27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶନାନ୍‌ସିଙ୍କ ତାଇୱାନ ଗସ୍ତକୁ ନେଇ ତେଜିଲା ବିବାଦ: ନିଆଁ ସହ ଖେଳୁଛି ଆମେରିକା- ଚୀନ୍‌

ନାନ୍‌ସିଙ୍କ ତାଇୱାନ ଗସ୍ତକୁ ନେଇ ତେଜିଲା ବିବାଦ: ନିଆଁ ସହ ଖେଳୁଛି ଆମେରିକା- ଚୀନ୍‌

ବେଜିଂ : ସମସ୍ତ ଧମକ ସତ୍ତ୍ୱେ ଆମେରିକା ନିମ୍ନ ସଦନ (ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍‌) ବାଚସ୍ପତି ନାନ୍‌ସି ପେଲୋସି ଗତକାଲି ଅର୍ଥାତ ମଙ୍ଗଳବାର ତାଇୱାନ ଗସ୍ତ କରିଥିଲେ । ଏହାକୁ ନେଇ ବିଶ୍ୱର ଦୁଇ ବୃହତ ଶକ୍ତି ଆମେରିକା ଓ ଚୀନ୍ ମୁହାଁମୁହିଁ ସ୍ଥିତିରେ ପହଞ୍ଚିଥିବାବେଳେ ଏହା ଆଗକୁ ଭୟଙ୍କର ରୂପ ନେଇପାରେ ବୋଲି କୂଟନୈତିକ ମହଲ ଆଶଙ୍କା ବ୍ୟକ୍ତ କରୁଛନ୍ତି । ନାନ୍‌ସିଙ୍କ ଗସ୍ତକୁ ନେଇ ଆମେରିକା ଉପରେ ଚୀନ୍ ରକ୍ତଚାଉଳ ଚୋବାଉଛି । ଚୀନ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ବିଳମ୍ବିତ ରାତିରେ ବେଜିଂସ୍ଥିତ ଆମେରିକୀୟ ରାଷ୍ଟ୍ରଦୂତ ନିକୋଲସ ବର୍ନସଙ୍କୁ ସମନ ଜାରି କରାଯାଇଥିଲା । ନିକୋଲସ ମନ୍ତ୍ରଣାଳୟରେ ପହଞ୍ଚିବାପରେ ବିଦେଶ ମନ୍ତ୍ରୀ ୱଙ୍ଗ୍ ୟି ଚୀନ୍‌ର ଆଭିମୁଖ୍ୟ ସମ୍ପର୍କରେ ତାଙ୍କୁ ଅବଗତ କରିଥିଲେ ।

ନାନ୍‌ସିଙ୍କ ତାଇୱାନ ଗସ୍ତ ଏକ ଫାର୍ସ ଏବଂ ଏହାଦ୍ୱାରା ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଅବସ୍ଥା ବାଧାପ୍ରାପ୍ତ ହେବ ବୋଲି ୱଙ୍ଗ୍ ଚେତାବନୀ ଦେଇଛନ୍ତି । ନିଆଁ ସହ ଖେଳୁଥିବା ରାଷ୍ଟ୍ର ସେହି ନିଆଁରେ ଭସ୍ମୀଭୂତ ହେବେ ଏବଂ ଚୀନ୍ ଅପମାନିତ କରୁଥିବା ଶକ୍ତିଙ୍କୁ ଉଚିତ ଦଣ୍ଡ ମିଳିବ ବୋଲି ମଧ୍ୟ ୱଙ୍ଗ୍ ଧମକ ଦେଇଛନ୍ତି । ତାଇୱାନରେ ଗଣତନ୍ତ୍ରକୁ ସମର୍ଥନ ଜଣାଇବା ଆଳରେ ଆମେରିକା ଚୀନ୍‌ର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ଚ୍ୟାଲେଞ୍ଜ କରୁଛି ବୋଲି ୱଙ୍ଗ୍ ଅଭିଯୋଗ କରିଛନ୍ତି । ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ୍‌-ୱେନ୍‌୍ ଚୀନ୍‌ର ଭଲ ଆକାଂକ୍ଷାକୁ ଏଡାଇ ବର୍ତ୍ତମାନ ଆମେରିକାର ସଖୀ କଣ୍ଢେଇ ପାଲଟିଥିବା ସେ କହିଛନ୍ତି ।

ଚୀନ୍ ସହ ସ୍ୱାକ୍ଷରିତ ରାଜିନାମାକୁ ଆମେରିକା ଖୋଲାଖୋଲି ଉଲ୍ଲଂଘନ କରିଥିବା ଚୀନ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଆମେରିକାର ଶତ ଚେଷ୍ଟା ସତ୍ତ୍ୱେ ତାଇୱାନ ସବୁବେଳେ ଚୀନ୍‌ର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ ବୋଲି ମଧ୍ୟ କୁହାଯାଇଛି । ଅପରପକ୍ଷରେ ବୁଧବାର ଚୀନ୍ ପକ୍ଷରୁ ତାଇୱାନ ନିକଟରେ ସମରାଭ୍ୟାସ କରାଯାଇଥିବା ଜଣାପଡିଛି । ଚୀନ୍‌ର ୨୭ଟି ଲଢୁଆ ବିମାନ ତାଇୱାନ ଆକାଶସୀମା ଉଲ୍ଲଂଘନ କରିଥିବାବେଳେ ବିମାନବାହୀ ଯୁଦ୍ଧଜାହାଜ ଓ ପରମାଣୁ ଶକ୍ତି ସମ୍ପନ୍ନ ବୁଡାଜାହାଜଗୁଡିକ ମଧ୍ୟ ତାଇୱାନ ସମୁଦ୍ର ନିକଟରେ ପଇଁତରା ମାରିଥିଲେ । ଅପରପକ୍ଷରେ ଚୀନ୍‌ର ଏଭଳି ଧମକରେ ତାଇୱାନର ୨.୩ କୋଟି ଲୋକ ଆଦୌ ଭୟଭୀତ ହେବେ ନାହିଁ ବୋଲି ରାଷ୍ଟ୍ରପତି ସାଇ ଇଙ୍ଗ୍‌-ୱେନ୍ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking