ଭୁବନେଶ୍ୱର: ଜମିବାଡି ବିବାଦକୁ ନେଇ ନିଜ ଜନ୍ମା କଲା ମାଆଙ୍କୁ ଆକ୍ରମଣ କରିବା ଅଭିଯୋଗରେ ପୁଅ ଓ ବହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୁଲିସ । ଗିରଫ ମାନେ ହେଲେ ଖଣ୍ଡଗିରି ଥାନା ଡୁମଡୁମା ଫେଜ୍-୨ର ଅନିଲ୍ କୁମାର ଦାସ(୪୦) ଓ ତାଙ୍କ ସ୍ତ୍ରୀ ଭାନୁମତି ଦାସ(୩୭) । ସୂଚନାଯୋଗ୍ୟ ଯେ, ଅନିଲ୍ କୁମାର ଦାସଙ୍କ ମାଆ ତଥା ଅଭିଯୋଗକାରିଣୀ ନୟାପଲ୍ଲୀ ଥାନା ଅନ୍ତର୍ଗତ ରେଣ୍ଟାଲ୍ କଲୋନୀ, କ୍ୱାର୍ଟର ନମ୍ବର-ଟି/୪/୬ରେ ଏକା ରହୁଥିବା ବେଳେ ତାଙ୍କର ପୁଅ-ବୋହୁ ଡୁମଡୁମା ଫେଜ୍-୨ରେ ରୁହନ୍ତି । ହେଲେ ସେମାନଙ୍କ ଯାଜପୁରର ଏକ ସରକାରୀ ଜାଗାରେ ଥିବା ଘରର ପୁନର୍ବିନ୍ୟାସ ପାଇଁ ଅନିଲ୍ଙ୍କର ମାଆ ତାଙ୍କୁ ୪୦ ହଜାର ଟଙ୍କା ଦେଇ ପଠାଇଥିଲେ । କିନ୍ତୁ ତାଙ୍କ ପୁଅ-ବୋହୁ ଉକ୍ତ ଘରର ମରାମତି ନକରି ଭୁବନେଶ୍ୱର ଫେରିଆସିଥିଲେ । ଏନେଇ ଅନିଲ୍ଙ୍କ ମାଆ ପୁଅ-ବୋହୂଙ୍କୁ ପଚାରିବାରୁ ଉଭୟ ପୁଅ-ବୋହୁ ପୂର୍ବରୁ ଥିବା ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହଠାତ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ତାଙ୍କ ବୋହୁ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଏକ ଶକ୍ତ ଧକା ପକାଇଥିବା ବେଳେ, ଏହି କାର୍ଯ୍ୟ କରିବା ଲାଗି ତାଙ୍କ ପୁଅ ତାଙ୍କୁ ପ୍ରବର୍ତ୍ତାଇଥିଲେ । ଫଳରେ ସେ ସିଡି ପାହାଚରେ ପଡିଯିବା ଯୋଗୁଁ ତାଙ୍କ ଶରୀରର ଏକାଧିକ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇ ରକ୍ତସ୍ରାବ ହୋଇଥିଲା । ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ଘଟଣା ସ୍ଥଳକୁ ଆସି ତାଙ୍କୁ ଉଭୟ ପୁଅ-ବୋହୁଙ୍କ କବଳରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନନ୍ତର କରିଥିଲେ । ଘଟଣାର ଅଭିଯୋଗ ପରେ, ପୁଲିସ ମାମଲାର ତଦନ୍ତ କରିବା ସହିତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅଭିଯୁକ୍ତ ପୁଅ-ବୋହୂଙ୍କୁ ଗିରଫ କରିଥିଲେ ।