ରାଜ୍ୟରେ ୭୦୦ ଟପିଲା ମୃତ୍ୟୁ ସଂଖ୍ୟା, ଆଜି ଆଉ ୧୦ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଆଜି ୪୩୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ପୁରୀ ଓ କଟକରୁ ୨ଜଣ ଲେଖାଏଁ, ଗଞ୍ଜାମ, ଖୋର୍ଦ୍ଧା, ବଲାଙ୍ଗୀର, କଳାହାଣ୍ଡି, ମୟୁରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୦୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
କଟକ ଜିଲ୍ଲାର ଜଣେ ୬୯ ବର୍ଷୀୟ ବୃଦ୍ଧ ଯିଏକି ମଧୁମେହ, ଉଚ୍ଚରକ୍ତଚାପ ରୋଗରେ ପୀଡ଼ିତ ଥିଲେ ତାଙ୍କର ମୃତ୍ୟୁହୋଇଛି । ପୂର୍ବରୁ ତାଙ୍କର କିଡନୀ ପ୍ରତ୍ୟାରୋପଣ ମଧ୍ୟ ହୋଇଥିଲା । କଟକର ଆଉ ଜଣେ ୮୪ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁହୋଇଛି । ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ । ପୁରୀର ଜଣେ ୬୦ ବର୍ଷୀୟ ମହିଳା ଓ ୫୪ ବର୍ଷୀୟ ପୁରୁଷ ପ୍ରାଣ ହରାଇଛନ୍ତି । ସେହିପରି କଳାହାଣ୍ଡିର ଜଣେ ୬୫ ବର୍ଷୀୟ ପୁରୁଷ, ଗଞ୍ଜାମର ୬୮ ବର୍ଷୀୟ ପୁରୁଷ, ଖୋର୍ଦ୍ଧାର ୯୨ ବର୍ଷୀୟ ପୁରୁଷ ଓ ମୟୁରଭଞ୍ଜର ୮୦ ବର୍ଷୀୟା ମହିଳାଙ୍କ ପରଲୋକ ହୋଇଛି । ଅନ୍ୟପକ୍ଷରେ ମଧୁମେହ ରୋଗରେ ପୀଡ଼ିତ ଥିବା ବଲାଙ୍ଗୀରର ୪୦ ବର୍ଷୀୟ ଓ ସମ୍ବଲପୁରର ୫୩ ବର୍ଷୀୟ ପୁରୁଷଙ୍କ ପରଲୋକ ହୋଇଛି ।

LEAVE A REPLY

Please enter your comment!
Please enter your name here