34.1 C
Bhubaneswar
Friday, March 29, 2024
Homeଓଡିଶାଘରୋଇ ସ୍କୁଲରେ ପ୍ରଶିକ୍ଷଣ ନେବେ ସରକାରୀ ସ୍କୁଲ ଶିକ୍ଷକ

ଘରୋଇ ସ୍କୁଲରେ ପ୍ରଶିକ୍ଷଣ ନେବେ ସରକାରୀ ସ୍କୁଲ ଶିକ୍ଷକ

ଭୁବନେଶ୍ୱର : ସରକାରୀ ସ୍କୁଲରେ ପିଲାଙ୍କୁ କିପରି ସହଜ ଓ ସରଳ ଭାବେ ଶିକ୍ଷାଦାନ କରାଯିବ ସେନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟର ଘରୋଇ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ପାଠପଢ଼ା ଶୈଳୀ ଏବଂ ଶିକ୍ଷାଦାନ ପ୍ରଣାଳୀ ସମ୍ପର୍କରେ ସରକାରୀ ସ୍କୁଲର ଶିକ୍ଷକଙ୍କୁ ଅବଗତ କରାଯିବ । ସରକାରୀ ସ୍କୁଲଗୁଡିକରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କୋର୍ସ ଶେଷ ହେଉଥିବା ବେଳେ ଦକ୍ଷ ଶିକ୍ଷକ ମଧ୍ୟ ନିଯୁକ୍ତ ହୋଇଛନ୍ତି । ତଥାପି ରେଜଲ୍ଟରେ ସରକାରୀ ସ୍କୁଲ ଭଲ ପ୍ରଦର୍ଶନ ନକରିବା ଚିନ୍ତାର କାରଣ ପାଲଟିଛି । କେଉଁ ପଦ୍ଧତିରେ ଘରୋଇ ସ୍କୁଲଗୁଡିକରେ ପାଠପଢ଼ା ହେଉଛି ଏବଂ ସମ୍ପୃକ୍ତ ସ୍କୁଲରେ ପିଲାଙ୍କୁ କେଉଁ ଢ଼ାଞ୍ଚାରେ ଶିକ୍ଷାଦାନ ଦିଆଯାଉଛି ସେହି ପ୍ରଶିକ୍ଷଣ ସରକାରୀ ସ୍କୁଲ ଶିକ୍ଷକଙ୍କୁ ମଧ୍ୟ ପ୍ରଦାନ କରାଯିବ । ଦିଆଯିବ । ନନ୍‌ଫର୍ମାଲ ପଦ୍ଧତିରେ କିପରି ଶିକ୍ଷାଦାନ ହେଉଛି ସେ ସମ୍ପର୍କରେ ଘରୋଇ ସ୍କୁଲରେ ସରକାରୀ ସ୍କୁଲର ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯିବ ।

ରାଜ୍ୟରେ ପ୍ରାଥମିକ ଶିକ୍ଷା ଲାଗି ୧ଲକ୍ଷ ୩୦ହଜାର ୫୧୬ ଏବଂ ଉଚ୍ଚପ୍ରାଥମିକ ଶିକ୍ଷା ଲାଗି ୬୬ହଜାର ୮୧୦ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ଏହି ପ୍ରଶିକ୍ଷଣ ବ୍ୟବସ୍ଥାରେ କେବଳ ପ୍ରାଥମିକ ଶିକ୍ଷକଙ୍କୁ ସାମିଲ କରାଯିବ । ରାଜ୍ୟରେ ଜିଲ୍ଲାୱାରୀ ଏହି ପ୍ରଶିକ୍ଷଣ ଦିଆଯିବ । ପ୍ରଶିକ୍ଷଣ ଲାଗି ସମସ୍ତ ଖର୍ଚ୍ଚ ସ୍କୁଲ ଓ ଗଣଶିକ୍ଷା ବିଭାଗ ବହନ କରିବ । ପ୍ରଶିକ୍ଷଣ ଶେଷ ହେବା ପରେ ଟେଷ୍ଟ ରିପୋର୍ଟ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ଏବଂ ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରଦାନ କରିବେ । ଦୈନିକ ୮ଘଣ୍ଟା ଧରି ପ୍ରଶିକ୍ଷଣ ଦିଆଯିବ । ପ୍ରଶିକ୍ଷଣ ସହିତ ଘରୋଇ ସ୍କୁଲଗୁଡିକରେ ପିଲାଙ୍କ ସହିତ ଆଲୋଚନା ଏବଂ ସ୍କୁଲରେ ଶିକ୍ଷକ ଓ ପିଲାଙ୍କ ମଧ୍ୟରେ କିପରି ସମ୍ପର୍କ ରହୁଛି ସେ ସମ୍ପର୍କରେ ମଧ୍ୟ ଅବଗତ ହେବେ । ଏହି ବ୍ୟବସ୍ଥାରେ ସରକାରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜଣାପଡିଛି ।

 

ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମାତୃଭାଷା, ଗଣିତ ଏବଂ ଇଂରାଜୀ ବିଷୟରେ ଦକ୍ଷତାକୁ ଯାଞ୍ଚ କରାଯାଇ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାକୁ ରାଜ୍ୟ ସରକାର ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ରାଜ୍ୟରେ ଏକ ଅଭିନବ ପ୍ରୟାସ ମଧ୍ୟରେ ପିଲାଙ୍କ ଜ୍ଞାନ ଏବଂ ଶିକ୍ଷକଙ୍କ ଶିକ୍ଷାଦାନ ସମ୍ପର୍କରେ ସରକାର ଅବଗତ ହେବା ଲାଗି ସ୍ୱତନ୍ତ୍ର ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହୋଇଛି । ରାଜ୍ୟ ସରକାର ଏବଂ ନିତି ଆୟୋଗର ମିଳିତ ସହଯୋଗରେ ରାଜ୍ୟର କଳାହାଣ୍ଡି, କଟକ ଏବଂ ଝାରସୁଗୁଡାରେ ‘ଲର୍ଣ୍ଣିଂ ଆଉଟକମ୍ ଟେଷ୍ଟ’ ପ୍ରକଳ୍ପ ଆରମ୍ଭ ହୋଇଛି । ଏହି ପ୍ରକଳ୍ପକୁ ବିସିଜି ତଥା ବୋଷ୍ଟନ୍ କନ୍‌ସଲ୍‌ଟିଂ ଗ୍ରୁପ୍ ସହାୟତା ଯୋଗାଉଛି । ଏହି ଟେଷ୍ଟ୍‌ର ସମ୍ପୃକ୍ତ ପ୍ରତ୍ୟେକ ଜିଲ୍ଲାରୁ ପ୍ରାୟ ୭୫ରୁ ୯୦ ସ୍କୁଲ ସାମିଲ ହୋଇଛି । ପ୍ରତ୍ୟେକ ସ୍କୁଲର ତୃତୀୟ, ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଏହି ଟେଷ୍ଟ୍‌ରେ ସାମିଲ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି ପରୀକ୍ଷାରେ ପରୀକ୍ଷାର୍ଥୀମାନେ କେବଳ ଓଡ଼ିଆ, ଇଂରାଜୀ ଏବଂ ଗଣିତ ବିଷୟରେ ପରୀକ୍ଷା ଦେବେ । ୧୦୦ମାର୍କ ବିଶିଷ୍ଟ ଏହି ପରୀକ୍ଷାରେ ଛାତ୍ରଛାତ୍ରୀଙ୍କର ସମ୍ପୃକ୍ତ ବିଷୟରେ କେତେ ଦକ୍ଷତା ରହିଛି ତାହା ସ୍ପଷ୍ଟ ହେବା ସହ ସମ୍ପୃକ୍ତ ବିଷୟ ପଢ଼ାଉଥିବା ଶିକ୍ଷକଙ୍କ ଅଭିଜ୍ଞତା ଏବଂ ଶିକ୍ଷାଦାନ ଶୈଳୀ ଜଣାପଡ଼ିବ । ରାଜ୍ୟର ୩ଟି ଜିଲ୍ଲାରେ ପ୍ରାୟ ୨୨୫ରୁ ୨୭୦ଜଣ ପିଲା ଏହି ପରୀକ୍ଷାରେ ସାମିଲ ହୋଇଛନ୍ତି । ତେଣୁ ସମ୍ପୃକ୍ତ ଜିଲ୍ଲାରୁ କେଉଁ ସ୍କୁଲର ପିଲାମାନେ ଏହି ଟେଷ୍ଟ୍ ଲାଗି ମନୋନୀତ ହେବେ ତାହା ଜିଲ୍ଲାସ୍ତରରେ ଏକ କମିଟି ଗଠନ କରାଯାଇ ସ୍କୁଲଗୁଡିକୁ ଚୟନ କରିଛନ୍ତି । ଏନେଇ ପ୍ରାୟ ୪୦କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking