କାବୁଲ: ତାଲିବାନ ଆତଙ୍କି ଗୋଷ୍ଠୀ ଆଫଗାନିସ୍ତାନରେ ୧୩୮ ଜଣ ଆମେରିକା ସମର୍ଥକଙ୍କୁ ଗୁଳିମାରି ହତ୍ୟା କରିଛନ୍ତି । ଆମେରିକା ଆଫଗାନିସ୍ତାନ ଛାଡିବାର ଦିନକ ପରେ ତାଲିବାନ ଆତଙ୍କିମାନେ ଆଫଗାନିସ୍ତାନରେ ଘରକୁ ଘର ଆମେରିକା ସମର୍ଥକ ଏବଂ ସେମାନଙ୍କ ସହିତ ମିଶି କାମ କରୁଥିବା ଆଫଗାନ ନାଗରିକ ଓ ସେମାନଙ୍କ ପରିବାରବର୍ଗଙ୍କୁ ଖୋଜିବା ଆରମ୍ଭ କରିଦେଇଛନ୍ତି । ଏହିଭଳି ଲୋକଙ୍କୁ ଠାବ କରିବା ପରେ ସେମାନଙ୍କୁ ବନ୍ଧୁକ ମୁନରେ ଘରୁ ଉଠାଇ ଆଣୁଛନ୍ତି ତାଲିବାନ ଆତଙ୍କି ଗୋଷ୍ଠୀ । ସେମାନଙ୍କ ସର୍ବସମ୍ମୁଖରେ ରାସ୍ତା ଉପରେ ଗୁଳିକରି ହତ୍ୟା କରାଯାଉଛି । ଗତକାଲି ଦେଶର ବିଭିନ୍ନ ଭାଗରେ ତାଲିବାନ ଆତଙ୍କି ଏହିଭଳି ୧୩୮ ଲୋକଙ୍କୁ ହତ୍ୟା କରିଥିବା ଖବର ମିଳିଛି । ଏହା ପୂର୍ବରୁ ସେମାନେ ଜଣେ ଆମେରିକା ସମର୍ଥକଙ୍କ ହାତ ଗୋଡ ବାନ୍ଧି ତାଙ୍କୁ ଉଡନ୍ତା ହେଲିକପ୍ଟର ତଳେ ଝୁଲାଇ ଫାଶି ଦେଇଥିଲେ ।
ଆମେରିକା ସେନାର ସଂପୂର୍ଣ୍ଣ ପ୍ରତ୍ୟାହାର ପରେ ରାଷ୍ଟ୍ରପତି ଜୋ ବାଇଡେନ୍ କହିଥିଲେ ଯେ, ଏବେ ଆଫଗାନିସ୍ତାନରେ ଆମର ୨୦ ବର୍ଷର ସାମରିକ ଉପସ୍ଥିତିର ପରିସମାପ୍ତି ହୋଇଛି । ଆଫଗାନିସ୍ତାନରୁ ବିପଜ୍ଜନକ ପରିସ୍ଥିତିରେ ବି ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାରୁ ବାଇଡେନ କମାଣ୍ଡରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ଆମ କାମ ଶେଷ ହୋଇଛି ବୋଲି ବାଇଡେନ କହିଛନ୍ତି । ସୂଚନାଯୋଗ୍ୟ, ପ୍ରତ୍ୟାବର୍ତନର ଶେଷ ପର୍ଯ୍ୟାୟରେ ଆଇଏସ୍-କେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ଆମେରିକା ୧୩ ଜଣ ସୈନିକଙ୍କୁ ହରାଇଥିବାରୁ ଏହାକୁ ନେଇ ଦେଶବ୍ୟାପୀ ବାଇଡେନଙ୍କ ବିରୋଧରେ ଅସନ୍ତୋଷ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ହଜାର ହଜାର ଆଫ୍ଗାନ ଶରଣାର୍ଥୀଙ୍କୁ ନେଇ ଆମେରିକାର ସୁରକ୍ଷା ସ୍ଥିତି ମଧ୍ୟ ଜଟିଳ ହେବା ଆଶଙ୍କା କରି ରିପବ୍ଲିକାନ ସାଂସଦମାନେ ବାଇଡେନ୍ ପ୍ରଶାସନର ନୀତିକୁ କଡ଼ା ସମାଲୋଚନା କରିଛନ୍ତି ।