43.9 C
Bhubaneswar
Friday, April 19, 2024
Homeଦେଶ ବିଦେଶଇରାନ୍‌ର ୧୫ ସହରକୁ ବ୍ୟାପିଲା ହିଜାବ୍ ବିରୋଧୀ ଆନ୍ଦୋଳନ: ମୃତ୍ୟୁ ସଂଖ୍ୟା ୯, ଏକ ହଜାରରୁ...

ଇରାନ୍‌ର ୧୫ ସହରକୁ ବ୍ୟାପିଲା ହିଜାବ୍ ବିରୋଧୀ ଆନ୍ଦୋଳନ: ମୃତ୍ୟୁ ସଂଖ୍ୟା ୯, ଏକ ହଜାରରୁ ଊର୍ଦ୍ଧ୍ୱ ଗିରଫ

ତେହେରାନ୍‌: ଇରାନ୍‌ରେ ସେପ୍ଟେମ୍ବର ୧୬ରେ ଆରମ୍ଭ ହୋଇଥିବା ହିଜାବ୍ ବିରୋଧୀ ଆନ୍ଦୋଳନ ଏବେ ଦେଶର ୧୫ ସହରକୁ ବ୍ୟାପିଛି । ମହିଳାଙ୍କ ସହ ପୁରୁଷମାନେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଆନ୍ଦୋଳନକାରୀ ଏବଂ ପୁଲିସ ମଧ୍ୟରେ ହିଂସକ ସଂଘର୍ଷ ମଧ୍ୟ ଦେଖିବାକୁ ମିଳିଛି । ଆନ୍ଦୋଳନକାରୀଙ୍କୁ ରୋକିବା ପାଇଁ ପୁଲିସକୁ ଲୁହବୁହା ଗ୍ୟାସ୍ ସହ ଗୁଳାଚାଳନା କରିବାକୁ ପଡ଼ିଛି । ଏପରି କି ପୁଲିସ ପ୍ୟାଲେଟ୍ ଗନ୍‌ର ବ୍ୟବହାର ମଧ୍ୟ କରିଛି । ଗୁଳିଚାଳନା ଫଳରେ ଗୁରୁବାର ୩ ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ଛଅଦିନର ଆନ୍ଦୋଳନରେ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଛି ଏବଂ ଶତାଧିକ ଲୋକ ଆହତ ହୋଇଛନ୍ତି । ଏକ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ପୁଲିସ ଗିରଫ କରିଛି । ସରକାରଙ୍କ ମୋରାଲ୍ ପୁଲିସିଙ୍ଗ୍ ବିରୋଧରେ ଯୁବକମାନେ ‘ଗରଶାଦ୍‌’ ନାମକ ଏକ ମୋବାଇଲ୍ ଆପ୍ ନିର୍ମାଣ କରିଛନ୍ତି । ଏହି ଆପ୍‌କୁ ପାଞ୍ଚଦିନ ମଧ୍ୟରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଡାଉନ୍‌ଲୋଡ୍ କରିସାରିଛନ୍ତି । ଏହା ଜରିଆରେ ଯୁବସମାଜ ସିକ୍ରେଟ୍ ମେଜେସ୍ ଚଳାଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ତେହେରାନ୍ ସମେତ ଦେଶର କେତେକ ସ୍ଥାନରେ ମୋବାଇଲ୍ ଇଣ୍ଟର୍‌ନେଟ୍ ସେବା ବନ୍ଦ ସହ ଇନ୍‌ଷ୍ଟାଗ୍ରାମ୍ ଓ ହ୍ୱାଟ୍ସଆପ୍‌କୁ ବ୍ଲକ୍ କରିଦିଆଯାଇଛି । ଆନ୍ଦୋଳନକାରୀ କହିଛନ୍ତି, ଆମ ବିରୋଧକୁ ସରକାର ବିଦ୍ରୋହ ମାନିନେଇଛନ୍ତି । ସରକାର ମୌଲବୀଙ୍କ ଭରସାରେ ଆଉ ବେଶୀଦିନ ଶାସନ କରିପାରିବେ ନାହି । ଏହି ମୌଲବୀମାନେ ମହିଳାଙ୍କ ଅଧିକାର ବିରୋଧୀ । ଇତିମଧ୍ୟରେ ଇରାନ୍‌ର ସର୍ବୋଚ୍ଚ ଧର୍ମଗୁରୁ ଆୟାତୁଲ୍ଲା ଖୋମେନୀ ବୁଧବାର ଏକ ସଭାକୁ ସମ୍ବୋଧିତ କରିଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ହିଜାବ୍ ବିରୋଧୀ ଆନ୍ଦୋଳନ ସମ୍ପର୍କରେ ପଦୁଟିଏ ମଧ୍ୟ କହିନଥିଲେ ।
ଇରାନ୍ ପୁଲିସ ସେପ୍ଟେମ୍ବର ୧୩ ତାରିଖରେ ମହସା ଅମୀନି ନାମକ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ହିଜାବ୍ ପିନ୍ଧିନଥିବା ଅଭିଯୋଗରେ ଗିରଫ କରିଥିଲା । ତିନିଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୧୬ ତାରିଖରେ ପୁଲିସ କଷ୍ଟଡିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଇରାନ୍ ମିଡିଆ ରିପୋର୍ଟ ଅନୁସାରେ ଗିରଫ ହେବାର କିଛିଘଣ୍ଟା ମଧ୍ୟରେ ମହସା କୋମାକୁ ଚାଲିଯାଇଥିଲେ । ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ରିପୋର୍ଟ ଅନୁସାରେ ମୁଣ୍ଡରେ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ମାତ୍ର ପୁଲିସ ନିର୍ଯାତନା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାରବର୍ଗ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ସୋସିଆଲ୍ ମିଡିଆରୁ ଜଣାପଡ଼ିବା ପରେ ଦେଶରେ ହିଜାବ୍ ବିରୋଧୀ ଆନ୍ଦୋଳନ ଆରମ୍ଭ ହୋଇଯାଇଥିଲା । ମହସା ଅମୀନିଙ୍କ ମୃତ୍ୟୁ ଏବଂ ଅନିବାର୍ଯ୍ୟ ହିଜାବ୍‌କୁ ବିରୋଧ କରି କେତେକ ମହିଳା ନିଜ ବାଳ କାଟିଦେବା ସହ ହିଜାବ୍ ମଧ୍ୟ ଜାଳିଥିଲେ । ହିଜାବ୍‌କୁ ଅନିବାର୍ଯ୍ୟ ନକରି ବୈକଳ୍ପିକ କରିବାକୁ ଆନ୍ଦୋଳକାରୀ ମହିଳା ଦାବି କରିଛନ୍ତି । ଇତିମଧ୍ୟରେ ଅମୀନିଙ୍କ ସହର ସାକେଜ୍‌ରେ ମଧ୍ୟ ପୁଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ସେଠାରେ ସୁରକ୍ଷାକର୍ମୀ ଆନ୍ଦୋଳକାରୀଙ୍କୁ ଉପରକୁ ଗୁଳି ମଧ୍ୟ ଚଳାଇଥିବା ଜଣାପଡ଼ିଛି । ଏଠାରେ ମଧ୍ୟ ଇଣ୍ଟରନେଟ୍ ସେବା ବନ୍ଦ କରଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking