28.1 C
Bhubaneswar
Tuesday, June 28, 2022
Homeଅପରାଧବୁଲିଲା ଚାପଡ, ଦୌଡ଼ିଲେ ଲୋକେ: ପତିଆରା ପାଇଁ ଗାଡ଼ି ପୋଡ଼ିଦେଲେ

ବୁଲିଲା ଚାପଡ, ଦୌଡ଼ିଲେ ଲୋକେ: ପତିଆରା ପାଇଁ ଗାଡ଼ି ପୋଡ଼ିଦେଲେ

ଭୁବନେଶ୍ୱର: ରାଜଧାନୀରେ ଭାଇଗିରି ବଜାୟ ରଖିବାକୁ ଅପରାଧୀମାନେ ଚେଷ୍ଠା ଚଳାଇଛନ୍ତି । ପୁଲିସ ଲୁଟେରା, ମୋବାଇଲ ଚୋରକୁ ଧରି ସାବାଡ୍ କରୁଥିବାବେଳେ ଏପଟେ ଅପରାଧୀ ଗ୍ୟାଙ୍ଗ୍ ଆତଙ୍କ ଖେଳାଉଛନ୍ତି । ଏମାନଙ୍କ ପାଇଁ ପୁରା ରାଜଧାନୀବାସୀ ଭୟଭୀତ ହୋଇପଡ଼ିଛନ୍ତି । ସୋମବାର ସନ୍ଧ୍ୟାରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଡେଲଟା ଟ୍ରାଫିକ ଛକ ନିକଟରେ ଦୁଇଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଦେଖିବାକୁ ମିଳିଛି । ନିଜର ପତିଆରା ଜାହିର କରିବା ପାଇଁ ଗୋଟିଏ ଗୋଷ୍ଠୀର ଯୁବକ ଅନ୍ୟ ଗୋଷ୍ଠୀର ସ୍କର୍ପିଓ ଗାଡ଼ିକୁ ଭାଙ୍ଗିରୁଜି ଚୁନା କରିବା ସହ ପୋଡ଼ି ଦେଇଛନ୍ତି । ଏହିସବୁ ଦୃଶ୍ୟର ଭିଡ଼ିଓ କରୁଥିବା ଜଣେ ଟ୍ରାଫିକ କନ୍‌ଷ୍ଟେବଳ ମଧ୍ୟ ଅପରାଧୀଙ୍କ ଆତଙ୍କରୁ ବର୍ତ୍ତିନାହାନ୍ତି । ସମ୍ପୃକ୍ତ କନ୍‌ଷ୍ଟେବଳଙ୍କ ମୋବାଇଲକୁ ଦୁର୍ବୃତ୍ତମାନେ ଛଡ଼ାଇ ନେବା ସହ ତାଙ୍କୁ ଧମକାଇଛନ୍ତି ।

ସ୍ଥାନୀୟଲୋକେ ଗଣ୍ଡଗୋଳ ଆରମ୍ଭରୁ ଖଣ୍ଡଗିରି ଥାନା ପୁଲିସକୁ ଖବର ଦେଇଥିଲେ ମଧ୍ୟ ପିସିଆର୍ ପହଞ୍ଚିନଥିଲା । ପୁରା ଅଧଘଣ୍ଟା ପରେ କାର୍ ପୋଡ଼ିଯିବା ପରେ ଉଭୟ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ । ଯଦି ଠିକ୍ ସମୟରେ ପୁଲିସ ପହଞ୍ଚିଥାନ୍ତା, ତା’ହେଲେ ଏଭଳି ଘଟଣା ଘଟିନଥାନ୍ତା ବୋଲି ସ୍ଥାନୀୟଲୋକେ କହିଛନ୍ତି । ସେ ଯାହା ହେଉନା କାହିଁକି, ଏହି ଘଟଣାରୁ ଖଣ୍ଡଗିରି ଥାନା ପୁଲିସର ସମୟାନୁବର୍ତ୍ତିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ, ସୋମବାର ଦିନରେ ଡେଲଟା ଛକରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସନ୍ଧ୍ୟା ସମୟରେ ଗୋଟିଏ ଗୋଷ୍ଠୀର ଜଣେ ସଦସ୍ୟ ତାଙ୍କ ସ୍କର୍ପିଓ ଗାଡ଼ିକୁ ଡେଲଟା ଟ୍ରାଫିକ ଛକ ନିକଟରେ ପାର୍କିଂ କରି ସ୍ଥାନୀୟ ଏକ ଦୋକାନକୁ ଯାଇଥିଲେ ।

ଏହି ସମୟରେ ଅନ୍ୟ ଏକ ଗୋଷ୍ଠୀର ୫ରୁ ୭ଜଣ ଯୁବକ ବୁଲେଟ୍‌ରେ ଆସି ସ୍କର୍ପିଓ ମାଲିକକୁ ଖୋଜିଥିଲେ । ତାଙ୍କ ନପାଇବାରୁ ଶେଷରେ ସ୍ଥାନୀୟ ଏକ ଚିକେନ୍ ଦୋକାନରୁ ଚାପଡ଼ ଆଣି ଗାଡ଼ିକୁ ହାଣିଥିଲେ । ଏହାସହ ସ୍ଥାନୀୟ ଅଞ୍ଚଳରେ ବୁଲାଇ ନିଜର ଦବଦବା ଜାହିର କରିଥିଲେ । ଖାଲି ଏତିକି ନୁହେଁ, ଗାଡ଼ିକୁ ପଥର ମାଡ଼ କରି ଭାଙ୍ଗି ଚୁନା କରିଦେଇଥିଲେ । ପରେ ସେହି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଏହିସବୁ ଦୃଶ୍ୟକୁ ଜଣେ ଟ୍ରାଫିକ କନ୍‌ଷ୍ଟେବଳ ତାଙ୍କ ମୋବାଇଲରେ ଉତ୍ତୋଳନ କରୁଥିବା ଦେଖି ଦୁର୍ବୃତ୍ତମାନେ ତାଙ୍କ ଫୋନ୍ ଛଡ଼ାଇନେଇଥିଲେ । ପରେ ଟ୍ରାଫିକ ପୁଲିସ ଗିରଫ କରିବାକୁ ଚେତାବନୀ ଦେବାରୁ ସେମାନେ ମୋବାଇଲ ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking