ଭୁବନେଶ୍ୱର : ସମ୍ବାଦର ପୂର୍ବତନ ପ୍ରକାଶକ ସ୍ୱର୍ଗତଃ ବିଜୟ କୁମାର ପଟ୍ଟନାୟକଙ୍କ ଆଦର୍ଶ, ସାମାଜିକ କାର୍ଯ୍ୟକ୍ରମ ଏବଂ ଆର୍ଥିକ ଅନଗ୍ରସର ଲୋକମାନଙ୍କୁ ସାହାଯ୍ୟ ସହଯୋଗର ଚିନ୍ତାଧାରା ଆଦି କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ଏବଂ ଏହି ସମାଜସେବା କାମକୁ ଉଜ୍ଜିବୀତ ରଖିବା ପାଇଁ ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ଟ୍ରଷ୍ଟ ଗଠନ କରିବା ପାଇଁ , ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡାର ମାନ୍ୟବର ବିଧାୟକ ସୈାମ୍ୟ ରଞ୍ଜନ ପଟ୍ଟନାୟକ ଘୋଷଣା କରିଥିଲେ । ଏହି ଘୋଷଣାନାମା ଅନୁଯାୟୀ ବିଜୟ କୁମାର ପଟ୍ଟନାୟକ ମେମୋରିଆଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପଞ୍ଜୀକୃତ ହୋଇଛି । ଏହାର ପ୍ରଥମ ବୈଠକ ଗତକାଲି ସିଆରପି ଛକ ସ୍ଥିତ ଶ୍ରୀ ସଙ୍କଟମୋଚନ ହନୁମାନ ମନ୍ଦିର ପରିସରରେ ଟ୍ରଷ୍ଟର ଅଧକ୍ଷ ସୈାମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୪ ଗୋଟି କ୍ଷେତ୍ରର ମୋଟ ୫ ଜଣଙ୍କୁ ବିଜୟ ପଟ୍ଟନାୟକଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସମ୍ମାନିତ କରାଯିବା ପାଇଁ ସ୍ଥିର କରାଗଲା । ଏହି ଅବସରରେ ଟ୍ରଷ୍ଟ ତରଫରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶ୍ରୀ ଅଜୟ କୁମାର ପଟ୍ଟନାୟକଙ୍କ ଦ୍ୱାରା ରଚିତ ଜଗନ୍ନାଥ ଜଣାଣ ‘ଘଣ୍ଟ ବାଜୁଛ’ି କୁ ଶ୍ରୀ ସୈାମ୍ୟ ରଞ୍ଜନ ପଟ୍ଟନାୟକ ଲୋକାର୍ପଣ କରିଥିଲେ । ପ୍ରାରମ୍ଭରେ ମ୍ୟାନେଜିଙ୍ଗ ଟ୍ରଷ୍ଟି ଅଜୟ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଟ୍ରଷ୍ଟର କାର୍ଯ୍ୟକ୍ରମ ବିଷୟରେ ସମ୍ୟକ ସୂଚନା ଦେଇଥିଲେ । ଅନ୍ୟତମ ଟ୍ରଷ୍ଟି ଆଶିଷ କୁମାର ମହାନ୍ତି ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ନିଆଯିବାକୁ ଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ଟ୍ରଷ୍ଟି ମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଡ. ସ୍ୱରୁପ ପଟ୍ଟନାୟକ ସଂଚାଳନ କରିଥିଲେ । ଶେଷରେ ଡ. ଶାନ୍ତନୁ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମସ୍ତ ସଭ୍ୟ ଓ ଜଗନ୍ନାଥ ପ୍ରେମୀ ଯୋଗ ଦେଇଥିଲେ ।