27.1 C
Bhubaneswar
Friday, March 29, 2024
Homeଓଡିଶାଶ୍ରୀ ଜଗନ୍ନାଥଙ୍କ ଅର୍ଥ ଫେରାଇବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରକାର

ଶ୍ରୀ ଜଗନ୍ନାଥଙ୍କ ଅର୍ଥ ଫେରାଇବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରକାର

ଭୁବନେଶ୍ୱର: ଦେବାଳିଆ ହୋଇପଡିଥିବା ୟେସ ବ୍ୟାଙ୍କରେ ପୁରୀ ଶ୍ରୀ ଜଗନ୍ନାଥଙ୍କ ଅର୍ଥ ଜମା ରହିବା ଘଟଣାକୁ ନେଇ ରାଜନୀତି ଜୋରଧରିଛି । ଶ୍ରୀଜଗନ୍ନାଥଙ୍କର ୫ଶହ ୪୫ କୋଟି ଟଙ୍କା ଏହି ବ୍ୟାଙ୍କରେ ଜମା ରହିଛି । ଉକ୍ତ ଅର୍ଥ ଫେରିପାଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଫଳରେ ରାଜନୈତିକ ଦଳ ଓ ସଙ୍ଗଠନ ଏହାକୁ ନେଇ ସରକାରଙ୍କୁ ଘେରିବାରେ ଲାଗିଛନ୍ତି । ଏଣୁ ଏହି ଅର୍ଥ ଫେରିପାଇବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଚିଠି ଲେଖିଛନ୍ତି ।

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଶ୍ରୀ ପୂଜାରୀ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ସମଗ୍ର ବିଶ୍ୱରେ ପୁରୀ ପ୍ରସିଦ୍ଧ । ହିନ୍ଦୁ ଭକ୍ତମାନଙ୍କ ପାଇଁ ଏହି ମନ୍ଦିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ହିନ୍ଦୁ ମାନେ ଏହାକୁ ଏକ ଧାର୍ମିକସ୍ଥଳ ଭାବରେ ଗ୍ରହଣ କରିଥାଆନ୍ତି । ଶ୍ରୀମନ୍ଦିରର ପ୍ରଶାସନ ,ପରିଚାଳନା ଓ ଦୈନନ୍ଦିନ କାର୍ଯ୍ୟର ଦାୟିତ୍ୱ ଶ୍ରୀ ଜଗନ୍ନାଥ ପରିଚାଳନା କମିଟିକୁ ଦିଆଯାଇଛି । ୧୯୫୪ ଶ୍ରୀଜଗନ୍ନାଥ ଆଇନର ବ୍ୟବସ୍ଥା ଅନୁସାରେ ଏହି ଦାୟିତ୍ୱ ଦିଆଯାଇଛି । ଶ୍ରୀ ଜିଉଙ୍କର ଦୈନନ୍ଦିନ କାର୍ଯ୍ୟ ଏହି କମିଟି କରିଥାଏ । ଶ୍ରୀ ଜଗନ୍ନାଥ ମନ୍ଦିରର ବିଭିନ୍ନ ପ୍ରକାରର ଅର୍ଥ ରହିଛି । ପ୍ରତିଷ୍ଠାତା ପାଣ୍ଠି,କର୍ପସ ପାଣ୍ଠି ଓ ମନ୍ଦିର ପାଣ୍ଠିରେ ଅର୍ଥ ରହିଛି । ଏହାକୁ ପରିଚାଳନା କମିଟି ତଦାରଖ କରିଥାଏ । ଏହି ପାଣ୍ଠିରୁ ୫ଶହ ୪୫କୋଟି ଟଙ୍କା ୟେସ ବ୍ୟାଙ୍କର ପୁରୀ ଶାଖାରେ ସ୍ଥାୟୀ ଜମା କରାଯାଇଛି ।
New Doc 2020-03-07 19.34.16.pdf.pdf
ଜମା ହୋଇଥିବା ଅର୍ଥର ମିଆଦ ୨୦୨୦ମାର୍ଚ୍ଚରେ ଶେଷ ହେଉଛି । କିନ୍ତୁ ଏହା ଭିତରେ ୟେସ ବ୍ୟାଙ୍କର କାର୍ଯ୍ୟ ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିଛନ୍ତି । ବ୍ୟଙ୍କରୁ ଟଙ୍କା ଉଠାଇବା ଉପରେ ରିଜର୍ଭ ବ୍ୟାଙ୍କ କେତେକ କଟକଣା ଜାରି କରିଛନ୍ତି । ଶ୍ରୀ ମନ୍ଦିର ପ୍ରଶାସନ ଏକ ଷ୍ଟାଚ୍ୟୁଟାରି ପ୍ରାଧୀକରଣ । ରାଜ୍ୟ ସରକାରଙ୍କ ଆଇନ ଅନୁସାରେ ଏହା କାର୍ଯ୍ୟ କରିଥାଏ । ଶ୍ରୀ ଜଗନ୍ନାଥ ଭକ୍ତଙ୍କର ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ପ୍ରସଙ୍ଗ ।

ଏ କ୍ଷେତ୍ରରେ ପୁରୀ ଶ୍ରୀ ଜଗନ୍ନାଥଙ୍କ କୋଟି କୋଟି ଭକ୍ତଙ୍କ ସ୍ୱାର୍ଥ ଦୃଷ୍ଟିରୁ ଶ୍ରୀ ମନ୍ଦିରର ଯେଉଁ ଜମା ୟେସ ବ୍ୟାଙ୍କରେ ରହିଛି ତାକୁ ତୁରନ୍ତ ପ୍ରଦାନ କରିବା ପାଇଁ ରିଜର୍ଭ ବ୍ୟାଙ୍କକୁ ଅବଶ୍ୟକ ନିର୍ଦ୍ଦେଶନାମା ଦେବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking