ଟି-୨୦ ପାଇଁ ଦୁଇଟି ଦଳ, ଦିନିକିଆ ଦଳରେ ଅର୍ଶଦୀପ
ମୁମ୍ବାଇ: ଆସନ୍ତା ୭ରୁ ୧୭ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ସୀମିତ ଓଭର୍ ସିରିଜ୍ ଖେଳିବାର କାର୍ଯ୍ୟକ୍ରମ ରହିଛି । ଟି-୨୦ ମ୍ୟାଚ୍ରୁ ଏହି ସିରିଜ୍ ଆରମ୍ଭ ହେଉଥିବା ବେଳେ ଏଥିରେ ୩ଟି ଲେଖାଏଁ ଟି-୨୦ ଓ ଦିନିକିଆ ମ୍ୟାଚ୍ ଖେଳାଯିବ । ଏଥିସକାଶେ ବିସିସିଆଇ ପକ୍ଷରୁ ଗୁରୁବାର ରାତିରେ ଟିମ୍ ଘୋଷଣା କରାଯାଇଛି । ଆଗକୁ ଟି-୨୦ ବିଶ୍ୱକପ୍ ଥିବାରୁ ଅଧିକରୁ ଅଧିକ ଖେଳାଳିଙ୍କୁ ପରଖିବା ସକାଶେ ବିସିସିଆଇ ପକ୍ଷରୁ ଟି-୨୦ ପାଇଁ ଦୁଇଟି ପୃଥକ୍ ଦଳ ଘୋଷଣା କରାଯାଇଛି । ଏଥିମଧ୍ୟରୁ ଗୋଟିଏ ପ୍ରଥମ ଟି-୨୦ ଓ ଆଉ ଗୋଟିଏ ପରବର୍ତ୍ତୀ ଦୁଇଟି ଟି-୨୦ ମ୍ୟାଚ୍ ପାଇଁ ଉଦ୍ଦିଷ୍ଟ । କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା କାରଣରୁ ଚଳିତ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ୍ ମ୍ୟାଚ୍ରୁ ବାଦ୍ ପଡ଼ିଥିବା ରୋହିତ ଶର୍ମା ଉଭୟ ଟି-୨୦ ଓ ଦିନିକିଆ ଦଳର ନେତୃତ୍ୱ ନେବେ ।
ସେହିପରି ଗତ ସାଉଥ୍ ଆଫ୍ରିକା ଓ ଆୟର୍ଲାଣ୍ଡ୍ ବିପକ୍ଷ ଟି-୨୦ ସିରିଜ୍ ସକାଶେ ଟିମ୍ ଇଣ୍ଡିଆରେ ସାମିଲ୍ ହୋଇଥିବା ପେସର୍ ଅର୍ଶଦୀପ ସିଂହଙ୍କୁ ପ୍ରଥମ ଥର ପାଇଁ ଦିନିକିଆ ଦଳରେ ସୁଯୋଗ ମିଳିଛି । ସେ ମଧ୍ୟ ପ୍ରଥମ ଟି-୨୦ ପାଇଁ ଘୋଷିତ ଦଳରେ ରହିଛନ୍ତି । ଗତ ଆୟର୍ଲାଣ୍ଡ୍ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ରହିଥିବା ଖେଳାଳିମାନେ ପ୍ରଥମ ଟି-୨୦ ଦଳରେ ସ୍ଥାନ ପାଇଛନ୍ତି । ବର୍ତ୍ତମାନ ଟେଷ୍ଟ୍ ମ୍ୟାଚ୍ରେ ବ୍ୟସ୍ତ ଥିବା ବିରାଟ କୋହଲି, ଜସପ୍ରୀତ୍ ବୁମ୍ରା, ରବୀନ୍ଦ୍ର ଜାଡେଜା, ଶ୍ରେୟସ୍ ଆୟର୍ ଓ ଋଷଭ ପନ୍ତ୍ଙ୍କୁ ପ୍ରଥମ ଟି-୨୦ରୁ ବିଶ୍ରାମ ଦିଆଯାଇଛି । ପ୍ରଥମ ଟି-୨୦ ଶେଷ ହେବା ପରେ ଋତୁରାଜ ଗାଏକ୍ୱାଡ୍, ସଞ୍ଜୁ ସାମ୍ସନ୍, ରାହୁଲ୍ ତ୍ରିପାଠୀ, ଭେଙ୍କଟେଶ ଆୟର୍ ଓ ଅର୍ଶଦୀପଙ୍କ ସ୍ଥାନରେ ଉପରୋକ୍ତ ଖେଳାଳିମାନେ ଦଳକୁ ଫେରିବେ । ଅନ୍ତିମ ଦୁଇଟି ଟି-୨୦ ପାଇଁ ଘୋଷିତ ଦଳରେ ଗତ ଆୟର୍ଲାଣ୍ଡ୍ ବିପକ୍ଷ ସିରିଜ୍ରେ ପ୍ଲେୟର୍ ଅଫ୍ ଦି ସିରିଜ୍ ମନୋନୀତ ହୋଇଥିବା ଦୀପକ ହୁଡ୍ଡା ସ୍ଥାନ ପାଇଛନ୍ତି ।
ଅନ୍ୟପକ୍ଷରେ ଗତବର୍ଷ ଜୁଲାଇରେ ଅନ୍ତିମ ଦିନିକିଆ ଖେଳିଥିବା ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗତ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ଘରୋଇ ସିରିଜ୍ରୁ ବିଶ୍ରାମ ନେଇଥିବା ମହମ୍ମଦ ଶମି, ବୁମ୍ରା ଓ ଜାଡେଜା ଓ ଅକ୍ଷର ପଟେଲ୍ଙ୍କୁ ମଧ୍ୟ ଦଳରେ ସ୍ଥାନ ଦିଆଯାଇଛି । ଓପନର ଲୋକେଶ ରାହୁଲ୍ ଆହତଜନିତ କାରଣରୁ ସିରିଜ୍ ଖେଳିବାରୁ ବଞ୍ଚିତ ହେବାକୁ ଥିଲେ ହେଁ ଭେଟେରାନ୍ ଶିଖର ଧୱନ୍ ରହିଥିବାରୁ ଗାଏକ୍ୱାଡ୍ଙ୍କୁ ଦଳରେ ସ୍ଥାନ ମିଳିନାହିଁ । ସେହିପରି ଆହତ ଦୀପକ ଚହର୍, କୁଲଦୀପ ଯାଦବ, ଦୀପକ ହୁଡ୍ଡା, ରବି ବିଷ୍ଣୋଇ, ଶାହରୁଖ୍ ଖାନ୍ ଓ ୱାଶିଂଟନ୍ ସୁନ୍ଦରଙ୍କୁ ମଧ୍ୟ ଦଳରୁ ବାଦ୍ ଦିଆଯାଇଛି ।
ପ୍ରଥମ ଟି-୨୦ ପାଇଁ ଘୋଷିତ ଦଳ: ରୋହିତ ଶର୍ମା (ଅଧିନାୟକ), ଈଶାନ୍ କିଶନ୍, ଋତୁରାଜ ଗାଏକ୍ୱାଡ୍, ସଞ୍ଜୁ ସାମ୍ସନ୍, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ (ୱିକେଟ୍କିପର୍), ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର୍, ୟୁଜବେନ୍ଦ୍ର ଚହଲ୍, ଅକ୍ଷର ପଟେଲ୍, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ହର୍ଷଲ୍ ପଟେଲ୍, ଅଭେଶ ଖାନ୍, ଅର୍ଶଦୀପ ସିଂହ ଓ ଉମରାନ୍ ମଲିକ ।
ଅନ୍ତିମ ଦୁଇ ଟି-୨୦ ପାଇଁ ଘୋଷିତ ଦଳ: ରୋହିତ ଶର୍ମା (ଅଧିନାୟକ), ଈଶାନ୍ କିଶନ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଶ୍ରେୟସ୍ ଆୟର୍, ଦୀନେଶ କାର୍ତ୍ତିକ (ୱିକେଟ୍କିପର୍), ଋଷଭ ପନ୍ତ୍ (ୱିକେଟ୍କିପର୍), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ୍, ଅକ୍ଷର ପଟେଲ୍, ରବି ବିଷ୍ଣୋଇ, ଜସପ୍ରୀତ୍ ବୁମ୍ରା, ଭୁବନେଶ୍ୱର କୁମାର, ଅଭେଶ ଖାନ୍, ହର୍ଷଲ୍ ପଟେଲ୍, ଉମରାନ୍ ମଲିକ ।
ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧୱନ୍, ଈଶାନ୍ କିଶନ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ୍ ଆୟର୍, ଋଷଭ ପନ୍ତ୍ (ୱିକେଟ୍କିପର୍), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ୍ ଠାକୁର, ୟୁଜବେନ୍ଦ୍ର ଚହଲ୍, ଅକ୍ଷର ପଟେଲ୍, ଜସପ୍ରୀତ୍ ବୁମରା, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ଶମି, ମହମ୍ମଦ ସିରାଜ୍ ଓ ଅର୍ଶଦୀପ ସିଂହ ।