39.1 C
Bhubaneswar
Wednesday, April 24, 2024
Homeଓଡିଶାମେଡିକାଲରୁ କାନ୍ଧରେ ବୋହିଲେ ଶବ

ମେଡିକାଲରୁ କାନ୍ଧରେ ବୋହିଲେ ଶବ

ଫୁଲବାଣୀ:  ମାତ୍ର ଅଧ କିଲୋମିଟର ଶବ ନେବା ପାଇଁ ଗାଡ଼ି ମାଲିକମାନେ ୫ ହଜାର ଟଙ୍କା ଦାବି କରୁଛନ୍ତି । ଭଡ଼ା ନେବା ଉପରେ ପ୍ରଶାସନର ଲଗାମ ରହୁ ନ ଥିବାରୁ ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ଗୋଚ୍ଛାପଡାରେ ଦେଖିବାକୁ ମିଳିଛି ।  ଶବ ନେବା ପାଇଁ ଏତେ ଗୁଡିଏ ଟଙ୍କା ଦେଇ ନପାରି ପରିବାର ଲୋକେ ଶବକୁ ଖଟିଆରେ କାନ୍ଧେଇ ନେବାକୁ ବାଧ୍ୟ ହୋଇଛନ୍ତି । ସୂଚନା ଅନୁଯାୟୀ, ଗୋଚ୍ଛାପଡା ପଞ୍ଚାୟତ ମୁଣ୍ଡାପଦର ଗ୍ରାମର ସରୋଜିନୀ ବରିହା(୩୦)ଙ୍କୁ କିଛି ଦିନ ତଳେ ଜ୍ୱର ହୋଇଥିଲା। ଗତ ୮ ତାରିଖରେ ପରିବାର ଲୋକେ ତାଙ୍କୁ ଫୁଲବାଣୀ ମେଡିକାଲ ଆଣିଥିଲେ । ସେଠାରୁ ଔଷଧ ନେଇ ଘରକୁ ଫେରିଥିଲେ । ହେଲେ ପୁଣି ତାଙ୍କ ଦେହ ଖରାପ ହେବାରୁ ଗତ ବୁଧବାର  ଆମ୍ବୁଲାନ୍ସରେ ଗୋଚ୍ଛାପଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଶବ ନେବା ପାଇଁ ପରିବାର ଲୋକେ ଭଡାରେ ଗାଡି ଖୋଜିଥିଲେ ।

ମାତ୍ର ୫ ହଜାର ଟଙ୍କାରୁ କମ୍ ହେଲେ ଶବ ନେଇହେବନାହିଁ ବୋଲି ଗାଡିବାଲା କହିଥିଲେ ।  ବଡକଥା ହେଉଛି ଗୋଚ୍ଛାପଡା ମେଡିକାଲରୁ ମୃତ ସରୋଜିନୀଙ୍କ ଘର ମାତ୍ର ଅଧ କିଲୋମିଟର  ରାସ୍ତା । ଏତିକି ବାଟ ଶବ ନେବାକୁ ଏତେ ଟଙ୍କା ଦାବି କରିବାରୁ ପରିବାର ଲୋକେ ଅସହାୟ ହୋଇପଡିଥିଲେ । ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ଏତେ ଟଙ୍କା ଦେବା ସେମାନଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ । ବାଧ୍ୟ ହୋଇ ଘରୁ ଏକ ଖଟିଆ ଆଣି ଶବକୁ କାନ୍ଧରେ ବୋହି ନେଇଥିଲେ । ଘଟଣା ସମ୍ପର୍କରେ ବିଡିଓ ରଶ୍ମୀରଞ୍ଜନ ମହାନ୍ତଙ୍କୁ ପଚାରିବାରୁ ମୁଁ ଘଟଣା ବିଷୟରେ କିଛି ଜାଣିନାହିଁ । କ’ଣ ହୋଇଛି ମୁଁ ବୁଝିବି ବୋଲି କହିଛନ୍ତି । ସୂଚନାଯୋଗ୍ୟ, ମୃତ ସରୋଜିନୀଙ୍କର ସ୍ୱାମୀ ଓ ଗୋଟିଏ ଝିଅ ଅଛନ୍ତି । ଝିଅ ପିଙ୍କି ଚତୁର୍ଥ ଶ୍ରେଣୀରେ ପଢ଼ୁଥିବାବେଳେ  ସ୍ୱାମୀ ଗୋପାଳ ବରିହା ଦିନ ମଜୁରିଆ। ସରୋଜିନୀଙ୍କ ଘର ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ପଦ୍ମପୁର ଗ୍ରାମରେ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking