28.9 C
Bhubaneswar
Thursday, April 18, 2024
Homeଓଡିଶାହାତୀ ମରି କଙ୍କାଳ ହେବା ପର୍ଯ୍ୟନ୍ତ ଜାଣିପାରୁନି ବନ ବିଭାଗ

ହାତୀ ମରି କଙ୍କାଳ ହେବା ପର୍ଯ୍ୟନ୍ତ ଜାଣିପାରୁନି ବନ ବିଭାଗ

ଯାଜପୁର: ହାତୀ ମାରୁଛି ଓ ମରୁଛି। ଉଭୟ ଘଟଣାରେ କେହି ନିଜର ଦୋଷ ସ୍ବୀକାର କରିବା ପାଇଁ ପ୍ରସ୍ତୁତ ନୁହନ୍ତି। କେନ୍ଦୁଝର ଜିଲ୍ଲାରେ କେବେ ଟ୍ରେନ୍‌ ଧକ୍କାର ହାତୀଙ୍କ ମୃତ୍ୟୁ ଘଟୁଛି ତ ଆଉକେବେ ବିଦ୍ୟୁତ୍‌ ଆଘାତରେ ଜୀବନ ଯାଉଛି। ରେଳବାଇ ଓ ବିଦ୍ୟୁତ୍‌ ବିଭାଗ ଆଡ଼କୁ ଦୋଷ ଠେଲି ବନ ବିଭାଗ ହାତଝାଡ଼ି ବସିଯାଉଛି। ସତେ ଯେମିତି ହାତୀ ମଲେ ବନ ବିଭାଗ ଦାୟୀ ନୁହେଁ। ଗତକାଲି କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ରଜିଆ ଗାଁ ନିକଟ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରେ ଏକ ମାଈହାତୀର ଗଳିତ ଶବ ମିଳିଥିଲା। ମୃତହାତୀର ବୟସ ପ୍ରାୟ ୨୦ ବର୍ଷ ।

ଏହି ଜଙ୍ଗଲ ମଧ୍ୟରେ ୩୩ କେଭି ବିଦ୍ୟୁତ୍ ତାର ଯାଇଛି। ବିଦ୍ୟୁତ୍‌ ଖୁଣ୍ଟର ଷ୍ଟେ ତାରରେ ଇନ୍‌ସୁଲେଟର ନ ଥିଲା। ହାତୀ ଗୋଡ଼ରେ ଇନ୍‌ସୁଲେଟର ନଥିବା ତାର ଲାଗିବାରୁ ମୃତ୍ୟୁ ଘଟିଥିବା ବନ ବିଭାଗ ତରଫରୁ କୁହାଗଲା। ବିଦ୍ୟୁତ୍‌ ବିଭାଗର ଅବହେଳା ପାଇଁ ଏଭଳି ଘଟଣା ଘଟିଲା ବୋଲି ଅଙ୍ଗୁଳି ଦେଖାଇ ଦିଆଗଲା। ହାତୀଟି ପ୍ରାୟ ୧୫ ଦିନ ପୂର୍ବରୁ ମରିଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଇଛି। ଏଠାରେ ପ୍ରଶ୍ନ ହେଉଛି ଏତେ ଦିନ ପର୍ଯ୍ୟନ୍ତ ହାତୀ ମରିଥିବା ସଂପର୍କରେ ବନ ବିଭାଗ ଜାଣିପାରିଲା ନାହିଁ କିପରି ?

ହାତୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ସୁଚିନ୍ତିତ ନକ୍ସା ପ୍ରସ୍ତୁତ କରୁଛି। ହାତୀଙ୍କ ଗତିପଥ ଜାଣିବା ପାଇଁ ଟ୍ରାକିଂ କରାଯାଉଛି। ଡ୍ରୋନ୍‌ କ୍ୟାମେରା ବ୍ୟବହାର ହେଉଛି। ହାତୀ ସ୍କ୍ବାଡ୍‌ ନିୟୋଜିତ ଥିବା ବେଳେ ଗାଁ ଗାଁରେ ଗଜସାଥୀ ଅଛନ୍ତି। ତଥାପି ହାତୀ ମରିବାର ୧୫ ଦିନ ପର୍ଯ୍ୟନ୍ତ ସାମାନ୍ୟ ସୂଚନା ମିଳିପାରୁନି। ଗାଁ ଲୋକ ଦେଖି ସୂଚନା ଦେଲେ ଯାଇ ବନ ବିଭାଗ ଜାଣିପାରୁଛି। ମୂଳକଥା ହେଉଛି ଯାହା ସବୁ ବ୍ୟବସ୍ଥା ହେଉଛି କେବଳ କାଗଜପତ୍ରରେ ସୀମିତ। ହାତୀ ସୁରକ୍ଷା ନେଇ ଗୋଲାପି ଚିତ୍ର ଆଙ୍କି ବଡ଼ବଡ଼ିଆ ବାବୁ ସୁଖନିଦ୍ରାରେ ଏବଂ ବଡ଼ଙ୍କ ପଥ ଅନୁସରଣ କରି ତଳିଆ କର୍ମଚାରୀ ବି ଅଚିନ୍ତାରେ। ହାତୀ ଟ୍ରାକିଂ କେବଳ ୱାଟ୍‌ସଆପ୍‌ ବାର୍ତ୍ତାରେ ସୀମିତ ରହୁଥିବା ବେଳେ ଜଙ୍ଗଲ ହେଉ କି ଜନପଦ ହାତୀଙ୍କ ପାଇଁ ମୃତ୍ୟୁଯନ୍ତା ପାଲଟିଛି। ୨୦୧୨-୧୩ରୁ ୨୦୨୧-୨୨ମଧ୍ୟରେ ରାଜ୍ୟରେ ବିଦ୍ୟୁତ୍ ଆଘାତରେ ୧୦୪ଟି ହାତୀ ମରିଛନ୍ତି।

ସେ ମଧ୍ୟରୁ ୬୧ଟି ହାତୀଙ୍କୁ ବିଦ୍ୟୁତ୍ ତାର ବିଛାଯାଇ ହତ୍ୟା କରାଯାଇଛି। ସେହିପରି ଟ୍ରେନ୍‌ ଧକ୍କାରେ ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୪୦ଟି ହାତୀଙ୍କ ମୃତ୍ୟୁ ଘଟିଛି। ଏହି ହାତୀ ମୃତ୍ୟୁ ଘଟଣାରେ କେନ୍ଦୁଝର ଜିଲ୍ଲାର ବଡ଼ଭାଗ ରହିଛି। ଗତ ୭ ବର୍ଷ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ୪୧ ହାତୀଙ୍କ ମୃତ୍ୟୁ ଘଟିଛି। ୨୦୧୭-୧୮ରେ ଦୁଇଟି ହାତୀ ପ୍ରାଣ ହରାଇଥିବା ବେଳେ ୨୦୧୮-୧୯ରେ ୩ଟି, ୨୦୧୯-୨୦ରେ ୬ଟି ହାତୀ, ୨୦୨୦-୨୧ରେ ୭ଟି, ୨୦୨୧-୨୨ରେ ୭ଟି ହାତୀ, ୨୦୨୨-୨୩ରେ ୧୧ଟି ହାତୀଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦୨୩-୨୪ ମାର୍ଚ୍ଚରୁ ଏଯାଏ ୫ଟି ହାତୀ ପ୍ରାଣ ହରାଇଛନ୍ତି। ଏଥିରୁ ଅଧିକାଂଶ ହାତୀ ବିଦ୍ୟୁତ୍ ଆଘାତ ଓ ଟ୍ରେନ୍ ଧକ୍କାରେ ପ୍ରାଣ ହରାଇଛନ୍ତି।

୨୦୨୨ ଅଗଷ୍ଟ ୨୫ରେ କେନ୍ଦୁଝର ଜୁଡ଼ିଆ ଫାର୍ମରେ ବିଦ୍ୟୁତ୍ ଆଘାତରେ ଦୁଇଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ଜଙ୍ଗଲୀ ଲତା ଖାଇବାକୁ ଆସିଥିବା ବେଳେ ହାତୀ ଦୁଇଟି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇ​ଲେ। ୨୦୨୩ ନଭେମ୍ବର ୧୦ ରେ ତେଲକୋଇ ରେଞ୍ଜ ସଲେଇକେନା ଭାଡ଼ିମରା ଜୁଆଙ୍ଗସାହିରେ ଏକ ଦନ୍ତାହାତୀ ବିଦ୍ୟୁତ୍ ଫାଶରେ ପଡ଼ି ପ୍ରାଣ ହରାଇଥିବା ବେଳେ ନ​ଭେମ୍ବର ୧୯ ତାରିଖରେ ବିଦ୍ୟୁତ୍ ଆଘାତରେ ଆକୁଳରେ ଏକ ଛୁଆହାତୀର ମୃତ୍ୟୁ ଘଟିଥିଲା।

ସେହିପରି ଗତକାଲି ଚମ୍ପୁଆ ରେଞ୍ଜ କାଳିକାପ୍ରସାଦ ନିକଟରୁ ଏକ ମାଈହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ହାତୀଟି ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହି ହାତୀମୃତ୍ୟୁ ପାଇଁ ବିଦ୍ୟୁତ୍‌ ବିଭାଗର ଅବହେଳାକୁ ଦାୟୀ କରିଛି ବନ ବିଭାଗ। ଜଙ୍ଗଲ ମଧ୍ୟରେ ଯାଇଥିବା ୩୩କେଭି ବିଦ୍ୟୁତ୍‌ ଖୁଣ୍ଟର ​ଷ୍ଟେ ତାରରେ ଇନ୍‌ସୁଲେଟର କାହିଁକି ନଥିଲା ? ବିଦ୍ୟୁତ୍‌ ବିଭାଗର ଅବହେଳା ଜଳଜଳ ହୋଇ ଦିଶୁଛି। ଅପରପକ୍ଷରେ ହାତୀ ମରି କଙ୍କାଳ ହେବା ପର୍ଯ୍ୟନ୍ତ ଜାଣିନପାରିବା କାରଣରୁ ବନ ବିଭାଗ କିଭଳି ହାତୀ ଗତିବିଧି ଉପରେ ନଜର ରଖୁଛି ସ୍ପଷ୍ଟ ହୋଇଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking