33.1 C
Bhubaneswar
Wednesday, April 24, 2024
Homeଓଡିଶାଡେଙ୍ଗୁ ପାଇଁ ‘ଡ୍ରାଏ ଡେ’ ଅଭିଯାନ ଆରମ୍ଭ

ଡେଙ୍ଗୁ ପାଇଁ ‘ଡ୍ରାଏ ଡେ’ ଅଭିଯାନ ଆରମ୍ଭ

ଭୁବେନଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସହରର ତିନିଜୋନ୍‌ରେ ଡ୍ରାଏ ଡେ ଅଭିଯାନର ଶୁଭାରମ୍ଭ କରାଯାଇଛି । ରାଜଧାନୀରେ ଡେଙ୍ଗୁ ଜ୍ୱର ବ୍ୟାପିବା ନେଇ ବିଏମ୍‌ସିକୁ ବିଭିନ୍ନ ମହଲରେ ସମାଲୋଚନା କରାଯିବା ପରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ ପୂର୍ବକ ସପ୍ତାହକୁ ୨ଦିନ ଡ୍ରାଏ ଡେ ପାଳନ ପାଇଁ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ଗୁରୁବାର ଆରମ୍ଭ ହୋଇଥିବା ଅଭିଯାନରେ ମେୟର ସୁଲୋଚନା ଦାସ, କମିଶନର ବିଜୟ ଅମୃତା କୁଲୋଙ୍ଗ, ସ୍ଥାନୀୟ କର୍ପୋରେଟର ଏବଂ ବିଏମ୍‌ସିର ପରିମଳ ଟିମ୍ ସାମିଲ ହୋଇଥିଲେ । ଦକ୍ଷିଣ-ପୂର୍ବଜୋନ୍‌ର ନୟାପଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ପଦଯାତ୍ରା ଏବଂ ଗୃହ ପରିଦର୍ଶନ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ମେୟର ଶ୍ରୀମତୀ ଦାସ ଶୁଭାରମ୍ଭ କରିଥିଲେ । ନୟାପଲ୍ଲୀ ବେହେରା ସାହି ଛକ ନିକଟସ୍ଥ ଶ୍ରୀକୃଷ୍ଣ କ୍ଲବ୍ ସମ୍ମୁଖରୁ ପଦଯାତ୍ରା ବାହାରି ବେହେରା ସାହି, ଗଡ଼ସାହି, ମମତାଜଅଲ୍ଲୀ ଉଚ୍ଚ ବିଦ୍ୟାଳୟ ପ୍ରମୁଖ ନୟାପଲ୍ଲୀର ଆଖପାଖ ଅଞ୍ଚଳକୁ ଯାଇଥିଲା ।

ସମାନ ସମୟରେ ଉତ୍ତର ଜୋନ୍ ଅନ୍ତର୍ଗତ ୮ ନମ୍ବର ୱାର୍ଡ଼ର ଚନ୍ଦ୍ରେଶଖରପୁର ପେଟ୍ରୋଲ୍ ପମ୍ପ୍ ନିକଟରୁ ବିଏମ୍‌ସି କମିଶନରଙ୍କ ଦ୍ୱାରା ପଦଯାତ୍ରା ଆରମ୍ଭ କରାଯାଇଥିଲା । ଏହି ପଦଯାତ୍ରା ଡିଷ୍ଟ୍ରିକ୍ଟ ସେଣ୍ଟରରୁ ହାଉସିଂ ବୋର୍ଡ଼ ପର୍ଯ୍ୟନ୍ତ ଯାଇ ଚନ୍ଦ୍ରେଶଖରପୁର ରାଧାକୃଷ୍ଣ ବସ୍ତି ଅତିକ୍ରମ କରିଥିଲା । ସମାନ ଭାବେ ଦକ୍ଷିଣ-ପୂର୍ବ ଜୋନର ମଙ୍ଗଳା ବସ୍ତିର ବିଭିନ୍ନ ପରିବାରର ଗୃହ ପରିଦର୍ଶନ ଏବଂ ନିକଟବର୍ତ୍ତୀ ସ୍ଥାନ ଗୁଡ଼ିକର ଡେଙ୍ଗୁ ଦମନ ଜନିତ ଡ୍ରାଏ ଡେ ପଦଯାତ୍ରା ପାଳନ କରାଯାଇଛି । ପଦଯାତ୍ରରେ ପାଣି ଜମିଥିବା ସ୍ଥାନ ଏବଂ ପାତ୍ର ଗୁଡ଼ିକୁ ନିରୀକ୍ଷଣ କରି ଏଥିରେ ଲାର୍ଭା ଅଛି କି ନାହିଁ ତାହା ଚିହ୍ନଟ କରିବା ଏବଂ ଏହାକୁ ତୁରନ୍ତ ନଷ୍ଟ କରିବା ଦିଗରେ ଗୁରୁତ୍ୱ ଦିଆଯାଇଥିଲା ।

ତେବେ ପଦଯାତ୍ରା କାଳରେ ଡେଙ୍ଗୁର କାରଣ ଓ ନିରାକରଣ ସମ୍ପର୍କରେ ଅଧିକାରୀମାନେ ସଚେତନ କରାଇଥିଲେ । ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ଡେଙ୍ଗୁ ନିରାକରଣ ବାର୍ତ୍ତା ଦିଆଯାଇ ନିଜ ଦୋକାନର ଆଖପାଖରେ କୌଣସି ପାତ୍ର ଏବଂ ବର୍ଜ୍ୟବସ୍ତୁ ନପକାଇବାକୁ କୁହାଯାଇଛି । ଗୁରୁବାର ଆୟୋଜିତ ପଦଯାତ୍ରାରେ ସମସ୍ତ ୩ଟି ଜୋନର ପାଖାପାଖି ଦୁଇହଜାର ପରିବାରକୁ ସଚେତନ କରାଯିବା ସହ ୬୦ରୁ ଉର୍ଦ୍ଧ୍ୱ ମଶା ଲାର୍ଭା ଉତ୍ସ ନଷ୍ଟ କରିଛନ୍ତି । ଅଭିଯାନରେ ଡେପୁଟି କମିଶନର(ପରିମଳ) ଶୁଭେନ୍ଦୁ କୁମାର ସାହୁ, ଜୋନାଲ ଡେପୁଟି କମିଶନର ରବିନାରାୟଣ ଜେଠୀ ଏବଂ ଜୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନ୍ତର୍ଯ୍ୟାମୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱଚ୍ଛସାଥୀ, ସ୍ୱଚ୍ଛକର୍ମୀ, ବରିଷ୍ଠ ନାଗରିକ ସଂଘ, ଆବାସିକ କଲ୍ୟାଣ ସଂଘ ଏବଂ ମହିଳା ସ୍ୱୟଂସହାୟିକା ଗୋଷ୍ଠୀର ସଦସ୍ୟା ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking