ବ୍ୟୁରୋ : ଜୋର୍ଡାନର ଅକାବା ବନ୍ଦରରେ ଏକ ଟ୍ୟାଙ୍କରରୁ ବିଷାକ୍ତ ଗ୍ୟାସ୍ ଲିକ୍ ହେବା ପରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ୨୫୧ ଜଣ ଲୋକ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି । ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଅକାବା ବନ୍ଦରରେ ଏକ ଟ୍ୟାଙ୍କର କ୍ଲୋରିନ୍ ଗ୍ୟାସ୍ ନେଇ ଯାଉଥିଲା । କ୍ରେନ୍ ପାଖାପାଖି ପହଞ୍ଚିବା କ୍ଷଣି ହଠାତ୍ ଏଥିରେ ବିସ୍ଫୋରଣ ଘଟିଥିଲା । ଦୁର୍ଘଟଣା ପରେ ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ଏତେତେଣେ ଦୌଡ଼ିଥିଲେ । ବର୍ତ୍ତମାନ ଏହି ଘଟଣାକୁ ନେଇ ଦେଶର ସରକାର ଲୋକଙ୍କୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ଘରେ ରହିବାକୁ ଅପିଲ୍ କରିଛନ୍ତି। ଯଦି ସମସ୍ୟା ଅଧିକ ହେବ, ତା’ହେଲେ ଘରର କବାଟ, ଝରକା ଆଦିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ରଖିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଅକାବା ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି ଯେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ, କାରଣ ଅନେକ ପୀଡ଼ିତଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ରିପୋର୍ଟ ମୁତାବକ, ଯେତେବେଳେ ଗ୍ୟାସ୍ ସିଲିଣ୍ଡଗୁଡ଼ିକୁ ଜାହାଜ ଉପରେ ଲୋଡ୍ କରାଯାଉଥିଲା, ସେହି ସମୟରେ କର୍ମଚାରୀମାନଙ୍କ ଭୁଲ୍ ଯୋଗୁ ଏପରି ଦୁର୍ଘଟଣା ଘଟିଥିଲା । ବିସ୍ଫୋରଣ ପରେ ସିଲିଣ୍ଡରଗୁଡ଼ିକ ତଳେ ବିଛାଡ଼ି ହୋଇ ପଡ଼ିଥିଲା । ସେହି ସମୟରେ ବନ୍ଦରରେ ପାଖାପାଖି ୨୫ ଟନ କ୍ଲୋରିନ୍ ଗ୍ୟାସ୍ ଷ୍ଟୋର୍ ଥିଲା ।