40.1 C
Bhubaneswar
Wednesday, April 24, 2024
Homeଅପରାଧଭୁବନେଶ୍ୱରରୁ ସାଇବରଠକକୁ ଗିରଫ କଲା ମୁମ୍ବାଇ ପୁଲିସ

ଭୁବନେଶ୍ୱରରୁ ସାଇବରଠକକୁ ଗିରଫ କଲା ମୁମ୍ବାଇ ପୁଲିସ

ଭୁବନେଶ୍ୱର : ଝିଅ ପିଲାଙ୍କ ନାଁରେ ଫେସବୁକ୍‌ରେ ଫେକ୍ ଆକାଉଣ୍ଟ ଖୋଲୁଥିଲା । ପରେ ଏହି ଆକାଉଣ୍ଟରୁ ଯୁବକଙ୍କ ସହ ଅଶ୍ଲୀଳ ଚାଟ୍ କରୁଥିଲା । ଏମିତିକି ଯୁବକଙ୍କୁ ଅଶ୍ଲୀଳ ଫଟୋ ପଠାଇବା ସହ ଭିଡ଼ିଓ କଲିଂ କରୁଥିଲା । କିଛିଦିନ ପରେ ସମ୍ପୃକ୍ତ ଯୁବକଙ୍କୁ ବ୍ଲାକମେଲିଂ କରି ଟଙ୍କା ମାଗୁଥିଲା । ଏଭଳି ଘଟଣାରେ ମୁମ୍ବାଇ ସାଇବର କ୍ରାଇମ ସେଲ୍ ପୁଲିସ ରାଜଧାନୀର ଭରତପୁର ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲା ଦେବାଶିଷ କିର୍ତ୍ତନିଆ । ପୁଲିସ ବୁଧବାର ଦେବାଶିଷକୁ କୋର୍ଟରେ ହାଜର କରାଇ ଟ୍ରାଞ୍ଜିଟ୍ ରିମାଣ୍ଡରେ ମୁମ୍ବାଇ ନେଇଥିବା ଭରତପୁର ଥାନାଧିକାରୀ ଜ୍ୟୋତିରଞ୍ଜନ ପତି ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତର ଘର ମାଲକାନଗିରି ଜିଲ୍ଲାରେ । ସେ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାମ କରିବା ସହ ଭରତପୁର ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲା । କିଛିଦିନ ହେବ ସେ ଫେସବୁକ୍‌ରେ ବିଭିନ୍ନ ଝିଅଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲୁଥିଲା । ପରେ ଏହି ଆକାଉଣ୍ଟ ଜରିଆରେ ବିଭିନ୍ନ ଯୁବକଙ୍କୁ ଟାର୍ଗେଟ୍ କରୁଥିଲା । ପ୍ରଥମେ ସେମାନଙ୍କୁ ନିଜ ପ୍ରେମ ଜାଲରେ ଫସାଉଥିଲା । ପରେ ତାଙ୍କ ସହ ଅଶ୍ଲୀଳ ଚାଟିଂ କରିବା ସହ ଅଶ୍ଲୀଳ ଅଙ୍ଗ ପ୍ରଦର୍ଶନ କରିବାକୁ କହୁଥିଲା ।

ଏହି ସମୟର ସମସ୍ତ ଦୃଶ୍ୟକୁ ସେ ରେକର୍ଡ କରିଦେଉଥିଲା । ପରେ ସେହି ରେକର୍ଡ ଓ ଚାଟ୍‌କୁ ପଠାଇ ଯୁବକଙ୍କୁ ବ୍ଲାକ୍‌ମେଲିଂ କରୁଥିଲା । ଲକ୍ଷଲକ୍ଷ ଟଙ୍କା ଦାବି କରିବା ସହ ଟଙ୍କା ନଦେଲେ ଭିଡ଼ିଓ ଭାଇରାଲ୍ କରିଦେବାକୁ ଧମକ ଦେଉଥିଲା । ଏନେଇ ମୁମ୍ବାଇର ଜଣେ ଯୁବକ ମୁମ୍ବାଇ ପୁଲିସ ସାଇବର ସେଲ୍‌ରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା । ପରେ ପୁଲିସ ଘଟଣାର ତଦନ୍ତ କରି ଏହି ଫେକ୍ ଆକାଉଣ୍ଟ ଓଡ଼ିଶାରୁ ପରିଚାଳନା ହେଉଥିବା ଜାଣିବାକୁ ପାଇଥିଲା । ଏହାପରେ ମୁମ୍ବାଇ ପୁଲିସ ଏସମ୍ପର୍କରେ ଭୁବନେଶ୍ୱର ପୁଲିସକୁ ଅବଗତ କରିଥିଲା । ପରେ ସମ୍ପୃକ୍ତ ସାଇବର ଠକ ଜଣକ ଭରତପୁର ଅଞ୍ଚଳର ବୋଲି ଜଣାପଡ଼ିଥିଲା । ଏନେଇ ମୁମ୍ବାଇ ପୁଲିସର ଏକ ୪ଜଣିଆ ଟିମ୍ ମଙ୍ଗଳବାର ରାତିରେ ଭୁବନେଶ୍ୱରରେ ପହଞ୍ଚିଥିଲେ । ପରେ ବିଳମ୍ବିତ ରାତିରେ ଦେବାଶିଷ ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲେ । ବୁଧବାର ତାକୁ କୋର୍ଟରେ ହାଜର କରାଇ ଟ୍ରାଞ୍ଜିଟ୍ ରିମାଣ୍ଡରେ ମୁମ୍ବାଇ ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking