38.8 C
Bhubaneswar
Friday, April 19, 2024
Homeଓଡିଶାତେଜୁଛି ରଥ ଉଚ୍ଚତା ବିବାଦ

ତେଜୁଛି ରଥ ଉଚ୍ଚତା ବିବାଦ

ପୁରୀ: କେନ୍ଦୁଝର ନନ୍ଦିଘୋଷ ରଥ ବିଶ୍ୱର ବଡ଼ ରଥ ବୋଲି ଗିନିଜ ବୁକ୍ ରେକର୍ଡ ହାସଲ ପରେ ବିବାଦୀୟ ପରିସ୍ଥିତି ଉପୁଜିଛି । ପୁରୀ ରଥ ଠାରୁ ଅଧିକ ଉଚ୍ଚର ରଥ ଅନ୍ୟଠାରେ ହେବା ଉଚିତ ନୁହେଁ ବୋଲି ଗଜପତି ଦିବ୍ୟସିଂହ ଦେବ କହିବା ପରେ ଏହାକୁ ନେଇ ଅଲୋଚନା ଜୋର୍ ଧରିଛି । ବଡ଼ ଠାକୁରଙ୍କ ରଥ ସବୁଠୁ ବଡ଼ ବୋଲି ଗଜପତି ମହାରାଜ କହିବା ପରେ ବିବାଦ ତେଜୁଛି । ଗଜପତି କହିଛନ୍ତି ଯେ ପୁରୁଷୋତ୍ତମ କ୍ଷେତ୍ରକୁ ସବୁଠାରୁ ଅଧିକ ମାନ୍ୟତା ଦିଆଯାଇଥାଏ । ପୁରୁଷୋତ୍ତମ କ୍ଷେତ୍ରରେ ନିର୍ମାଣ ହେଉଥିବା ରଥ ଠାରୁ ଅଧିକ ଉଚ୍ଚର ରଥ ଅନ୍ୟଠାରେ ହେବା ଉଚିତ ନୁହେଁ । ପୂର୍ବକାଳରୁ ହିଁ ଗଡ଼ଯାତ ଜିଲ୍ଲାମାନଙ୍କରେ ଏହାକୁ ପାଳନ କରାଯାଉଥିଲା । କୌଣସି ଠାରେ ମଧ୍ୟ ପୁରୀ ରଥ ଠାରୁ ବଡ଼ ରଥ ହେଉ ନଥିଲା । ପୁରୀ ରଥ ଗଡ଼ିବା ପରେ ଅନ୍ୟ ସ୍ଥାନମାନଙ୍କରେ ରଥଯାତ୍ରା ହେଉଥିଲା । ଏହି ପରମ୍ପରା ଅକ୍ଷୁଣ୍ଣ ରହିବା ଉଚିତ । ପୁରୁଷୋତ୍ତମ କ୍ଷେତ୍ରରେ ଥିବା ମୂଳପୀଠକୁ ଅନ୍ୟମାନେ ଅନୁସରଣ କରିବା ଉଚିତ । ଏହା ବିରୋଧରେ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

ତେବେ କେନ୍ଦୁଝର ବଳଦେବଜିଉଙ୍କ ରଥକୁ ସର୍ବୋଚ୍ଚ ଉଚ୍ଚତାର ମାନ୍ୟତା ମିଳିବାକୁ ନେଇ ଗଜପତିଙ୍କ ପ୍ରତିକ୍ରିୟା ଠିକ୍ ନୁହେଁ ବୋଲି କହିଛି କେନ୍ଦୁଝର ବରିଷ୍ଠ ନାଗରିକ ମଞ୍ଚ । ଏହାର ସଂପାଦକ କହିଛନ୍ତି, କେନ୍ଦୁଝରରେ ୧୬୭୧ ମସିହାରୁ ୭୨ ଫୁଟର ରଥ ନିର୍ମାଣ ହୋଇ ଆସୁଛି । ପୂର୍ବରୁ ଇଣ୍ଡିଆ ବୁକ୍ ଅଫ ରେକର୍ଡସ ଓ ଏସିଆ ପାସିଫିକ୍ ଆଇକନ୍ ଭଳି ୫ଟି ସଂସ୍ଥା ମଧ୍ୟ ସମାନ ମାନ୍ୟତା ପ୍ରଦାନ କରିଛନ୍ତି । ସେହିପରି ଗଜପତି ବୟାନ ଦେବା ପୂର୍ବରୁ ତର୍ଜମା କରିବାର ଥିଲା ବୋଲି କହିଛନ୍ତି କେନ୍ଦୁଝର ଜଗନ୍ନାଥ ମନ୍ଦିରର ପହଣ୍ଡିଆ ସେବକ ବିପିନ ଦାସ ।ଏବେ ନୁହେଁ ଦୀର୍ଘ ୩୦୦ ବର୍ଷ ହେଲା କେନ୍ଦୁଝରରେ ବଡ଼ ରଥ ନିର୍ମାଣ କରାଯାଇଆସୁଛି । ଏତେ ପୂର୍ବରୁ ରଥ ନିର୍ମାଣ କରାଯାଉଥିବାରୁ ତାର କିଛିଟା ବିଧିବିଧାନ ଥିବ ।

ହୁଏତ ପୂର୍ବରୁ ଏନେଇ ପୁରୀକୁ ସ୍ୱୀକୃତି ମିଳିଥିବ ବୋଲି ସେ କହିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟପୀଠ ପୁରୀରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପାରମ୍ପରିକ ରୀତିରେ ରଥ ନିର୍ମାଣ ହୋଇ ଆସୁଛି । ଯାହାକି ନିର୍ଦ୍ଦିଷ୍ଟ କାଠ ଓ ମାପରେ ତିଆରି ହୋଇଥାଏ । ତିନି ରଥ ମଧ୍ୟରୁ ନନ୍ଦିଘୋଷ ରଥ ସବୁଠୁ ଉଚ୍ଚା । ଯାହାର ଉଚ୍ଚତା ୪୫ ଫୁଟ୍ ୬ ଇଞ୍ଚ । ତେବେ କେନ୍ଦୁଝର ବଳଦେବଜିଉଙ୍କ ରଥର ଉଚ୍ଚତା ୭୨ ଫୁଟ୍ । ଯାହାକି ପୁରୀ ରଥଠାରୁ ୨୭ ଫୁଟ୍ ଅଧିକ ଉଚ୍ଚ। ସେହିପରି କେନ୍ଦ୍ରାପଡ଼ା ବଳଦେବଜିଉଙ୍କ ରଥର ଉଚ୍ଚତା ମଧ୍ୟ ୬୩ ଫୁଟ୍ । ସୂଚନା ଥାଉକି, କେନ୍ଦୁଝରରେ ୭୨ଫୁଟ ଉଚ୍ଚତା ନନ୍ଦିଘୋଷ ରଥ ନିର୍ମାଣ ଓ ଏହା ପୁରୀ ରଥ ଠାରୁ ବଡ଼ ବୋଲି ରେକର୍ଡ ହାସଲ ପରେ କେନ୍ଦ୍ରାପଡ଼ା ବଳଦେବଜିଉଙ୍କ ସେବାୟତମାନେ ବିରୋଧ କରିଥିଲେ । ଏହା ପରମ୍ପରା ଓ ଶାସ୍ତ୍ର ବିରୋଧୀ ବୋଲି ଅଭିଯୋଗ ଆଣିଥିଲେ । ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗକୁ ଏ ବାବଦରେ ଅବଗତ କରାଇଥିଲେ । ହେଲେ ପ୍ରଶାସନ ଏ ବାବଦରେ ଚୁପ୍ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking