28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଆଇନଜୀବୀଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ : ପୁରୁଣା ଅଭ୍ୟାସ ଛାଡ଼, ଅଧଘଣ୍ଟାରେ ଯୁକ୍ତି ଶେଷ କର

ଆଇନଜୀବୀଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ : ପୁରୁଣା ଅଭ୍ୟାସ ଛାଡ଼, ଅଧଘଣ୍ଟାରେ ଯୁକ୍ତି ଶେଷ କର

ନୂଆଦିଲ୍ଲୀ: ପୁରୁଣା ଅଭ୍ୟାସ ପରିତ୍ୟାଗ କରି ୩୦ ମିନିଟ (ଅଧଘଣ୍ଟା) ମଧ୍ୟରେ ଯୁକ୍ତି ଉପସ୍ଥାପନ କରିବାକୁ ସୁପ୍ରିମକୋର୍ଟ ସବୁ ଆଇନଜୀବୀଙ୍କୁ ପରାମର୍ଶ ଦେଇଛନ୍ତି । ଏହାବ୍ୟତୀତ ମହକିଲଙ୍କ ଯୁକ୍ତିକୁ ୩ ପୃଷ୍ଠା ମଧ୍ୟରେ ସୀମିତ ରଖିବାକୁ ମଧ୍ୟ କୁହାଯାଇଛି । ଗୁରୁବାର ଜଷ୍ଟିସ ସଞ୍ଜୟ କିଷାନ କାଉଲ ଓ ଜଷ୍ଟିସ ଆର.ସୁବାସ ରେଡ୍ଡିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରିବା ଅବସରରେ କହିଛନ୍ତି ଯେ ବିଶ୍ୱର କେଉଁ ଦେଶରେ ଓକିଲମାନେ ଘଣ୍ଟା ଘଣ୍ଟା ଧରି ଯୁକ୍ତି ଉପସ୍ଥାପନ କରୁଛନ୍ତି? ସମୟ ଆସିଛି, ଏହି ଅଭ୍ୟାସକୁ ପରିବର୍ତ୍ତନ କର । ବ୍ରିଟେନରେ ମଧ୍ୟ କୌଣସି ଓକିଲଙ୍କୁ ଏତେ ସମୟ ଯୁକ୍ତି କରିବାକୁ ସମୟ ପ୍ରଦାନ କରାଯାଇନଥାଏ ବୋଲି ଖଣ୍ଡପୀଠ ବିଚାରପତି ନିଜ ଅଭିଜ୍ଞତାରୁ କହିଛନ୍ତି । ଗୁଜରାଟ ହାଇକୋର୍ଟରେ ଆଇନ ବ୍ୟବସାୟ କରୁଥିବା ବରିଷ୍ଠ ଓକିଲ ୟତିନ ନରେନ୍ଦ୍ର ଓଝାଙ୍କ ତରଫରୁ ଆଗତ ଏକ ମାମଲାର ଶୁଣାଣି ବେଳେ ଖଣ୍ଡପୀଠ ଉପରୋକ୍ତ ମନ୍ତବ୍ୟ ଦେଇଥିବା ପ୍ରକାଶ ।

ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ବିଚାରାଧୀନ ଥିବାରୁ ହାଇକୋର୍ଟ ତାଙ୍କ ନିକଟରୁ ‘ବରିଷ୍ଠ ଆଇନଜୀବୀ’ ମାନ୍ୟତା ପ୍ରତ୍ୟାହାର କରିନେଇଛନ୍ତି । ଏହାର ପ୍ରତିବାଦରେ ଶ୍ରୀ ଓଝା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୨୦୨୦ ଅଗଷ୍ଟରୁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ସୁଦ୍ଧା ଗୁରୁବାର ଏହାର ଶୁଣାଣି ଆରମ୍ଭ ହୋଇଛି । ଓଝାଙ୍କ ତରଫରୁ ଅରବିନ୍ଦ ଦତାର ଓ ଅଭିଷେକ ମନୁ ସିଂଘଭୀ ମାମଲା ପରିଚାଳନା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ୩୦ ମିନିଟ ମଧ୍ୟରେ ଯୁକ୍ତି ଶେଷ କରିବାକୁ ଖଣ୍ଡପୀଠ ଉଭୟ ଓକିଲଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅପରପକ୍ଷରେ ଗୁଜରାଟ ହାଇକୋର୍ଟ ପକ୍ଷରୁ ମାମଲା ଲଢୁଥିବା ଓକିଲଙ୍କୁ ମଧ୍ୟ ୧୫ ମିନିଟ ସମୟ ଦିଆଯାଇଥିଲା। ଏହାବ୍ୟତୀତ ୩ ପୃଷ୍ଠା ମଧ୍ୟରେ ସୀମିତ ଥିବା ସିନୋପ୍‌ସିସ୍ ଦାଖଲ କରିବାକୁ ମଧ୍ୟ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏକ ୨୮ ପୃଷ୍ଠାର ରିଟ୍ ପିଟିସନ ପାଇଁ ୩୦ ପୃଷ୍ଠାର ସିନୋପ୍‌ସିସ୍ ହାସ୍ୟାସ୍ପଦ ପ୍ରସଙ୍ଗ ବୋଲି ଖଣ୍ଡପୀଠ କହିଛନ୍ତି ।

ଓକିଲମାନେ ହୃଦୟଙ୍ଗମ କରିବା ଉଚିତ ଯେ ଏଭଳି ଢଙ୍ଗରେ ମାମଲା ପରିଚାଳନା କରାଯାଏନାହିଁ । ଯଦି ଓକିଲମାନେ ଗୋଟିଏ ମାମଲା ପାଇଁ ଯୁକ୍ତି କରିବାକୁ ଦୀର୍ଘ ସମୟ ନେବେ, ତାହାହେଲେ ୧୦ ବର୍ଷ ପୁରୁଣା ମାମଲାର ବିଚାର ପାଇଁ ଅପେକ୍ଷା କରିଥିବା ଲୋକ କିଭଳି କଷ୍ଟ ଅନୁଭବ କରୁଥିବେ, ତାହା ବିଚାରଯୋଗ୍ୟ ବୋଲି ଖଣ୍ଡପୀଠ କହିଛନ୍ତି । ଖଣ୍ଡପୀଠଙ୍କ ଏତାଦୃଶ ପରାମର୍ଶକୁ ଦୁଇ ଆଇନଜୀବୀ ଦତାର ଓ ସିଂଘଭୀ ଗ୍ରହଣ କରିଥିଲେ । ଏହି ପ୍ରସଙ୍ଗରେ ଶ୍ରୀ ଦତାର ଆମେରିକା ସୁପ୍ରିମକୋର୍ଟର ବ୍ୟବସ୍ଥା ସମ୍ପର୍କରେ ଉଦାହରଣ ଦେଇଥିଲେ । ଆମେରିକା ସୁପ୍ରିମକୋର୍ଟରେ ଜଣେ ଓକିଲଙ୍କୁ ଯୁକ୍ତି ଉପସ୍ଥାପନ କରିବାକୁ ୨୫ ମିନିଟ ଓ ପ୍ରତିପକ୍ଷ ଓକିଲଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଆଉ ୫ ମିନିଟ ସମୟ ପ୍ରଦାନ କରାଯାଇଥାଏ । ମାମଲା ପରିଚାଳନାରେ ଅଯଥା ବିଳମ୍ବ ଘଟୁଥିବା ନେଇ ଜଷ୍ଟିସ କାଉଲ ପୂର୍ବରୁ କ୍ଷୋଭପ୍ରକାଶ କରିସାରିଛନ୍ତି । ଜୁଲାଇ ୮ରେ ଏକ ମାମଲାର ଶୁଣାଣି ସମୟରେ ଜଷ୍ଟିସ କାଉଲ ମାନବାଧିକାର ପ୍ରସଙ୍ଗରେ ୟୁରୋପୀୟ କନ୍‌ଭେନସନର ଧାରା ୬ ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରତ୍ୟେକ ମାମଲାର ଶୁଣାଣି ଶେଷ ହେବା ଉଚିତ ବୋଲି ଉକ୍ତ ଧାରାରେ ଉଲ୍ଲେଖ କରାଯାଇଛି । ଭାରତରେ ଓକିଲଙ୍କ ଧାରଣା କିନ୍ତୁ ଓଲଟା ରହିଥିବା ଖଣ୍ଡପୀଠ କହିଛନ୍ତି । ଏଠାରେ ଯେଉଁ ଓକିଲ ଯେତେ ଅଧିକ ସମୟ ଯୁକ୍ତି ଉପସ୍ଥାପନ କରିପାରୁଥିବେ, ତାଙ୍କର ଚାହିଦା ସେତେ ଅଧିକ ବୋଲି ବିବେଚନା କରାଯାଇଥାଏ । ଜୁଲାଇ ୨ ସୁଦ୍ଧା ସୁପ୍ରିମକୋର୍ଟରେ ୬୯,୨୧୨ଟି ମାମଲା ବିଚାରାଧୀନ ଥିବାବେଳେ ସେଥିମଧ୍ୟରୁ ୪୪୭ଟି ମାମଲାର ଶୁଣାଣି ସାମ୍ବିଧାନିକ ପୀଠରେ କରାଯିବା ଜରୁରୀ । ଯଦି ସାଧାରଣ ମାମଲାରେ ଅଦାଲତ ଏତେ ସମୟ ବରବାଦ କରିବେ, ତାହାହେଲେ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ବାଧାପ୍ରାପ୍ତ ହେବା ନିଶ୍ଚିତ ବୋଲି ଜଷ୍ଟିସ କାଉଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking