ସୁନ୍ଦରଗଡ଼ ପ୍ରଶାସନ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ: ହୋଟେଲ ମ୍ୟାନେଜମେଂଟ୍‌ରେ ଶିକ୍ଷା ଓ ତାଲିମ ପାଇଁ ନାମ ଲେଖାଇଲେ ଜିଲ୍ଲାର ଯୁବକ ଯୁବତୀ

ସୁନ୍ଦରଗଡ଼, ୬ ନଭେମ୍ବର ୨୦୨୦: କୋଭିଡ୍ ମହାମାରୀ ପାଇଁ ପ୍ରବାସରୁ ଫେରି ଆସିଥିବା ବ୍ୟକ୍ତି ତଥା ଜିଲ୍ଲାର ବେକାର ଯୁବକ ଯୁବତୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି । ଚଳିତ ଶିକ୍ଷା ବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗୀରସ୍ଥିତ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଂଟରେ ଜିଲ୍ଲାର ୧୭ ଜଣ ଯୁବକ ଯୁବତୀ ବିଭିନ୍ନ ବିଭାଗରେ ନାମ ଲେଖାଇଛନ୍ତି । ସେମାନଙ୍କର ନାମ ଲେଖା ଏବଂ ହଷ୍ଟେଲ ବାବଦ ସମସ୍ତ ଦେୟ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠିରୁ ପ୍ରଦାନ
କରାଯିବ । ଜିଲ୍ଲାର ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିକଟରେ ଏହି କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା । ଏଥିପାଇଁ ପ୍ରଶାସନ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସଂପୃକ୍ତ ଶିକ୍ଷାନୁଷ୍ଠାନ ସହ ଅକ୍ଟୋବର ୭ ତାରିଖରେ ଏମଓୟୁ ସ୍ୱାକ୍ଷର କରିଥିଲା । ରାଜ୍ୟର ଏହି ଅଗ୍ରଣୀ ହୋଟେଲ ମ୍ୟାନେଜମେଂଟ ଶିକ୍ଷାନୁଷ୍ଠାନରେ ଡିଗ୍ରୀ,
ଡିପ୍ଲୋମା ଏବଂ ସାର୍ଟିଫିକେଟ ପାଠ୍ୟକ୍ରମ ରହିଛି । ସେଠାରେ ସୁନ୍ଦରଗଡ଼ ଜିଲ୍ଲାର ଯୁବକ ଯୁବତୀମାନଙ୍କ ପାଇଁ ମାଗଣାରେ ଶିକ୍ଷା ଓ ତାଲିମ ନେବାର ସୁଯୋଗ ସୃଷ୍ଟି ହୋଇଛି । ପ୍ରଥମ ପର୍ଯ୍ୟାୟରେ ଡିଗ୍ରୀରେ ୪ ଜଣ, ଡିପ୍ଲୋମାରେ ୧୧ ଜଣ ଏବଂ ସାର୍ଟିଫିକେଟ କୋର୍ସରେ ୨ ଜଣ ନାମ ଲେଖାଇଛନ୍ତି । ସେମାନଙ୍କ ନାମଲେଖା ଏବଂ ହଷ୍ଟେଲ ବାବଦ ସମସ୍ତ ଖର୍ଚ୍ଚ ପ୍ରଶାସନ ବହନ କରିବ । ସେହିପରି ପ୍ରତ୍ୟେକଙ୍କୁ ବାର୍ଷିକ ଅତିରିକ୍ତ ୫ ହଜାର ଟଙ୍କାର ସହାୟତା ମଧ୍ୟ ପ୍ରଦାନ କରାଯିବ । ଡିପ୍ଲୋମା ଏବଂ ସାର୍ଟିଫିକେଟ ପାଠ୍ୟକ୍ରମରେ ନାମଲେଖାର
ଶେଷ ତାରିଖ ନଭେମ୍ବର ୩୦ ଚଳିତ ବର୍ଷ ଡିଗ୍ରୀ ପାଠ୍ୟକ୍ରମ ପାଇଁ ନାମଲେଖା ଶେଷ ହୋଇଥିବା ବେଳେ ଡିପ୍ଲୋମା ଏବଂ ସାର୍ଟିଫିକେଟ କୋର୍ସ ପାଇଁ ନାମ ଲେଖାର ଶେଷ ତାରିଖ
ନଭେମ୍ବର ୩୦ ରହିଛି । ତେଣୁ ଡିପ୍ଲୋମା ପାଇଁ ଯୁକ୍ତ ୨ ପାସ୍ କରିଥିବା ଏବଂ ସାର୍ଟିଫିକେଟ ପାଠ୍ୟକ୍ରମ ପାଇଁ ମାଟ୍ରିକ ପାସ୍ କରିଥିବା ଜିଲ୍ଲାର ଆଗ୍ରହୀ ପ୍ରବାସୀ ତଥା ବେକାର ଯୁବକ ଯୁବତୀମାନେ ନିଜ ବ୍ଲକ ଅଫିସ୍‌ କିମ୍ବା ସୁନ୍ଦରଗଡ଼ସ୍ଥିତ ଡିଏମଏଫ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ । ଡିପ୍ଲୋମା ଏବଂ ସାର୍ଟିଫିକେଟ ଉଭୟ ପାଠ୍ୟକ୍ରମ ପାଇଁ
ସାଧାରଣ ବର୍ଗ ଲାଗି ବୟସ ସୀମା ୨୫ ରହିଥିବା ବେଳେ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୨୮ ରହିଛି । ଆଗ୍ରହୀ ବ୍ୟକ୍ତିମାନେ ଏ ବାବଦରେ ଅଧିକ ସୂଚନା ପାଇଁ ଜିଲ୍ଲା ହେଲ୍ପଲାଇନ ନମ୍ବର ୦୧୧ – ୪୧୧୮୨୧୩୮ କିମ୍ବା ୧୮୦୦ ୩୪୫ ୭୪୬୧ରେ ମଧ୍ୟ ଯୋଗାଯୋଗ କରିପାରିବେ ।

LEAVE A REPLY

Please enter your comment!
Please enter your name here