35.1 C
Bhubaneswar
Tuesday, April 23, 2024
Homeଓଡିଶାତାଳଚେରରୁ ଝାଡଖଣ୍ଡ, ସାଇକେଲରେ ଯାଉଛନ୍ତି ୭ ଶ୍ରମିକ

ତାଳଚେରରୁ ଝାଡଖଣ୍ଡ, ସାଇକେଲରେ ଯାଉଛନ୍ତି ୭ ଶ୍ରମିକ

କେନ୍ଦୁଝର : ଦେଶରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ ଘୋଷଣା ହୋଇଛି। ଯିଏ ଯେଉଁଠି ଅଛନ୍ତି ସେଠାରେ ରହିବା ପାଇଁ ସରକାର ଆହ୍ବାନ ଦେଇଛନ୍ତି । ଏହା ସତ୍ତ୍ୱେ ଅନେକ ସମୟରେ ଶ୍ରମିକମାନେ ଚାଲିଚାଲି ଓ ସାଇକେଲରେ ନିଜ ନିଜ ଘରକୁ ଫେରୁଥିବାରୁ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଅନ୍ୟପକ୍ଷେ ଜିଲ୍ଲା ଓ ରାଜ୍ୟ ସୀମା ସିଲ୍ ଥିବା କୁହାଯାଉଥିବା ବେଳେ ଅନ୍ୟ ରାଜ୍ୟ ଓ ଜିଲ୍ଲା ରୁ ଶ୍ରମିକମାନେ ଚାଲି ଆସୁଥିବାରୁ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ପ୍ରକାଶ ପାଇଛି। ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରୁ ୭ ଜଣ ଶ୍ରମିକ କେନ୍ଦୁଝର ଜିଲ୍ଲା ଦେଇ ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ କି.ମି ଦୂର ଝାଡ଼ଖଣ୍ଡ ରାଜ୍ୟର ଦେଓଘର ଜିଲ୍ଲା ଅଭିମୁଖେ ଯାଉଥିବା ଘଟଣା ଆଲୋଚ୍ୟର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ସେମାନେ ଜଣେ ଠିକାଦାର ପାଖରେ ରହି କାମ କରୁଥିଲେ। କରୋନା ପାଇଁ ଲକ୍ ଡାଉନ ହେବା ପରେ କାମଧନ୍ଦା ବନ୍ଦ ହୋଇ ଯାଇଥିଲା। ବିନା କାମରେ ୧୮ଦିନ ଅସୁବିଧାରେ ବସି ରହିବା ପରେ ଘରକୁ ଫେରିବା ପାଇଁ ସେମାନେ ନିଷ୍ପତ୍ତି ନେଇଥିଲେ। ଶ୍ରମିକ ସତ୍ୟନାରାୟଣ ଗୋସ୍ବାମୀ ଓ ମନୋଜ ଗୋସ୍ବାମୀଙ୍କ କହିବା ଅନୁସାରେ ଲକ୍ ଡାଉନ ହେବା ପରେ ଠିକାଦାର କାମ ବନ୍ଦ କରି ଚାଲିଯାଇଥିଲେ। ଫଳରେ ସେମାନଙ୍କ ପାଖରେ ଯାହା ଅର୍ଥ ଥିଲା ତାହା ଶେଷ ହୋଇ ଯାଇଥିଲା । ତେଣୁ ବାଧ୍ୟହୋଇ ଗତ ରବିବାର ଠାରୁୁ ସେମାନେ ଘରମୁହାଁ ହୋଇଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ରାତିରେ ସେମାନେ ପଳାଶପଙ୍ଗା ସ୍ପଞ୍ଜ ଛକରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଝାରଖଣ୍ଡ ଯିବା ରାସ୍ତା ପଚାରିବା ସହ କିଛି ଖାଇ ନ ଥିବା କୋହଭରା କଣ୍ଠରେ କହିଥିଲେ। ସେଠାରେ ଉପସ୍ଥିତ ପଳାଶପଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ଗିରି ଓ ସମାଜସେବୀ ହେମନ୍ତ କୁମାର ପ୍ରଧାନ କିଛି ଶୁଖିଲା ଖାଦ୍ୟ ଓ ପାଣି ବୋତଲ ସେମାନଙ୍କୁ ଯୋଗାଇ ଦେଇଥିଲେ। ପରେ ସେମାନେ ନିଜନିଜ ସାଇକେଲ ଧରି ସେଠାରୁ ଘର ଅଭିମୁଖେ ବାହାରି ଯାଇଥିଲେ। ତେବେ ଏଭଳି ପାଦଚଲା, ମୋଟରସାଇକେଲ ଓ ସାଇକେଲରେ ଯାଉଥିବା ଲୋକମାନଙ୍କ ପ୍ରତି ପ୍ରଶାସନ ନଜର ନ ଦେଲେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking