ନୂଆଦିଲ୍ଲୀ: ପୁରୁଷ ଆଇପିଏଲ ପରି ମହିଳା କ୍ରିକେଟରମାନଙ୍କୁ ନେଇ ମଧ୍ୟ ମହିଳା ଆଇପିଏଲ ଆୟୋଜନ କରିବାକୁ ଯାଉଛି ବିସିସିଆଇ । ମୁମ୍ବାଇରେ ଚଳିତବର୍ଷ ମାର୍ଚ୍ଚ ୪ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ମହିଳା ପ୍ରିମିୟର ଲିଗ ଆୟୋଜନ ହେବ ବୋଲି ସୂଚନା ଦେଇଛନ୍ତି ଚେୟାରମ୍ୟାନ ଅରୁଣ ଧୁମଲ । ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଖୁବ ଶୀଘ୍ର ନିଲାମୀ ହେବାକୁ ଯାଉଛି । ମହିଳା ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚର ପର ଦିନ ହିଁ ମହିଳା ପ୍ରିମୟର ଲିଗ ପାଇଁ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ ।
ସୂଚନା ଅନୁସାରେ, ମହିଳା ପ୍ରିମିୟର ଲିଗ ଆୟୋଜନ କରିବା ପାଇଁ ଜୋରଦାର ପ୍ରୟାସ କରୁଛି ବିସିସିଆଇ । ଏଥିପାଇଁ ମୁମ୍ବାଇର ୨ଟି ଷ୍ଟାଡିୟମ ମଧ୍ୟ ବାଛି ସାରିଛି ଭାରତୀୟ କ୍ରିକେଟ ବୋର୍ଡ । ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ ଏବଂ ବ୍ରାବର୍ଣ୍ଣ ଷ୍ଟାହିୟମରେ ଅନୁଷ୍ଠିତ ହେବ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ । ତେବେ ପ୍ରଥମ ମ୍ୟାଚରେ ଗୁଜୁରାଟ ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜି ମୁହାଁମୁହିଁ ହେବେ ବୋଲି ଆଶା କରାଯାଉଛି । ୫ଟି ଟିମରୁ ୪୬୬୯.୯୯କୋଟି ଟଙ୍କା ହାସଲ କରିବା ପରେ ୯୫୧ କୋଟି ଟଙ୍କାରେ ଲିଗ୍ ର ପ୍ରସାରଣ ଅଧିକାର ବିକ୍ରି କରାଯାଇଛି । ଏହାଦ୍ୱାରା ଇଣ୍ଡିଆନ ପ୍ରିମିୟର ଲିଗ ପରେ ମହିଳା ପ୍ରିମିୟର ଲିଗ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଟି-୨୦ ଲିଗ ପାଲଟିଛି ।
ସୂଚନା ଅନୁସାରେ, ମହିଳା ଆଇପିଏଲରେ ମୋଟ ୨୨ଟି ମ୍ୟାଚ ଖେଳାଯିବ । ଆଇପିଏଲର ନିୟମ ଅନୁଯାୟୀ,ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ଟିମ ହିଁ ଫାଇନାଲରେ ପ୍ରବେଶ କରିବ । ସେହିପରି ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିବା ୨ଟି ଟିମ ମଧ୍ୟରେ ଫାଇନାଲ ପାଇଁ ଖେଳାଯିବ ନକ୍ ଆଉଟ ମ୍ୟାଚ । ତେବେ ଏହି ଲିଗ ମହିଳା କ୍ରିକେଟରମାନଙ୍କୁ ଏବଂ ଯୁବ ପ୍ରତିଭା ଅନ୍ୱେଷଣ ଦିଗରେ ଏକ ବଡ ଉତ୍ସ ହେବ ।