ଭଦ୍ରକ: ଭଦ୍ରକର ଐତିହ୍ୟ ଓ ସୁନାମ ସୃଷ୍ଟି କରିଥିବା ଉତ୍ତର ଓଡ଼ିଶାର ପ୍ରାଚୀନ ଏବଂ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ପାଇଁ କେତେକ କର୍ମଚାରୀ ଷଡ଼ଯନ୍ତ୍ର କରୁଥିବା ନେଇ ଆଜି ବହୁ କର୍ମଚାରୀ ଏକ ସମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି । ଭଦ୍ରକର ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇ ଜଣାଇଛନ୍ତି ଯେ, ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟର ପରିଚାଳନାଗତ ବିବାଦ କୋର୍ଟର ବିଚାରାଧୀନ ରହିଛି । ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ସର୍ତ୍ତମୂଳେ ଏହାର ପରିଚାଳନା ଦାୟିତ୍ୱ ପରିଚାଳନା କମିଟିକୁ ପ୍ରଦାନ କରିଛି । ସେହି ସର୍ତ୍ତଗୁଡ଼ିକ ମଧ୍ୟରେ ଗୋଟିଏ ସର୍ତ୍ତ ରହିଛି ଯେ ପରିଚାଳନା କମିଟି ପ୍ରତିମାସ ୭ ତାରିଖ ମଧ୍ୟରେ କର୍ମଚାରୀଙ୍କୁ ଦରମା ପଇଠ କରିବ ।
ଯାହାକୁ ପରିଚାଳନା କମିଟି ପାଳନ କରି ମହାବିଦ୍ୟାଳୟକୁ ଚଳାଇ ଆସିଥିଲା । ତେବେ ମହାବିଦ୍ୟାଳୟର ଏହି ବିବାଦ ଏବଂ କୋଭିଡ଼ କାରଣରୁ ଛାଛାତ୍ରୀମାନଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ନାମଲେଖା ଏକ ପ୍ରକାର ବନ୍ଦ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଫଳରେ ମହାବିଦ୍ୟାଳୟର ଆର୍ଥିକ ସ୍ଥିତି ଉପରେ ବିଶେଷ ପ୍ରଭାବ ପଡ଼ିଛି । ଯାହା ପାଇଁ ପରିଚାଳନା କମିଟି ଧାର୍ଯ୍ୟ ସମୟରେ ଦରମା ଦେବାକୁ ସକ୍ଷମ ହୋଇପାରିନଥିଲା । ସେଥିଲାଗି କିଛି କର୍ମଚାରୀ ଉଚ୍ଚ ନ୍ୟାୟାଳୟରେ ପିଟିସନ ଦାଖଲ ମଧ୍ୟ କରିଛନ୍ତି । ଆଗତ ପିଟିସନର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୬ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି ।
ମାତ୍ର କର୍ମଚାରୀଙ୍କ ଆନ୍ଦୋଳନ ବୁଦ୍ଧିଜୀବୀଙ୍କ ମନରେ ସଂଶୟ ସୃଷ୍ଟି କରିଛି । ଏହି ସବୁ ଘଟଣାର ପୁଙ୍ଖାନୁପୁଙ୍ଖ ତର୍ଜମା କଲେ କେତେକ ଚକ୍ରାନ୍ତକାରୀଙ୍କ ଦ୍ୱାରା ପ୍ରଭାବିତ ହୋଇ ନଗଣ୍ୟ କର୍ମଚାରୀ ମହାବିଦ୍ୟାଳୟର ଖ୍ୟାତି, ସୁନାମକୁ ବଦ୍ନାମ କରିବା ସହ ଛାତ୍ରଛାତ୍ରୀଙ୍କ ନାମଲେଖା କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି କରୁଛନ୍ତି । କେବଳ ସେତିକି ନୁହେଁ, ଏହାଦ୍ୱାରା ମହାବିଦ୍ୟାଳୟ ଭିତ୍ତିଭୂମିର ବିକାଶରେ ବ୍ୟାଘାତ ସୃଷ୍ଟି କରିବା ସହ କର୍ମଚାରୀଙ୍କ ଦରମା ପ୍ରଦାନରେ ମଧ୍ୟ ବାଧା ସୃଷ୍ଟି କରୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ ମନୀନ୍ଦ୍ର ମହାନ୍ତି, ଲଳିତେନ୍ଦୁ ନାୟକ, ସଂଜିତ ରାୟ, ବିଜୟ ମହାନ୍ତି, ନିକୁଞ୍ଜ ଦୀକ୍ଷିତ, ଲକ୍ଷ୍ମୀକାନ୍ତ ଶଙ୍ଖୁଆ, ଦିଲିପ ଜେନା, ଭାଗିରଥୀ ରାଉତ, ପ୍ରଦୀପ ବେହେରା, ସନ୍ତୋଷ ନାୟକ ପ୍ରମୁଖ କହିଛନ୍ତି । ତେବେ ପ୍ରକାଶ ଥାଉକି, ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟ ପରିଚାଳନାକୁ ନେଇ ବିକାଶ ରଞ୍ଜନ ଜେନା, ବିଜୟ କୁମାର ମହାପାତ୍ର, ଶ୍ରୀକାନ୍ତ ମହାପାତ୍ରଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ୪ଗୋଟି ମାମଲା ରୁଜୁ କରାଯାଇଛି ।
ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହି ସବୁ ମାମଲାକୁ ବିଚାରକରି ମଧ୍ୟବର୍ତ୍ତୀକାଳୀନ ରାୟ ପ୍ରକାଶ କରିଛନ୍ତି । ମହାବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଚାଲୁ ରହିଥିବା ବେଳେ କିଛି ନ୍ୟସ୍ତ ସ୍ୱାର୍ଥ ହାତ ଗଣତି କର୍ମଚାରୀ ଯେଉଁଭଳି କାର୍ଯ୍ୟ କରୁଛନ୍ତି ତାହା ସେମାନଙ୍କ ପେଟପାଟଣା ଚିନ୍ତା କମ୍ କଲେଜ ବନ୍ଦ କରିବା କଥା ଅଧିକ ରହୁଛି । ତେଣୁ ସେମାନେ ଏହାକୁ ଘୋର ବିରୋଧ କରିବା ସହ ନ୍ୟାୟାଳୟର ନ୍ୟାୟକୁ ଅପେକ୍ଷା କରିବା ଆବଶ୍ୟକ ବୋଲି ସମ୍ମିଳନୀରେ କହିଛନ୍ତି ।