28.1 C
Bhubaneswar
Wednesday, April 24, 2024
Homeଓଡିଶାଟାଟା କୋଭିଡ୍ ହସ୍‌ପିଟାଲ ରୋଗୀଙ୍କ ପାଇଁ ପ୍ରସ୍ତୁତ : ଜିଲ୍ଲାପାଳ

ଟାଟା କୋଭିଡ୍ ହସ୍‌ପିଟାଲ ରୋଗୀଙ୍କ ପାଇଁ ପ୍ରସ୍ତୁତ : ଜିଲ୍ଲାପାଳ

ବ୍ରହ୍ମପୁର: ରାଜ୍ୟ ସମେତ ଗଞ୍ଜାମ ଜିଲ୍ଳାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଳା ପ୍ରଶାସନ,ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ ହସ୍‌ପିଟାଲ ଗୁଡିକ ଏଥିପାଇଁ ପ୍ରସ୍ତୁତ କରୁଛନ୍ତି । ଏହି କ୍ରମରେ ଶୀତଳାପଲ୍ଲୀ ସ୍ଥିତ ଟାଟା କୋଭିଡ ହସପିଟାଲକୁ ପ୍ରସ୍ତୁତ କରିଥିବା ନେଇ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ ଏହି ହସପିଟାଲ ପୂର୍ବରୁ କୋଭିଡ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ତେଣୁ ଚଳିତ ଥର ମଧ୍ୟ ଏଠାରେ ସମସ୍ତ ସେବା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ପ୍ରସ୍ତୁତ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ତରଫରୁ ପ୍ରାପ୍ତ ସୂଚନା ଅନୁଯାୟୀ ଏଠାରେ ପ୍ରଫେସର, ବରିଷ୍ଠ ଡାକ୍ତର ସତ୍ୟଦର୍ଶୀ ପଟ୍ଟନାୟକ କ୍ଷମତାପ୍ରାପ୍ତ ମେଡିକାଲ ଅଫିସର ଭାବେ ଦାୟିତ୍ୱ ନିର୍ବାହ କରିବେ । ତୃତୀୟ ଲହର ବେଳେ ଏଠାକୁ ଆସୁଥିବା କୋଭିଡ ରୋଗୀଙ୍କୁ ସଠିକ ଚିକିତ୍ସା ସେବା ପ୍ରଦାନ କରିବ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସମସ୍ତ ଚିକିତ୍ସା ସଂପର୍କିତ ଗାଇଡ ଲାଇନକୁ ପାଳନ କରିବ । ଏହା କୋଭିଡ ରୋଗୀଙ୍କ ପାଇଁ ଉତ୍ସର୍ଗୀକୃତ ହସପିଟାଲ ହୋଇଥିବାରୁ ତଦନୁଯାୟୀ ବ୍ୟବସ୍ଥା କରାଯିବ । ଏଠାରେ କାର୍ଯ୍ୟରତ ଚିକିତ୍ସକ, କର୍ମଚାରୀ ସଠିକ ପିପିଇ ଉପକରଣର ବ୍ୟବହାର କରିବେ ।

ରୋଗ ନିଦାନ ପ୍ରକ୍ରିୟାକୁ ସଠିକ ଭାବେ ପାଳନ କରାଯିବ । ଏଠାରେ ଉପଲବଧ ସମସ୍ତ ରୋଗୀ ଶଯ୍ୟାରେ ଅକ୍ସିଜେନ ପ୍ରଦାନ କରାଯିବ । ଏଠାରେ ଥିବା କ୍ଷମତାପ୍ରାପ୍ତ ମେଡିକାଲ ଅଧିକାରୀ ଡାକ୍ତର ସତ୍ୟଦର୍ଶୀ ପଟ୍ଟନାୟକ ଉପରୋକ୍ତ ବିଷୟଗୁଡିକୁ ସଠିକ ଭାବେ ତଦାରଖ କରିବେ । ସେହିଭଳି ଏଠାରେ ଚିକିତ୍ସା ସଂପର୍କିତ କାର୍ଯ୍ୟ କରିବା ପାଇଁ କିଭଳି ମାନବ ସମ୍ବଳର ସଠିକ ପରିଚାଳନା କରିବେ ବୋଲି ଜିଲ୍ଳାପାଳଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶରେ ଉଲ୍ଳେଖ କରାଯାଇଛି । ଅନ୍ୟପକ୍ଷରେ ଏହି କୋଭିଡ ହସପିଟାଲରେ କ୍ଷମତାପ୍ରାପ୍ତ ପ୍ରାଶାସନିକ ଅଧିକାରୀ ଭାବେ ବିଡିଏ ସଚିବ ସମ୍ବିତ ରାଉତ ଦାୟିତ୍ୱ ନିର୍ବାହ କରିବେ ।

ଶ୍ରୀ ରାଉତ ମେଡିକାଲ ଅଧିକାରୀଙ୍କୁ ଦୈନନ୍ଦିନ କାର୍ଯ୍ୟକ୍ରମରେ ସହଯୋଗ କରିବେ । ଉପରୋକ୍ତ ଦୁଇ ଅଧିକାରୀଙ୍କ ସମେତ ଏଠାରେ ପରିଚାଳନା ପାଇଁ ଜଣେ ମ୍ୟାନେଜର ରହିବେ । ସେ ସଂପର୍କରେ ଟାଟା କୋଭିଡ ହସପିଟାଲ କର୍ତ୍ତୃପକ୍ଷ (ହାଇଟେକ ହସପିଟାଲ) ଘୋଷଣା କରିବେ । ସଂପୃକ୍ତ ମ୍ୟାନେଜର ହସ୍‌ପିଟାଲରେ ରୋଗୀଙ୍କୁ ଯୋଗାଣ ହେଉଥିବା ଖାଦ୍ୟପେୟର ବ୍ୟବସ୍ଥା ସହ ହସପିଟାଲର ପରିମଳ, କର୍ମଚାରୀ ପରିଚାଳନା, ବାୟୋ ମେଡିକାଲ ବର୍ଜ୍ୟବସ୍ତୁ ଗୁଡିକର ସଠିକ ପରିଚାଳନା ଆଦିର ତଦାରଖ କରିବେ ମ୍ୟାନେଜର ।

ଏହା ସହ ଏଠାରେ କାର୍ଯ୍ୟରତ ଡାକ୍ତର ଏବଂ ସହଯୋଗୀ କର୍ମଚାରୀଙ୍କ  ରହିବା ପାଇଁ ଉତ୍ତମ ବ୍ୟବସ୍ଥା କରିବେ । ପ୍ରକାଶ ଯୋଗ୍ୟ ଯେ କୋଭିଡ ଚିକିତ୍ସା ସମୟରେ ଉପରୋକ୍ତ ବିଷୟ ଗୁଡିକର ସଠିକ ତଦାରଖ ନ କଲେ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇପାରେ । ଅତୀତରେ ଏ ନେଇ କେତେକ ଅଭିଯୋଗ ହୋଇଥିଲା । ତେଣୁ ଚଳିତ ଥର ତାହାର ପୁନରାବୃତି ଯେଭଳି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନ ସମସ୍ତ ପଦକ୍ଷେପ ନେଇଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking