34.1 C
Bhubaneswar
Friday, March 29, 2024
Homeଖେଳଟି-୨୦ ବିଶ୍ୱକପ୍‌ : ଭାରତୀୟ ଦଳରେ ଶାର୍ଦ୍ଦୁଲ

ଟି-୨୦ ବିଶ୍ୱକପ୍‌ : ଭାରତୀୟ ଦଳରେ ଶାର୍ଦ୍ଦୁଲ

ନୂଆଦିଲ୍ଲୀ:  ଆସନ୍ତା ୧୭ରୁ ଓମାନ୍ ଓ ୟୁଏଇରେ ଆରମ୍ଭ ହେଉଥିବା ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ବୁଧବାର ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇ ସ୍ପିନର୍ ଅକ୍ଷର ପଟେଲ୍‌ଙ୍କ ସ୍ଥାନରେ ପେସର୍ ଶାର୍ଦ୍ଦୁଲ ଠାକୁରଙ୍କୁ ସାମିଲ କରାଯାଇଛି । ଚଳିତ ଆଇପିଏଲ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍‌ସ ପକ୍ଷରୁ ଖେଳୁଥିବା ୨୯ ବର୍ଷୀୟ ଶାର୍ଦ୍ଦୁଲ୍ ଆକର୍ଷଣୀୟ ବୋଲିଂ କରିବା ସହ ଅଦ୍ୟାବଧି ୧୮ଟି ୱିକେଟ୍ ନେଇସାରିଛନ୍ତି । ‘ଟିମ୍ ମ୍ୟାନେଜମେଣ୍ଟର ସିନିୟର୍ ସିଲେକ୍ସନ୍ କମିଟି ସହ ଆଲୋଚନା ପରେ ଶାର୍ଦ୍ଦୁଲ୍‌ଙ୍କୁ ମୁଖ୍ୟ ଦଳରେ ସାମିଲ କରାଯାଇଛି । ପୂର୍ବରୁ ୧୫ ଜଣିଆ ଦଳର ସଦସ୍ୟ ଥିବା ସ୍ପିନ୍ ଅଲ୍‌ରାଉଣ୍ଡର ଅକ୍ଷର ଏବେ ଷ୍ଟାଣ୍ଡ୍‌ବାଇ ଖେଳାଳି ଭାବେ ଦଳ ସହ ରହିବେ’ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ଏକ ବିବୃତିରେ କହିଛନ୍ତି ।

ଫିଟ୍‌ନେସ୍‌କୁ ନେଇ ପେସ୍ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ଆଇପିଏଲ୍‌ରେ ବୋଲିଂ କରିନଥିବାରୁ ବିସିସିଆଇ ଚୟ୍ କମିଟି ସଦସ୍ୟମାନେ ତାଙ୍କର କଭର୍ ଭାବେ ଶାର୍ଦ୍ଦୁଲ୍‌ଙ୍କୁ ଦଳରେ ସାମିଲ କରିଛନ୍ତି । ଯଦି ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଆହତ ହୁଅନ୍ତି, ତା’ହେଲେ ଅକ୍ଷର ମୁଖ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରିବେ । ସେହିପରି ପୂର୍ବରୁ ହର୍ଷଲ୍ ପଟେଲ୍‌ଙ୍କୁ ନେଟ୍ ବୋଲର୍ ଭାବେ ଭାରତୀୟ ଦଳରେ ସାମିଲ କରାଯାଇଥିବା ଜଣାପଡ଼ିଛିି । ଅନ୍ୟପକ୍ଷରେ ଦୁବାଇରେ ଭାରତୀୟ ଦଳର ପ୍ରସ୍ତୁତିରେ ସହାୟତା କରିବା ନିମନ୍ତେ ଅଭେଶ୍ ଖାନ୍‌, ଉମ୍‌ରାନ୍ ମଲିକ, ହର୍ଷଲ୍ ପଟେଲ, ଲୁକ୍‌ମାନ୍ ମେରିୱାଲା, ଭେଙ୍କଟେଶ ଆୟର, କର୍ଣ୍ଣ ଶର୍ମା, ଶାହବାଜ୍ ଅହମ୍ମଦ ଓ କ୍ରିଷ୍ଣାପ୍ପା ଗୌତମ ଦଳର ବାୟୋ ବବଲ୍‌ରେ ଯୋଗଦେବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ଷ୍ଟାଣ୍ଡ୍‌ବାଇ ଖେଳାଳିଙ୍କ ମଧ୍ୟରେ ରେଳବାଇର ଲେଗ୍ ସ୍ପିନର୍ କର୍ଣ୍ଣ ଶର୍ମାଙ୍କ ସାମିଲ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ଟିମ୍ ଇଣ୍ଡିଆ ମେଣ୍ଟର୍ ହେବା ପରେ ମହେନ୍ଦ୍ର ସିଂ ଧୋନିଙ୍କ ସିଏସ୍‌କେ ଦଳର ସଦସ୍ୟ ଥିବା କର୍ଣ୍ଣଙ୍କୁ ବିଶ୍ୱକପ୍ ଦଳରେ ସ୍ଥାନ ମିଳିଥିବା କୁହାଯାଉଛି । ସିଜନ୍ ପରେ ସିଜନ୍ ସିଏସ୍‌କେ ତାଙ୍କୁ ରିଟେନ୍ କରିଆସୁଥିଲେ ମଧ୍ୟ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ବିଶେଷ ଭାବେ ସ୍ଥାନ ମିଳିପାରିନାହିଁ । ଅନ୍ୟପକ୍ଷରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ର ଲେଗ୍ ସ୍ପିନର୍ ୟୁଜବେନ୍ଦ୍ର ଚହଲ ଚଳିତ ଆଇପିଏଲ୍‌ରେ ଆକର୍ଷଣୀୟ ବୋଲିଂ କରି ୧୫ ମ୍ୟାଚ୍‌ରେ ୧୮ଟି ୱିକେଟ୍ ନେଇଥିଲେ ମଧ୍ୟ ବିଶ୍ୱକପ୍ ଦଳରେ ତାଙ୍କୁ ସ୍ଥାନ ମିଳିନାହିଁ । ସୂଚନାଯୋଗ୍ୟ ଯେ ଭାରତ ଆସନ୍ତା ୨୪ ତାରିଖରେ ପାକିସ୍ତାନ ବିପକ୍ଷରେ ତା’ର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking