30.1 C
Bhubaneswar
Thursday, April 25, 2024
HomeUncategorizedଦୁଇ ସୁରଟ ଫେରନ୍ତାଙ୍କ ମୃତ୍ୟୁ : କରୋନା ସନ୍ଦେହରେ ଶବ ଛୁଇଁବାକୁ ଗ୍ରାମବାସୀ ଅମଙ୍ଗ

ଦୁଇ ସୁରଟ ଫେରନ୍ତାଙ୍କ ମୃତ୍ୟୁ : କରୋନା ସନ୍ଦେହରେ ଶବ ଛୁଇଁବାକୁ ଗ୍ରାମବାସୀ ଅମଙ୍ଗ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଓ ବୁଗୁଡ଼ା ବ୍ଲକରେ ଦୁଇ ସୁରଟ ଫେରନ୍ତା ଯୁବକଙ୍କ ମୃତ୍ୟୁ ହୋଇଛି । ବେଲଗୁଣ୍ଠା ବ୍ଲକ ଖଇରପୁଟି ପଞ୍ଚାୟତ ସାନସାଡରା ଗ୍ରାମର ସନ୍ତୋଷ ବରାଡ ଓ ତା’ର ସ୍ତ୍ରୀ ସୁରଟରୁ ଫେରିବା ପରେ କ୍ଷତ୍ରୀୟବରପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସଂଗରୋଧରେ ରହିଥିଲେ । ସେଠାରେ ସନ୍ତୋଷଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିଥିଲା । ତାଙ୍କୁ ପ୍ରଥମେ ଭଞ୍ଜନଗର କୋଭିଡ ସେଣ୍ଟର ଓ ପରେ ବ୍ରହ୍ମପୁର ଶୀତଲାପଲ୍ଲୀସ୍ଥିତ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସା୍ଥରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି । ସଂଗରୋଧ କେନ୍ଦ୍ରରେ ସ୍ୱାସ୍ଥ୍ୟରେ ଅବନତି ଘଟିଥିଲେ ମଧ୍ୟ କେହି ତାଙ୍କୁ ମେଡିକାଲକୁ ନେଇନଥିଲେ ବୋଲି ସନ୍ତୋଷର ଭାଇ ବିନୋଦ ଅଭିଯୋଗ କରିଛନ୍ତି । କିନ୍ତୁ ପ୍ରଶାସନ ଏହାକୁ ଖଣ୍ଡନ କରିଛି । ସନ୍ତୋଷ ମଧୁମେହ ରୋଗ ଥିବାରୁ ସଂଗରୋଧ ଅବଧି ସରିବାର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଘରକୁ ଛାଡି ଦିଆଯାଇଥିଲା । ପରିବାର ଲୋକେ ଭଞ୍ଜନଗର କୋଭିଡ କେୟାର ସେଣ୍ଟରକୁ ନେଇଥିଲେ । ସେଠାରୁ ଏକ କୋଭିଡ ଭେନରେ ବ୍ରହ୍ମପୁର ଶୀତଲାପଲୀ କୋଭିଡ ହସପିଟାଲରେ ଗୁରୁବାର ସନ୍ଧ୍ୟାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଶୁକ୍ରବାର ମୃତ୍ୟୁବରଣ କରିଛନ୍ତି । ଶୁକ୍ରବାର ୭ଟା ସମୟରେ ସନ୍ତୋଷର ଶବ ନିଜ ଗ୍ରାମରେ ପହଁଚିବା ପରେ ତାଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିବା ଦର୍ଶାଇ ଶବ ନେବା ପାଇଁ ଗ୍ରାମବାସୀ ବିରୋଧ କରିଥିଲେ । ପରେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା, ବିଡିଓ ଶଶିଭୂଷଣ ମହାପାତ୍ର ଖଇରପୁଟି ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଫୋନ କରି ସନ୍ତୋଷର ମୃତ୍ୟୁ କରୋନା ଜନିତ ନୁହଁ ବୋଲି କହିବା ସହ ସେ ମଧୁମେହ ରକ୍ତଚାପ ଓ ଟିବି ରୋଗରେ ଆକ୍ରାନ୍ତ ଥିବା ପ୍ରକାଶ କରିଥିଲେ । ଶବକୁ ଆମ୍ବୁଲାନ୍ସ ଗାଁ’ ମୁଣ୍ଡରେ ଆଣି ଛାଡିବା ପରେ ସେଠାରୁ ସିଧା ଶ୍ମଶାନକୁ ନେଇ ସତ୍କାର କରାଯାଇଥିଲା ।
ସେହିପରି ବୁଗୁଡା ବ୍ଲକ ଆଶ୍ରମକରଡାବାଡି ପଞ୍ଚାୟତ ଅନ୍ତର୍ଗତ ବଣପଲ୍ଲୀ ଗ୍ରାମର ଉଦୟ ଗୌଡଙ୍କ ପୁଅ ପ୍ରଭାକର (୪୫) ଗୁରୁବାର ରାତିରେ ମୃତ୍ୟୁବରଣ କରିଛନ୍ତି । ସେ ମଧ୍ୟ ସୁରଟରୁ ଫେରିବା ପରେ ପାଣିକେଶନ ସଂଗରୋଧ କେନ୍ଦ୍ରରେ ଗତ ୨୫ ତାରିଖ ଠାରୁ ରହି ଆସିଥିଲେ । ସାତ ଦିନ ବିତାଇବା ପରେ ନିଜ ଘରକୁ ଫେରିଥିଲେ । ପ୍ରଭାକର ଟାଇଫଏଡ ରୋଗରେ ଆକ୍ରାନ୍ତ ଥିବାରୁ ଚିକିତ୍ସିତ ହୋଇ ଆସୁଥିଲେ । ଅନ୍ୟପକ୍ଷରେ ଗ୍ରାମବାସୀ ସଂଗରୋଧରୁ ଫେରି ମୃତ୍ୟୁବରଣ କରିଥିବାରୁ ଶବ ସତ୍କାର ନକରିବାକୁ ଜିଦ୍ ଧରିଥିଲେ । ବୁଗୁଡା ବିଡିଓ ତନ୍ମୟ ପାତ୍ର ପହଂଚି ଲୋକଙ୍କୁ ବୁଝାଶୁଝା କରି ଶବ ସତ୍କାର କରାଇଥିଲେ । ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking