ତଥାଗତଙ୍କ ବାର୍ତ୍ତା କୁକୁର ଭଳି ପଡ଼ି ରହିଲେ ବିଜେଡିରେ ପୁରସ୍କାର ମିଳିବ

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟର ରାଜନୀତିକ ପାଣିପାଗ ସରଗରମ ରହିଛି । ଏ କ୍ଷେତ୍ରରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କ ଟ୍ୱିଟ ରାଜନୀତିକ ବାତାବରଣରେ ଝଡ଼ ଆଣିଛି । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଖାଲି ହେଉଥିବା ୪ଟି ଯାକ ରାଜ୍ୟସଭା ଆସନରେ ପ୍ରାର୍ଥୀ ପାଇଁ ନାମ ଘୋଷଣା କରିଛନ୍ତି । ରାଜ୍ୟସଭାକୁ ନବୀନ ଯେଉଁ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ସେଥିରେ ଦଳର କେହି ଜଣେ ହେଲେ ବରିଷ୍ଠ ନେତା ନାହାଁନ୍ତି କିମ୍ବା ରାଜ୍ୟର କେହି ଗୁଣିଜ୍ଞାନୀ ବା ବିଶିଷ୍ଟ ବ୍ୟକ୍ତି ନାହାଁନ୍ତି । ଏକ ପ୍ରକାର ଯୁବ ନେତୃତ୍ୱକୁ ନବୀନ ଗୁରୁତ୍ୱ ଦେଇଛନ୍ତି । ଏହି ପ୍ରାର୍ଥୀ ତାଲିକାକୁ ଦୃଷ୍ଟିରେ ରଖି ତଥାଗତ ସିଧାସଳଖ ଭାବେ ବିଜେଡି କିମ୍ବା ନବୀନଙ୍କ ନାମ ନ ନେଇ ସେ ତାଙ୍କ ଟ୍ୱିଟରେ ଏଭଳି ତେରଛା ବାଣ ମାରିଛନ୍ତି ଯାହାକୁ ନେଇ ରାଜନୀତିରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ବିଶେଷ କରି ବିଜେଡିରେ ଏକ ପ୍ରକାର କମ୍ପନ ସୃଷ୍ଟି କରିଛି । ଆଉ ନବୀନଙ୍କ ପ୍ରତି ଏଭଳି ବାର୍ତ୍ତା ଦେଇଛନ୍ତି ଯାହା ରାଜନୀତିରେ ଅତି କଦର୍ଯ୍ୟ ମନୋଭାବର ପରିଚୟ ଦେଇଛି ବୋଲି ଅନେକ ମତ ଦେଇଛନ୍ତି । ତଥାଗତ ଟ୍ୱିଟରେ ‘ମୁହଁମାଡ଼ି ଶୋଇରହିଥିବା କୁକୁର’ର ଫଟୋ ତାଙ୍କ ଲେଖାସହ ପୋଷ୍ଟ କରିଛନ୍ତି । ଯାହାକି ନବୀନଙ୍କ ପାଇଁ ଏକ ପ୍ରକାର ଅପମାନଜନକ ବିଷୟ ବୋଲି ଆଲୋଚନା ହେଉଛି ।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ତଥାଗତ ଘୋଷଣା କରିଥିଲେ ଯେ, ସେ ଏଥର ପ୍ରାର୍ଥୀ ହେବେନାହିଁ । ନିର୍ବାଚନରେ ଭାଗ ନେବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । କିନ୍ତୁ ବିଜେଡିରୁ ଇସ୍ତଫା ଦେଇ ନଥିଲେ କିମ୍ବା ବିଜେଡି ତାଙ୍କୁ ଦଳରୁ ଏଯାଏଁ ବହିଷ୍କାର କରିନାହିଁ । ବିଜେଡିର ଜଣେ ସଦସ୍ୟଭାବରେ ସେ ଏବେବି ରହିଛନ୍ତି । ଦଳର ସେ ହେଉଛନ୍ତି ଜଣେ ପ୍ରତିଷ୍ଠାତା ସଦସ୍ୟ । ଏଣୁ ଦଳ ସୁପ୍ରିମୋଙ୍କ ପ୍ରତି ତାଙ୍କର ଏହି ତାତ୍ସଲ୍ୟଭାବ ରାଜନୀତିକ ସୀମା ସରହଦ ଟପିଯାଇଥିବା କଥା ସମସ୍ତେ କହୁଛନ୍ତି । କିନ୍ତୁ ନବୀନଙ୍କ ନିଷ୍ପତ୍ତି ଉପରେ ତଥାଗତ ଯେଉଁଭଳି ଭାବରେ ଟ୍ୱିଟ କରିଛନ୍ତି ଓ କୁକୁର ଫଟୋ ଦେଇଛନ୍ତି ତାଙ୍କର ଦୃଢ଼ ସାହସୀକତାକୁ ମଧ୍ୟ ଅନେକ ପସନ୍ଦ କରୁଛନ୍ତି । ଦଳ ଭିତରେ କିଛି ଏଭଳି ନେତା ଅଛନ୍ତି ଯେଉଁମାନେ ତଥାଗତଙ୍କ ଏହି ଟ୍ୱିଟକୁ ବେଶ ପ୍ରଶଂସା ମଧ୍ୟ କରୁଛନ୍ତି । ତଥାଗତ ବେଶ ଚତୁର ନେତା । ଏଣୁ ସେ ଜାଣିଛନ୍ତି ସିଧା ସଳଖ ନାମ ଦେଇ ଲେଖିଲେ ଅଡୁଆରେ ପଡ଼ିପାରନ୍ତି । ତେଣୁ ସାପ ମରିବ ବାଡ଼ି ଭାଙ୍ଗିବନି ନ୍ୟାୟରେ ଟ୍ୱିଟ କରିଛନ୍ତି । ରାଜ୍ୟସଭା କଥା ଉଲ୍ଲେଖ କରି ଶୋଇ ରହିଥିବା କୁକୁର ଫଟୋ ଦେବା ଫଳରେ ତାହା ମାଧ୍ୟମରେ ସେ ଅନେକ କିଛି କଟୁ ମନୋଭାବ ପୋଷଣ କରିଛନ୍ତି । ଏଥିରୁ ସବୁ କିଛି ଜଣାପଡ଼ିଯାଉଛି ବୋଲି କୁହାଯାଉଛି । ଅଧିକ କିଛି ଲେଖିବା କି ନାମ ଦେବାର ଆବଶ୍ୟକ ନାହିଁ ।
ରାଜ୍ୟସଭା ନିର୍ବାଚନ ପାଇଁ ନବୀନ ଯେଉଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ସେଥିରେ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତ ଅଛନ୍ତି । ଏମାନେ କେହି ଜଣେ ହେଲେ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ନୁହଁନ୍ତି କିମ୍ବା ପୁରୁଖା ନେତା ମଧ୍ୟ ନୁହଁନ୍ତି । ଏଥିରେ ଅନେକଙ୍କର ଦଳରେ ଯୋଗଦାନ ବହୁ ବିଳମ୍ବରେ ହୋଇଛି । କୁହାଯାଉଛି ଏମାନଙ୍କ ଭିତରୁ ଅଧିକାଂଶ ୫-୧୦ ବର୍ଷ ଭିତରେ ବିଜେଡିକୁ ଆସିଛନ୍ତି । ପୁରୁଖାନେତାମାନେ ଆଉ ସୁପ୍ରିମୋଙ୍କ ଶୁଭ ଦୃଷ୍ଟିରେ ନାହାଁନ୍ତି । ଏହା ଏଥିରୁ ସୂଚନା ମିଳୁଥିବା କଥା କୁହାଯାଉଛି ।
ତଥାଗତ ମୁଖ୍ୟତଃ ଯାହା ଲେଖିଛନ୍ତି ସେଥିରେ ସେ କହିବାକୁ ଚାହିଁଛନ୍ତି ବିଜେଡିରେ ଯେଉଁମାନେ କୁକୁର ଭଳି ମୁହଁ ପୋତି ପଡ଼ି ରହିଥିବେ ଓ ଯେତେ ଯାହା ହେଲେବି ଭୁକିବେ ନାହିଁ କି ପାଟି ଖୋଲିବେ ନାହିଁ ସେହିଭଳି ନେତାମାନଙ୍କୁ ନବୀନ ବାଛୁଛନ୍ତି । ନବୀନଙ୍କ ପାଖରେ ଅନ୍ୟ କିଛି ଗୁଣଗାରିମା ଓ କହିପାରୁଥିବା ବ୍ୟକ୍ତିଙ୍କର କିଛି ମାନେ ରହୁନାହିଁ । ସେ ଯେଉଁ କୁକୁର ଫଟୋ ଦେଇଛନ୍ତି ସେ କୁକୁର ଭୁକୁଥିବା ଫଟୋ ଦେଇନାହାଁନ୍ତି । ମୁହଁ ମାଡ଼ି ଶୋଇରହିଥିବାର ଫଟୋ ଦେଇଛନ୍ତି । ନବୀନ ନିଜକୁ ଲୋକଙ୍କ ନେତା ବୋଲି କହୁଛନ୍ତି ଓ ସମସ୍ତଙ୍କ ପାଇଁ ସେ ପ୍ରୀୟ ବୋଲି ଦର୍ଶାଉଛନ୍ତି । ହେଲେ ସେ ଏଭଳି କିଛି ଲୋକଙ୍କୁ ବାଛୁଛନ୍ତି ଯିଏ ସବୁବେଳେ ହାଁ ଜୀ କହୁଥିôବ ।
ଶୋଇ ରହିଥିବା କୁକୁର ଫଟୋ ଟି ଦେଇ ନବୀନଙ୍କ ନିଷ୍ପତ୍ତିକୁ ତଥାଗତ ଅପମାନର ଚରମ ସୀମାକୁ ନେଇଯାଇଥିବା କଥା କୁହାଯାଉଛି । ଦଳରେ ଥିôବାରୁ ସିଧା ସଳଖ ନାମ ଦେଇ ଲେଖିବା ପାଇଁ ହୁଏତ ସେ ସାହାସ କରି ନାହାଁନ୍ତି । ହେଲେ ମାଡ଼ ଠିକ ଜାଗାରେ ବାଜିବା ଭଳି କାମଟି ସେ କରିଛନ୍ତି । କାରଣ ରାଜ୍ୟସଭାରେ ବିଜେଡି ବ୍ୟତୀତ ବିଜେପି ପ୍ରାର୍ଥୀ ଦେଇନାହିଁ ଓ କଂଗ୍ରେସ ପ୍ରାର୍ଥୀ ଦେବ ନାହିଁ ବୋଲି ମନା କରିଦେଇଛି ।