ଦୁବାଇ: ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇ ସହରରେ ବିଶ୍ୱର ଉଚ୍ଚତମ ଅଟ୍ଟାଳିକା ବୁର୍ଜ ଖଲିଫା (୨୭୧୬ ଫୁଟ୍ ଉଚ୍ଚ) ଅବସ୍ଥିତ । ତେବେ ବୁଧବାର ସେଠାରେ ପ୍ରବଳ ଧୂଳିଝଡ଼ ପ୍ରବାହିତ ହୋଇଥିବାବେଳେ ସମଗ୍ର ଦୁବାଇ ସହରର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା । ଏପରିକି ଧୂଳି ଆସ୍ତରଣ ଯୋଗୁଁ ବୁର୍ଜ ଖଲିଫା ମଧ୍ୟ ଦୃଶ୍ୟମାନ ହୋଇନଥିଲା । ବିମାନବନ୍ଦର, ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଓ ସରକାରୀ କାର୍ଯ୍ୟାଳୟ ଉପରେ ମଧ୍ୟ ଧୂଳିଝଡ଼ର ପ୍ରଭାବ ପରିଲକ୍ଷିତ ହୋଇଛି । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାପରେ ସହସ୍ରାଧିକ ନାଗରିକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କେବଳ ୟୁଏଇ କାହିଁକି, ବର୍ତ୍ତମାନ ମଧ୍ୟପ୍ରାଚ୍ୟର ଇରାନ, ଇରାକ୍, କୁଏତ, ସାଉଦି ଆରବରେ ମଧ୍ୟ ଧୂଳିଝଡ଼ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବା ଜଣାପଡିଛି ।