27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶତାଲିବାନ ଅକ୍ତିଆର ପରେ କାବୁଲର ବର୍ତ୍ତମାନ ପରିସ୍ଥିତି

ତାଲିବାନ ଅକ୍ତିଆର ପରେ କାବୁଲର ବର୍ତ୍ତମାନ ପରିସ୍ଥିତି

ଭୁବନେଶ୍ୱର: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଥଇଥାନ ପ୍ରକ୍ରିୟା ଚାଲିଛି । ଦୋହା ଦେଇ ୧୬୮ ଭାରତୀୟ ନାଗରିକଙ୍କୁ ନେଇ ଏକ ବାୟୁସେନା ବିମାନ ଆଜି ଗାଜିଆବାଦରେ ହିନ୍ଦନ ଏୟାରବେସରେ ପହଞ୍ଚିଛି । ଏହି ବିମାନଟି ସକାଳେ ନିଜେ କାବୁଲରୁ ଭାରତ ଅଭିମୁଖେ ଯାତ୍ରା କରିଥିଲା । ଦୂତାବାସ ଦ୍ୱାରା ଏହି ସୂଚନା ଦିଆଯାଇଛି । ତାଲିବାନୀ ଆତଙ୍କବାଦୀମାନେ ବିମାନବନ୍ଦରକୁ ଆସିବାକୁ ଦେଉ ନଥିଲେ । ସେଠାରୁ ଆସିଥିବା ସାଂସଦ ନରେନ୍ଦର ସିଂ ଖାଲସା ନିଜ କୋହ ରୋକି ପାରିନଥିଲେ ଓ କହିଥିଲେ ଯେ ଯାହା ଗତ ୨୦ ବର୍ଷରେ ହୋଇଥିଲା ତାହା ସବୁ ନଷ୍ଟ ହୋଇଗଲା । ଭାରତୀୟ ବାୟୁସେନାର ଏକ ସାମରିକ ପରିବହନ ବିମାନ ଆଜି ସକାଳେ ୮୭ ଜଣ ଭାରତୀୟ ଏବଂ ଦୁଇ ନେପାଳ ନାଗରିକଙ୍କୁ ନେଇ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛି। ବିମାନରେ ପହଞ୍ଚିବା ପରେ ଏହି ସମସ୍ତ ଭାରତୀୟମାନେ ‘ଭାରତ ମାତା କି ଜୟ’ ସ୍ଲୋଗାନ ଦେଉଥିଲେ ।

ଏହାପୂର୍ବରୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟ୍ୱିଟ କରି କହିଛନ୍ତି ଯେ, ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାକୁ ସରକାର ନିରନ୍ତର ଚେଷ୍ଟା କରୁଛନ୍ତି । ତାଜିକିସ୍ତାନରୁ ୮୭ ଜଣ ଭାରତୀୟଙ୍କୁ ନେଇ ଏକ ବିମାନ ନୂଆଦିଲ୍ଲୀରେ ପହଞ୍ଚିଛି । ଏଥିରେ ଦୁଇଜଣ ନେପାଳୀ ନାଗରିକ ଅଛନ୍ତି । ଉଲ୍ଲେଖନୀୟ କଥା ହେଉଛି, ଏକ ସପ୍ତାହ ପୂର୍ବରୁ ତାଲିବାନ କାବୁଲକୁ କବଜା କରିବା ପରେ ଆଫଗାନିସ୍ତାନର ରାଜଧାନୀରେ ପରିସ୍ଥିତି ଅଧିକ ଖରାପ ହେବାରେ ଲାଗିଛି । ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ନାଗରିକମାନଙ୍କୁ ସେଠାରୁ ସ୍ଥାନାନ୍ତର କରିବାରେ ବ୍ୟସ୍ତ ଅଛନ୍ତି ।
ଗତ ରବିବାର ତାଲିବାନ କାବୁଲକୁ କବଜା କରିବା ପରେ ଭାରତ ଆଫଗାନିସ୍ତାନର ରାଜଧାନୀରୁ ଭାରତୀୟ ରାଷ୍ଟ୍ରଦୂତ ଏବଂ ଅନ୍ୟ ଦୂତାବାସ କର୍ମଚାରୀଙ୍କ ସମେତ ୨୦୦ ଲୋକଙ୍କୁ ସ୍ଥାନାନ୍ତର କରିସାରିଛି । ଘଟଣାର ପରଦିନ ସୋମବାର ୪୦ ରୁ ଅଧିକ ଭାରତୀୟଙ୍କୁ ନେଇ ପ୍ରଥମ ବିମାନ ଭାରତରେ ପହଞ୍ଚିଥିଲା । ଏଥି ସହିତ, ଭାରତୀୟ କୂଟନୀତିଜ୍ଞ, ଅଧିକାରୀ ତଥା ସୁରକ୍ଷା କର୍ମୀ ଏବଂ ସେଠାରେ ଠିଆ ହୋଇଥିବା କିଛି ଭାରତୀୟଙ୍କ ସମେତ ପ୍ରାୟ ୧୫୦ ଜଣ ବ୍ୟକ୍ତିଙ୍କ ସହ ଦ୍ୱିତୀୟ ସି -୧୭ ବିମାନ ମଙ୍ଗଳବାର ଭାରତରେ ପହଞ୍ଚିଥିଲା ।

ଏଥି ମଧ୍ୟରେ ଆଫଗାନିସ୍ତାନର କାବୁଲ ଏୟାର ପୋର୍ଟରେ ଦେଖିବାକୁ ମିଳୁଛି ହୃଦୟ ବିଦାରକ ଦୃଶ୍ୟ । ଏୟାରପୋର୍ଟ ବାହାରେ ହଜାର ହଜାର ସଂଖ୍ୟକ ଲୋକ ଛିଡା ହୋଇଛନ୍ତି । କୌଣସି ପ୍ରକାରେ ଆଫଗାନିସ୍ତାନରୁ କେହି ତାଙ୍କୁ ବାହାରକୁ ନେଇଯିବେ ସେଥିପାଇଁ ପ୍ରତୀକ୍ଷା କରିଛନ୍ତି । ବିଶେଷକରି ମହିଳା ଓ ପିଲାମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି । ଏଠାରେ ପିଲାଙ୍କ ପାଇଁ ପାଣି ଏବଂ କ୍ଷୀର ଟିକିଏ ପିଇବାକୁ ବି ମିଳୁନି । ହଜାର ହଜାର ଭାରତୀୟ ନାଗରିକ ଆଫଗାନିସ୍ତାନରୁ ସୁରକ୍ଷିତ ଉଦ୍ଧାର ହୋଇ ସାରିଲେଣି । ତଥାପି ଆହୁରି ହଜାର ହଜାର ଭାରତୀୟ ସେଠାରେ ଫଶି ରହିଛନ୍ତି । ଆଫଗାନିସ୍ତାନ ରାଜଧାନୀ କାବୁଲ ଏୟାରପୋର୍ଟ ବାହାରେ ଅପେକ୍ଷା କରିଥିବା ଏମିତି ଜଣେ ଭାରତୀୟ ମହିଳା ତାଙ୍କ ଅନୁଭୂତି ବଖାଣିଛନ୍ତି ।

ସୂଚନା ଅନୁଯାୟୀ, ମହିଳାଙ୍କର ୩୨ ବର୍ଷୀୟ ଝିଅ ଜଣେ ଆଫଗାନ ନାଗରିକଙ୍କୁ ବିବାହ କରିଥିଲେ । ଏୟାରପୋର୍ଟରେ ତାଙ୍କର ୨ ବର୍ଷର ନାତି ଏବଂ ଝିଅ ତିନି ଦିନ ହେଲା ବସିଛନ୍ତି । ମହିଳା ଜଣକ କହିଛନ୍ତି, ତିନି ଦିନ ପୂର୍ବରୁ ଭାରତୀୟ ଦୂତାବାସରୁ କିଛି ଲୋକ କାବୁଲ ବିମାନ ବନ୍ଦରକୁ ଆସିବାକୁ କହିଥିଲେ । ତେବେ ସାଙ୍ଗରେ କୌଣସି ଜିନିଷ ଆଣିବାକୁ ବାରଣ କରିଥିଲେ । ତିନି ଦିନ ପାଇଁ ସେମାନଙ୍କୁ ବିମାନ ବନ୍ଦରପାଖରେ ଏକ ମ୍ୟାରେଜ ହଲ୍‌ରେ ରଖାଯାଇଛି ଏବଂ ବାହାରକୁ ନ ବାହାରିବା ପାଇଁ କୁହାଯାଇଛି । ଗତ ରାତି ୧୨ଟାରେ ତାଙ୍କୁ ଏକ ବସ୍‌ରେ ଏୟାରପୋର୍ଟ ନିଆଗଲା । ସକାଳ ୧୧ଟା ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରିଥିଲେ । କିଛି ସମୟ ପରେ ତାଲିବାନମାନେ ଆସିଥିଲେ ଏବଂ ୧୫୦ ଜଣଙ୍କୁ ନେଇଗଲେ । ମହିଳା ଜଣକ କହିଛନ୍ତି, ମୋ ଜ୍ୱାଇଁ ପାଖରେ ରହୁଥିଲେ । ସେ ତାଙ୍କର ଛୋଟ ଭାଇକୁ ପଠାଇ ଝିଅକୁ ସେଠାରୁ ନେଇ ଯାଇଥିଲେ । ଦିଲ୍ଲୀରେ ରହୁଥିବା ଏହି ମହିଳା ଜଣକ କହିଛନ୍ତି, ‘ଗୋଟିଏ ପଟେ ସେ ତିନି ଦିନ ହେଲା ସଡକ ଉପରେ ଅଛନ୍ତି । ଛୋଟ ପିଲାଟି ଖାଇବା ପାଇଁ କ୍ଷୀର ଟୋପାଏ ବି ମିଳୁନି । ମୁଁ ଭାରତ ସରକାରଙ୍କୁ ନିବେଦନ କରୁଛି, ସେମାନଙ୍କୁ ସୁରକ୍ଷିତ ଏଠାକୁ ଫେରାଇ ଆଣନ୍ତୁ।

ତେବେ ଏପରି ରହିଛି କାବୁଲରେ ଫଶି ରହିଥିବା ଲୋକଙ୍କର ବର୍ତ୍ତମାନ ପରିସ୍ଥିତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking