33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଟଳୁନି ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ: ସୁପ୍ରିମକୋର୍ଟ ଗଲେ ବିଦ୍ରୋହୀ ଗୋଷ୍ଠୀ

ଟଳୁନି ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ: ସୁପ୍ରିମକୋର୍ଟ ଗଲେ ବିଦ୍ରୋହୀ ଗୋଷ୍ଠୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମେଣ୍ଟ ସରକାରରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି । ଶିବସେନା ମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଗୁଆହାଟୀରେ ଡେରା ପକାଇଥିବା ବିଦ୍ରୋହୀ ବିଧାୟକମାନେ ରବିବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦୁଇଟି ପ୍ରସଙ୍ଗରେ ନିଜର ଅସନ୍ତୋଷ ବ୍ୟକ୍ତ କରି ବିଦ୍ରୋହୀ ଗୋଷ୍ଠୀ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିବା ଜଣାପଡିଛି । ଆସନ୍ତାକାଲି ଅର୍ଥାତ ସୋମବାର ମାମଲାର ଶୁଣାଣି କରାଯିବ । ସିନ୍ଧେଙ୍କ ପରିବର୍ତ୍ତେ ଅଜୟ ଚୌଧୁରୀଙ୍କୁ ଶିବସେନା ବିଧାୟକ ଦଳର ନେତା ମନୋନୟନ ଏବଂ ଉପବାଚସ୍ପତି ନରହରି ଜିର୍‌ୱାଲଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ନାକଚ କରାଯାଇଥିବା ପ୍ରତିବାଦରେ ବିଦ୍ରୋହୀ ଗୋଷ୍ଠୀ ଏହି ପିଟିସନ ଦାଏର କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଅଧ୍ୟକ୍ଷତାରେ ମୁମ୍ବାଇରେ ଅନୁଷ୍ଠିତ ଦଳୀୟ ବୈଠକରେ ଯୋଗଦେଇନଥିବାରୁ ଉପବାଚସ୍ପତିଙ୍କ ପକ୍ଷରୁ ଶନିବାର ୧୬ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନୋଟିସ ଜାରି କରାଯାଇଛି ।

ଉପବାଚସ୍ପତିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବର ଭାଗ୍ୟ ନିର୍ଦ୍ଧାରଣ ନହେବା ପର୍ଯ୍ୟନ୍ତ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରିବନି ବୋଲି ନିର୍ଦ୍ଦେଶ ଦେବାକୁ ପିଟିସନରେ ଉଲ୍ଲେଖ କରାଯାଇଛି । ଏଥିସହିତ ବିଦ୍ରୋହୀ ବିଧାୟକଙ୍କ ପରିବାରକୁ ସୁରକ୍ଷା ଯୋଗାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ମଧ୍ୟ ସେମାନେ ଦାବି କରିଛନ୍ତି । ଅଯୋଗ୍ୟ ଘୋଷଣା ପ୍ରସଙ୍ଗ ଯୁକ୍ତିସଙ୍ଗତ ନୁହେଁ ବୋଲି ସିନ୍ଧେଙ୍କ ସମର୍ଥକମାନେ କହିଛନ୍ତି । ଦଳୀୟ ବୈଠକରେ ଅନୁପସ୍ଥିତ ରହିବା କାରଣରୁ ନୁହେଁ, କେବଳ ବିଧାନସଭାରେ ଘଟୁଥିବା ଘଟଣାକୁ ନେଇ କୌଣସି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରେ ବୋଲି ସେମାନେ ଯୁକ୍ତି ଦର୍ଶାଇଛନ୍ତି ।

ଅପରପକ୍ଷରେ ସୁପ୍ରିମକୋର୍ଟ ଆଇନଜୀବୀ ଦେବଦତ୍ତ କାମାତ୍ କହିଛନ୍ତି ଯେ ଅତୀତରେ ରାଜ୍ୟ ବାହାରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ବିଧାୟକମାନେ ଅଯୋଗ୍ୟ ଘୋଷିତ ହୋଇଥିବାରୁ ଅନେକ ଦୃଷ୍ଟାନ୍ତ ରହିଛି । ପୁନଶ୍ଚ ଅନ୍ୟ କୌଣସି ଦଳରେ ସାମିଲ ନହେଲେ ଏହି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ବ୍ୟବସ୍ଥା ଆଇନରେ ରହିଛି ବୋଲି କାମାତ୍ କହିଛନ୍ତି । ଅପରପକ୍ଷରେ ବିଦ୍ରୋହରେ ସାମିଲ ହୋଇଥିବା ୫ ଜଣ ମନ୍ତ୍ରୀ ଏକନାଥ ସିନ୍ଧେ, ଗୁଲାବରାଓ ପାଟିଲ, ଦାଦା ଭୁସେ, ଅବଦୁଲ ସତ୍ତାର ଓ ଶମ୍ଭୁରାଜ ଦେଶାଇଙ୍କୁ ମନ୍ତ୍ରିପଦରୁ ବହିଷ୍କାର କରିବାକୁ ଶିବସେନା ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡିଛି । ଇତିମଧ୍ୟର ଠାକ୍‌ରେ କ୍ୟାବିନେଟର ଆଉ ଜଣେ ମନ୍ତ୍ରୀ ଉଦୟ ସାୱନ୍ତ ରବିବାର ଗୁଆହାଟୀରେ ପହଞ୍ଚି ବିଦ୍ରୋହୀ ଶିବିରରେ ଯୋଗଦେଇଥିବା ଜଣାପଡିଛି । ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହେବାରେ ଉଦୟ ହେଉଛନ୍ତି ନବମ ମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking