26.1 C
Bhubaneswar
Friday, March 29, 2024
Homeଓଡିଶାପ୍ରବାସୀଙ୍କୁ ଅଧବାଟରେ ଛାଡ଼ି ଗାଡ଼ିଚାଳକ ଛୁ’

ପ୍ରବାସୀଙ୍କୁ ଅଧବାଟରେ ଛାଡ଼ି ଗାଡ଼ିଚାଳକ ଛୁ’

ଜଟଣୀ : ଲକ୍ ଡାଉନ୍ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀଙ୍କ ଘର ବାହୁଡ଼ା ଲାଗିରହିଛି । ଏଭଳି ସ୍ଥିତିରେ ନିଜ ଉଦ୍ୟମରେ ଗାଡ଼ି ଭଡ଼ା କରି ଫେରୁଥିବା ପ୍ରବାସୀ ନାନା ହଇରାଣରେ ପଡ଼ୁଛନ୍ତି । ତେଲେଙ୍ଗାନାରୁ ଫେରୁଥିବା କିଛି ଓଡ଼ିଆ ଶ୍ରମିକ ଏମିତି ସମସ୍ୟାରେ ପଡ଼ିଛନ୍ତି । ସେମାନେ ସମ୍ପୂର୍ଣ୍ଣ ଗାଡ଼ି ଭଡ଼ା ଦେଇନପାରି ଗାଁରେ ପହଞ୍ଚିଲେ ଦେବୁ ବୋଲି କହିଥିବାବେଳେ ଗାଡ଼ି ଚାଳକ କିନ୍ତୁ ସେମାନଙ୍କୁ ଅଧବାଟରେ ଛାଡ଼ି ଛୁ’ ମାରିଛି । ଫଳରେ ଭୋକ ଉପାସରେ ଚାଲି ଚାଲି ନିଜ ନିଜର ଘରକୁ ଫେରିବାବେଳେ ବାଟ ନପାଇ ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, କଟକ ଜଲ୍ଲା ଅଡ଼ସପୁର ଅଞ୍ଚଳର ୩ ଜଣ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ୮ଜଣ ଓ କାକଟପୁରର ଜଣେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ୪ଜଣ ଶ୍ରମିକ ତେଲେଙ୍ଗାନାର ସୁରୀୟାପେଟଠାରେ ଶ୍ରମିକଭାବେ କାର୍ଯ୍ୟ କରୁଥିଲେ । ଲକ୍ ଡାଉନ୍ ଯୋଗୁଁ କାମଧନ୍ଦା ବନ୍ଦ ହୋଇଯିବାରୁ ଏମାନେ କମ୍ପାନୀରେ ବସି ରହିଥିଲେ । ଏବେ ସମସ୍ତେ ଘରକୁ ଫେରୁଥିବାବେଳେ ସେମାନେ ମଧ୍ୟ ଘରକୁ ଫେରିବାକୁ ଚାହିଁଥିଲେ । ମାତ୍ର ଏ ନେଇ ସହାୟତା ପାଇଁ ଯେତେ ଯାହାକୁ କହିଲେ ମଧ୍ୟ କେହି ଶୁଣିଲେ ନାହିଁ । ତେଣୁ ବାଧ୍ୟହୋଇ ୨ଟି ବୋଲେରୋ ଭଡ଼ାକରି ଏହି ୧୬ ଜଣ ଶ୍ରମିକ ଗତକାଲି ରାତିରୁ ତେଲେଙ୍ଗାନାରୁ ବାହରିଥିଲେ । ଏମାନେ ବ୍ରହ୍ମପୁରଠାରେ ପହଞ୍ଚିବା ପରେ ସେମାନଙ୍କ ସ୍ୱାବ୍ ଟେଷ୍ଟ କରାଯାଇ ସେମାନଙ୍କ ହାତରେ ଷ୍ଟାମ୍ପ ଲଗାଇ ଛାଡ଼ିଦିଆଯାଇଥିଲା । ମାତ୍ର ଦୁଇଟିଯାକ ବୋଲେରୋ ଭୋର ସମୟରେ ଜଟଣୀ ଅଞ୍ଚଳରେ ପହଞ୍ଚି ପେଟ୍ରୋଲ୍ ପମ୍ପରେ ତେଲ ଭରିବାକୁ ଶ୍ରମିକମାନଙ୍କୁ ଟଙ୍କା ମାଗିଥିଲେ ଡ୍ରାଇଭର । ମାତ୍ର ଏବେ ଆଉ ଟଙ୍କା ନାହିଁ, ନିଜ ଅଞ୍ଚଳରେ ପହଞ୍ଚିଲେ ଟଙ୍କା ଦେବୁ ବୋଲି କହିଥିଲେ । କିନ୍ତୁ ଏଥିରେ ରାଜି ନହୋଇ ଚାଳକ ଦ୍ୱୟ ସମସ୍ତଙ୍କୁ ଗାଡ଼ିରୁ ଓହ୍ଲାଇବାକୁ କହି ଗାଡ଼ି ନେଇ ପଳାଇଥିଲେ । ଓହ୍ଲାଇଥିବା ସ୍ଥାନ ସମ୍ପର୍କରେ ଜାଣିନଥିବାରୁ ଶ୍ରମିକମାନେ ସକାଳୁ ଏଣେତେଣେ ବୁଲିଥିଲେ । ଏହା ଦେଖି କିଛି ବ୍ୟକ୍ତି ଏମାନଙ୍କୁ ଖୋର୍ଦ୍ଧାରୋଡ୍ ଷ୍ଟେସନକୁ ପଠାଇଦେଇଥିଲେ । ସେଠାରେ ପହଞ୍ଚିବାପରେ ଉପସ୍ଥିତ ଥିବା ପୁଲିସ ସେମାନଙ୍କୁ ବିସ୍କୁଟ୍ ଓ ପାଣି ଦେଇଥିଲେ । ଖବରପାଇ ଜଟଣୀ ପୁଲିସ, ପୌରନିର୍ବାହୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କୁ ସ୍ଥାନୀୟ ଟାଉନହଲଠାରେ ଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି । ସେମାନଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ଗ୍ରାମକୁ ପଠାଇ ଦିଆଯିବ ବୋଲି ପୌର ନିର୍ବାହୀ କହିଛନ୍ତି । ହେଲେ ଲକ୍ ଡାଉନ୍ ଭଳି ଅସମୟରେ ଶ୍ରମିକମାନଙ୍କୁ ଅମାନବିକ ଭାବେ ଅଧବାଟରେ ଛାଡ଼ି ଗାଡ଼ି ଚାଳକ ପଳାଇଯିବା ଘଟଣାକୁ ସ୍ଥାନୀୟ ଅଞ୍ଚଳବାସୀ ନିନ୍ଦା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking