34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଦୁର୍ଘଟଣା ପରେ ପୀଡ଼ିତ ବ୍ୟକ୍ତିଙ୍କ ସ୍ଥିତି ଆଧାରରେ ସ୍ଥିର ହେବ କ୍ଷତିପୂରଣ,ସୁପ୍ରିମକୋର୍ଟ ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି;...

ଦୁର୍ଘଟଣା ପରେ ପୀଡ଼ିତ ବ୍ୟକ୍ତିଙ୍କ ସ୍ଥିତି ଆଧାରରେ ସ୍ଥିର ହେବ କ୍ଷତିପୂରଣ,ସୁପ୍ରିମକୋର୍ଟ ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ : କୌଣସି ଦୁର୍ଘଟଣା ମାମଲାରେ ଏଣିକି ପୀଡ଼ିତ ବ୍ୟକ୍ତିଙ୍କୁ ଏକକାଳୀନ ମେଞ୍ଚାଏ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ନାହିଁ । ବରଂ ମାମଲାର ତଥ୍ୟ ଏବଂ ସ୍ଥିତି ଉପରେ ଏହା ନିର୍ଭର କରିବ । ପ୍ରତ୍ୟେକ ଦୁର୍ଘଟଣାର ପୀଡ଼ିତ ବ୍ୟକ୍ତିଙ୍କ ପାଇଁ କ୍ଷତିପୂରଣ ରାଶି ଅଲଗା ଅଲଗା ହେବ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଦୁର୍ଘଟଣା ପରେ ଦାବିଦାରଙ୍କ ଅବସ୍ଥା ସହିତ ଜଡିତ କାରଣଗୁଡ଼ିକ ଉପରେ କ୍ଷତିପୂରଣ ରାଶି ନିର୍ଭର କରିବ । ଜଷ୍ଟିସ୍ ଏମ୍‌ଆର୍ ଶାହ ଓ ବିଭି ନାଗରତ୍ନାଙ୍କ ଡବଲ୍ ବେଞ୍ଚ ଏହି ନିଷ୍ପତ୍ତି ନେଇଛନ୍ତି । କୋର୍ଟ କହିଛନ୍ତି ଯେ, ଦାବିଦାରଙ୍କ ଯନ୍ତ୍ରଣା, ପୀଡ଼ା ଏବଂ ଆଘାତର ଭରଣା ପଇସା ରୂପରେ କରାଯାଇ ପାରିବ ନାହିଁ । କ୍ଷତିପୂରଣ ପାଇଁ ଦିଆଯାଉଥିବା ଅର୍ଥରାଶିର ଜ୍ୟାକେଟ୍ ଫର୍ମୁଲା ହୋଇ ପାରିବ ନାହିଁ । କୋର୍ଟ କହିଛନ୍ତି, ଏମିତି ମାମଲାରେ ଦାବିଦାର ଏବଂ ତାଙ୍କ ପରିବାର ସଦସ୍ୟଙ୍କର ହୋଇଥିବା କ୍ଷତି ଗୁରୁତ୍ୱପୂର୍ଣ୍ଣ କାରଣ ହୋଇଥାଏ । ଏହି ପ୍ରକାର ମାମଲାରେ ଦେଖାଯିବା ଉଚିତ ଯେ ଦୁର୍ଘଟଣା ପରେ ଦାବିଦାରଙ୍କ ସ୍ଥିତି କ’ଣ ରହିଛି । ସେମାନେ ପୂର୍ବଭଳି ବଞ୍ଚିପାରୁଛନ୍ତି କି ନାହିଁ । ବେଞ୍ଚ କହିଛି, ଦାବିଦାର କେତେ ଦୂର ପର୍ଯ୍ୟନ୍ତ ନିଜ ଖୁସିକୁ ହରାଇ ଦେଇଛନ୍ତି । ତାହା ଉପରେ ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ । ସୁପ୍ରିମକୋର୍ଟ କର୍ଣ୍ଣାଟକ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଦାୟର ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରିଥିଲେ । ଏଥିରେ କ୍ଷତିପୂରଣ ରାଶି ବଢ଼ାଇବାକୁ ଅନୁରୋଧ କରାଯାଇଥିଲା । କୋର୍ଟ କହିଛନ୍ତି, ଏଭଳି ମାମଲାରେ କ୍ଷତିପୂରଣ ନିର୍ଦ୍ଧାରଣ ପାଇଁ ଏକ ଫର୍ମୁଲା ଆପଣାଇବା ପରିବର୍ତ୍ତେ ପୀଡିତ ଏବଂ ତାଙ୍କ ପରିବାରର ଅବସ୍ଥା ଉପରେ ପ୍ରଥମେ ଦୃଷ୍ଟି ଦିଆଯିବା ଉଚିତ । ସେହି ଆଧାରରେ ହିଁ କ୍ଷତିପୂରଣ ରାଶି ସ୍ଥିର କରାଯିବା ଦରକାର । କୋର୍ଟଙ୍କ କହିବା ଥିଲା, ପ୍ରତ୍ୟେକ ଦୁର୍ଘଟଣା ମାମଲାରେ ପୀଡିତଙ୍କ ଅବସ୍ଥା ସମାନ ହୋଇ ପାରିବ ନାହିଁ । ଏମିତିରେ ପ୍ରତ୍ୟେକ ମାମଲାରେ କ୍ଷତିପୂରଣ ରାଶି ସ୍ଥିତି ଆଧାରରେ ବଦଳିପାରେ । ସୁପ୍ରିମକୋର୍ଟ ବେନସନ ଜାର୍ଜ ବନାମ ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସ ମାମଲାର ଶୁଣାଣି କରୁଥିଲେ । ମାମଲା ମୁତାବକ, ୨୦୧୩ରେ ଏହି ଦୁର୍ଘଟଣା ଘଟିଥିଲା । ସେହି ସମୟରେ ପୀଡିତଙ୍କ ବୟସ ପାଖାପାଖି ୨୯ ବର୍ଷ ଥିଲା । ଦୁର୍ଘଟଣା ପରେ ତାଙ୍କ ମସ୍ତିଷ୍କ ସର୍ଜରୀ ହୋଇଥିଲା ଏବଂ ଦୀର୍ଘ ଦିନ ଧରି ତାଙ୍କୁ କୋମାରେ ରହିବାକୁ ପଡିଥିଲା । ଜାର୍ଜ ନିଜ ମା’ଙ୍କ ଜରିଆରେ କ୍ଲେମ୍ ଦାଖଲ କରିଥିଲେ । ଏମ୍‌ଏସିଟି ତାଙ୍କୁ ୯୪,୩୭,୩୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରିଥିଲା । ଉଭୟ ପକ୍ଷ ଯେତେବେଳେ ଏହି ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ପହଞ୍ଚିଲେ, ତ ସେଠାରୁ କ୍ଷତିପୂରଣ ବଢ଼ାଇ ୧,୨୪,୯୪,୩୩୩ ଟଙ୍କା କରି ଦିଆଗଲା । ପୀଡ଼ିତ ଏହାକୁ ପର୍ଯ୍ୟାପ୍ତ ନୁହେଁ ବୋଲି ଦର୍ଶାଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । କୋର୍ଟ ସମସ୍ତ ତଥ୍ୟ ଉପରେ ବିଚାର କରିବା ପରେ ସହମତ ହୋଇଥିଲେ ଯେ ପୀଡିତ ଜଣକ ସାରା ଜୀବନ ଦୁର୍ଘଟଣାର ଯନ୍ତ୍ରଣା ଭୋଗିବେ । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ ଡବଲ୍ ବେଞ୍ଚ କ୍ଷତିପୂରଣ ରାଶି ବଢ଼ାଇ ୧,୪୧,୯୪,୩୩୩ ଟଙ୍କା କରି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking