32.1 C
Bhubaneswar
Thursday, March 28, 2024
Homeଓଡିଶାଜଟଣୀରେ ସାଧାରଣ ଜନତାଙ୍କର ସ୍ଥିତିବାନ ସଂପତି ସେଟଲମେଂଟ ଅଫିସରଙ୍କ ଭୁଲ୍ ନିଷ୍ପତିକ୍ରମେ ଜଗନ୍ନାଥଙ୍କ ସଂପତିରେ ପରିଣତ...

ଜଟଣୀରେ ସାଧାରଣ ଜନତାଙ୍କର ସ୍ଥିତିବାନ ସଂପତି ସେଟଲମେଂଟ ଅଫିସରଙ୍କ ଭୁଲ୍ ନିଷ୍ପତିକ୍ରମେ ଜଗନ୍ନାଥଙ୍କ ସଂପତିରେ ପରିଣତ ହୋଇଛି – ସୁରେଶ କୁମାର ରାଉତରାୟ*

*
ଭୁବନେଶ୍ୱର – ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସୁରେଶ କୁମାର ରାଉତରାୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୨୦୧୨ ମସିହାରେ ସେଟଲମେଂଟ ଅଫିସରଙ୍କ ଭୁଲ୍ ନିଷ୍ପତି ଯୋଗୁଁ ଜଟଣୀ ମ୍ୟୁନିସିପାଲିଟି ତଥା ବେରୁଆଁ, ବାଇରଙ୍ଗ, ନିରଞ୍ଜନପୁର, ବୁଢାପଡା, ଭଁଅସ, ହରିରାଜପୁର, କନ୍ତିଆ, କୁଦିଆରୀ, ବଅଙ୍ଗ, ରଥିପୁର, ଜଟଣୀ, କୁସୁମାଟି, ଛଣଘର, ଓଗରସୁଆଁ, ରାମଚନ୍ଦ୍ରପୁରର ୧ ଲକ୍ଷ ୭୨ ହଜାର ଲୋକଙ୍କର ନିଜସ୍ୱ ଘରବାଡି ଡିହ, ବିଲ ଜଗନ୍ନାଥଙ୍କ ଜମିରେ ପରିଣତ ହୋଇଯାଇଛି । ସେଥିପାଇଁ ଏଥି ଅଂଚଳର ସାଧାରଣ ଜନତା ଜମି ଖର୍ଦ୍ଦି କି ବିକ୍ରୀ କରିପାରୁ ନାହାନ୍ତି । ବିବାହ, ବ୍ରତ, ମଡାଘର, ଶ୍ରାଦ୍ଧ ଏ ସମସ୍ତ ସାମାଜିକ କାର୍ଯ୍ୟ କରିବାରେ ଅସୁବିଧା ହେଉଛି । ଅନ୍ୟ ପକ୍ଷରେ ସରକାରଙ୍କ ଉନ୍ନତିମୂଳକ ଯୋଜନା ମଧ୍ୟ ଏହି ଅଂଚଳରେ କାର୍ଯ୍ୟକାରୀ ହୋଇପାରୁନାହିଁ । ଯଥା ଇନ୍ଦିରା ଆବାସ, ବିଜୁ ପକ୍କାଘର, ସମସ୍ତ ଆବାସ ସ୍କିମ୍‌ର ଉପଯୋଗ ହୋଇପାରୁ ନାହିଁ ଏବଂ ଏପରିକି ଖେଳ ପଡିଆ, ମେଲଣ ପଡିଆରେ ମଧ୍ୟ ସରକାରୀ ଅର୍ଥ ବିନିଯୋଗ ହୋଇପାରୁନାହିଁ ।
ମାନ୍ୟବର ହାଇକୋର୍ଟ ରେଭିନ୍ୟୁ ବୋର୍ଡକୁ ଏହି ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ସୁଫଳ ମିଳିନାହିଁ । ଅନ୍ୟ ପକ୍ଷରେ ରାଜ୍ୟ ସରକାର ଏହାର ସମାଧାନ ପାଇଁ ଏକ କମିଟି ଗଠନ କରିଛନ୍ତି । ଯେଉଁ କମିଟି ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାରମ୍ଭ କରିନାହାନ୍ତି ଏବଂ ଏହି ପ୍ରକ୍ରିୟାକୁ ପ୍ରଲୋମ୍ବିତ କରିବା ପାଇଁ ସମସ୍ତ କ୍ଷତିଗ୍ରସ୍ତ ଲୋକଙ୍କୁ ଗୋଟି ଗୋଟି କରି ଦରଖାସ୍ତ ମାଗୁଛନ୍ତି । ମାତ୍ର ଜଣେ ସେଟଲମେଂଟ ଅଫିସରଙ୍କ ଗୋଟିଏ ଅର୍ଡରରେ ଆମ ସମସ୍ତଙ୍କ ଜମିଜମା ଜଗନ୍ନାଥଙ୍କ ଜମିରେ ପରିଣତ ହୋଇଗଲା । କ୍ଷତିଗ୍ରସ୍ତ ଲୋକଙ୍କର ଦାବି ଏହିକି ଯେ ୨୦୨୦ ସୁଦ୍ଧା ସେହିଭଳି ଗୋଟିଏ ଅର୍ଡରରେ ଏହି ଜମିଜମାର ଅସଲ ମାଲିକଙ୍କୁ ନିଜର ଭୂସଂପତି ଫେରାଇ ଦିଆଯାଉ ।
ଏହି ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଜଟଣୀ ଓ ଭୁବନେଶ୍ୱରର କିଛି ଅନ୍ୟଦଳର କର୍ମୀ ଓ ନେତା କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ସଂଗ୍ରାମ ସାମଲ ଓ ବନ୍ଧନ କୁମାର ଛୋଟରାୟଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଅବସରରେ କଂଗ୍ରେସର ନୀତି ଆଦର୍ଶକୁ ପାଥେୟ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱକୁ ଭରସା କରି ଦଳରେ ଯୋଗଦେଇଥିଲେ ।
ଆଜି ଅନୁଷ୍ଠିତ ଏହି କାର୍ଯ୍ୟକମରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ପଂଚାନନ କାନୁନ୍‌ଗୋ, ଶୁଭେନ୍ଦୁ ମହାନ୍ତି, ଜ୍ଞାନଦେବ ବେଉରା, ସୁଦର୍ଶନ ଦାସ, ମନୋରଞ୍ଜନ ଦାସ, ମନ୍ମଥ ରାଉତରାୟ, ଚିନ୍ମୟ ସୁନ୍ଦର ଦାସ, ଜୟକୃଷ୍ଣ ମଲିଆ, କୁନା ମୁଦୁଲି, ପ୍ରଫୁଲ୍ଲ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking