39.1 C
Bhubaneswar
Wednesday, April 24, 2024
Homeଓଡିଶାଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

– ମିଳିଲା ସୁଇସାଇଡ ନୋଟ୍‌
– ୩ ଜଣ ଛାତ୍ରୀଙ୍କ ଯୋଗୁ ଆତ୍ମହତ୍ୟା
ଭୁବନେଶ୍ୱର : ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ଜଣଙ୍କ କଟକ ଅଞ୍ଚଳର ରୂଚିକା ମହାନ୍ତି । ତାଙ୍କର ମୃତଦେହ କଲେଜ କାରୁବାକୀ ଛାତ୍ରୀନିବାସର ୨୦୧ ନମ୍ବର ରୁମରେ ବେକରେ ରଶି ଗୁଡ଼ାଇ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ଛାତ୍ରୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡ଼ିନଥିଲେ ମଧ୍ୟ ରାଗିଂ ଯୋଗୁଁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି । ଖବର ପାଇ ବଡ଼ଗଡ଼ ଥାନା ପୁଲିସ ହଷ୍ଟେଲରେ ପହଞ୍ଚି ତଦନ୍ତ ଚଳାଇଛି ।

ଏହାପରେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଛି । ଏଥିସହ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ । ତେବେ ଛାତ୍ରୀଙ୍କ ପକେଟରୁ ଏକ ମୋବାଇଲ ଫୋନ ଓ ଚିଠିକୁ ପୁଲିସ ଜବତ କରିଛି । ସେଥିରେ ୩ ଜଣ ସିନିୟରଙ୍କ ନିର୍ଯ୍ୟାତନା ସହି ହେଉନଥିବାରୁ ସେ ଆତ୍ମହତ୍ୟା କରିଥିବା ଉଲ୍ଲେଖ ରହିଛି । ଛାତ୍ରୀଙ୍କ ପରିବାର ଲୋକେ ମଧ୍ୟ ସିନିୟରଙ୍କ ନିର୍ଯ୍ୟାତନା ଯୋଗୁଁ ତାଙ୍କ ଝିଅ ଆତ୍ମହତ୍ୟା କରିଥିବା ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ସୁଇସାଇଡ ନୋଟ ମିଳିବା ପରେ କଲେଜ ଗେଟ ସମ୍ମୁଖରେ ପରିବାର ସଦସ୍ୟ ଓ ଛାତ୍ରମାନେ ଧାରଣାରେ ବସିବା ସହ ନାରାବାଜି ଦେଇଥିଲେ ।

ସୂଚନାଯୋଗ୍ୟ, ବିଜେବି କଲେଜ କାରୁବାକି ହଷ୍ଟେଲର ଡର୍ମେଟ୍ରି ହଲରେ ରହୁଥିଲେ ରୂଚିକା । ଯୁକ୍ତ ୩ ପ୍ରଥମ ବର୍ଷ କଳାର ଛାତ୍ରୀ ଥିଲେ ( ଇତିହାସ ବିଭାଗ ) । କିନ୍ତୁ ୨୦୧ ରୁମର ଛାତ୍ରୀଙ୍କ ସହ ରୁଚିକାଙ୍କ ଘନିଷ୍ଠ ସମ୍ପର୍କ ଥିଲା । ସେହି ରୁମରେ ସେ ଖାଇବା ପିଇବା, ପାଠପଢ଼ା ଆଦି କରୁଥିଲେ । ଶନିବାର କ୍ଲାସ ଥିବାରୁ ସାଙ୍ଗମାନେ କ୍ଲାସ କରିବାକୁ ୧୦ଟା ବେଳେ ଯାଇଥିଲେ । ଏହି ସମୟରେ ରୂଚିକା ଦେହ ଭଲନଥିବା କହି କ୍ଲାସକୁ ଯାଇନଥିଲେ । କିନ୍ତୁ କ୍ଳାସ୍ ସାରି ଫେରିଲେ ଗୋଟିଏ କଥା କହିବି ବୋଲି ସାଙ୍ଗମାନଙ୍କୁ କହିଥିଲେ । କ୍ଲାସ ସାରି ସାଙ୍ଗମାନେ ୧୧ଟା ୧୦ରେ ହଷ୍ଟେଲକୁ ଫେରିଥିଲେ ।

କିନ୍ତୁ ରୁମ୍ କବାଟ ଭିତର ପଟୁ ବନ୍ଦ ରହିଥିଲା । ଛାତ୍ରୀ ଜଣଙ୍କୁ ଡାକିବାରୁ ସେ କବାଟ ନ ଖୋଲିବାରୁ ହଷ୍ଟେଲ ୱାର୍ଡେନ୍ ଏବଂ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଖବର ଦିଆଯାଇଥିଲା । ଏହାପରେ ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ପହଞ୍ଚିବା ପରେ ଶାବଳ ସାହାଯ୍ୟରେ କବାଟ ତାଡି ମୃତଦେହ ଉଦ୍ଧାର କରିଥିଲା । ଏନେଇ ଡିସିପି ପ୍ରତୀକ ସିଂ କହିଛନ୍ତି, ବିଜେବି କଲେଜର ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଖବର ପାଇଥିଲୁ । ଖବର ପାଇ ସେଠାକୁ ବଡ଼ଗଡ଼ ଥାନା ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ଏଥିସହ ତାଙ୍କ ପାଖରୁ ଏକ ସୁଇସାଇଡ୍ ନୋଟ ମିଳିଛି । ଯେଉଁଥିରେ ୩ ଜଣ ସିନିୟର ରାଗିଂ କରିଥିବା ଉଲ୍ଲେଖ ରହିଛି । ତେଣୁ ୩ ସିନିୟର କିଏ ସେମାନଙ୍କୁ ଖୋଜା ଚାଲିଥିବା ବେଳେ ନୋଟ୍‌କୁ ହାଣ୍ଡରାଇଟିଂ ବ୍ୟୁରକୁ ପଠାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking