ଗାଁ’କୁ ରାସ୍ତା ନଥିବାରୁ ଅଧ କିଲୋମିଟର ଚାଲିଲେ ଗର୍ଭବତୀ

ତେଲକୋଇ : ଗାଁ’କୁ ରାସ୍ତା ନଥିବାରୁ ଅଧକିଲୋମିଟର ଚାଲିଲେ ଗର୍ଭବତୀ । ଗାଁ’କୁ ଆମ୍ବୁଲାନ୍ସ ଆସିବା ପାଇଁ ଆଶାଦିଦି ଫୋନ କରି ଡାକିଥିଲେ । ତେବେ ଗାଁ’ ରାସ୍ତା ତିଆରି ନହୋଇ ଅଧାପନ୍ତରିଆ ହୋଇପଡ଼ି ରହିଥିବାରୁ ଗାଁ’କୁ ଆମ୍ବୁଲାନ୍ସ ଯିବା ସମ୍ଭବ ହୋଇନଥିଲା। ଫଳରେ ଅଧ କିଲୋମିଟର ଦୂର ଜମି ମାଳରେ ଗର୍ଭବତୀ ମହିଳାଙ୍କୁ ଚାଲିବାକୁ ପଡ଼ିଥିଲା । ଏପରି ଦୃଶ୍ୟ ଦେଖିବାକୁ ମିଳିଛି, କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଜଗମୋହନପୁର ପଞ୍ଚାୟତ ଟୁଁଗୁରୁବାହାଳ ଜୁଆଙ୍ଗ ସାହିରେ। ଏଭଳି ଘଟଣା ଆଗରୁ ମଧ୍ୟ ତେଲକୋଇ ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଟୁଁଗୁରୁବାହାଳ ଗାଁ’ ଜୁଆଙ୍ଗ ସାହିର ଦୀନବନ୍ଧୁ ଜୁଆଙ୍ଗଙ୍କ ସ୍ତ୍ରୀ ପ୍ରମିଳା ଜୁଆଙ୍ଗଙ୍କୁ ପ୍ରସବ ବେଦନା ହେବାରୁ ସ୍ଥାନୀୟ ଆଶାକର୍ମୀ ମଞ୍ଜରୀ ସାହୁ ପ୍ରସୂତିଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ତେବେ ଟୁଁଗୁରୁବାହାଳ ଜୁଆଙ୍ଗ ସାହିକୁ ରାସ୍ତା ଖଣ୍ଡିଏ ସଂଯୋଗ ହୋଇନଥିବାରୁ ସାହିକୁ ଆମ୍ବୁଲାନ୍ସ ଆସିପାରି ନଥିଲା। ବାଧ୍ୟ ହୋଇ ପ୍ରସୂତିଙ୍କୁ ଅଧ କିଲୋମିଟର ରାସ୍ତା ଜମିର ଖାଲ ଖମାରେ ଚଳାଇ ରାସ୍ତାକୁ ଆସିଲା ପରେ ଆମ୍ବୁଲାନ୍ସରେ ନେବାକୁ ପଡିଥିଲା। ସବୁ ଠାରୁ ବଡ଼ କଥା ଗତ ଦୁଇ ବର୍ଷରେ ଟୁଁଗୁରୁବାହାଳ ଜୁଆଙ୍ଗ ସାହିକୁ ରାସ୍ତା ସଂଯୋଗ ପାଇଁ ମନରେଗା ଯୋଜନାରେ ସାହିର ଦୁଇ ପାର୍ଶ୍ୱକୁ ଦୁଇଟି ରାସ୍ତା 10ଲକ୍ଷ ବ୍ୟୟ ବରାଦ କାରି ନିର୍ମାଣ ହୋଇଛି, କିନ୍ତୁ ଦୁଇଟି ରାସ୍ତା ସାହି ଠାରୁ ଅଧ କିଲୋମିଟର ଦୂରରେ ଅଟକି ଯାଇଛି । ଫଳରେ ଜୁଆଙ୍ଗ ସାହି ବାସୀଙ୍କୁ ରାସ୍ତା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଆଦିମ ଜନଜାତି 25ଟି ଜୁଆଙ୍ଗ ପରିବାର ଏହି ସାହିରେ ରହୁଥିଲା ବେଳେ ସେମାନଙ୍କ ପାଇଁ ପ୍ରଶାସନର କେତେ ଦରଦ ରହିଛି ଏହି ଦୃଶ୍ୟକୁ ଦେଖିଲେ ଜଳ ଜଳ ଜଣା ପଡୁଛି ।

LEAVE A REPLY

Please enter your comment!
Please enter your name here