମାଜିକ ଗଣମାଧ୍ୟମ ଜରିଆରେ ତାଙ୍କ ସ୍ୱାମୀଙ୍କ ଚିକିତ୍ସା ପାଇଁ ଜନସାଧାରଣଙ୍କ ଠାରୁ ମିଳିଥିବା ରାଶିରୁ ଖର୍ଚ୍ଚ ପରେ ବଳକା ୪୦ ଲକ୍ଷ ଟଙ୍କାକୁ ସେ ସେହି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ୩୦ ଓ ୧୦ ଲକ୍ଷ ଟଙ୍କାର ଦୁଇଟି ଚେକ୍ ଆଜି ସେ ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କୁ ପ୍ରଦାନ କରିଛନ୍ତି । ମୌସୁମୀଙ୍କର ବାପଘର ତରଫରୁ ଭଦ୍ରକର ରୋଟାରିଆନ୍ ଅତିସ୍ କୁମାର ବେହେରା ଓ ଆଇନ୍‌ଜୀବୀ ଧୀରେନ୍ଦ୍ର ରାୟ ଜିଲ୍ଲା ପ୍ରଶାସନ ସହ ପରାମର୍ଶ କରି ଏହି କାର୍ଯ୍ୟର ଆୟୋଜନ କରିଥିଲେ । ଆଜି ଚେକ୍ ପ୍ରଦାନବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସେମାନେ ଉପସ୍ଥିତ ଥିଲେ । ମୌସୁମୀଙ୍କ ବାପା ଚିତ୍ତରଞ୍ଜନ ମହାନ୍ତି, ଭାଇ ଅନ୍ନଦା ଶଙ୍କର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking