29.1 C
Bhubaneswar
Thursday, April 25, 2024
Homeଓଡିଶାପ୍ରଳୟଙ୍କରୀ ରୂପ ଧାରଣ କରି ମାଡ଼ି ଆସୁଛି ମହାବାତ୍ୟା ‘ଅମ୍ଫାନ’

ପ୍ରଳୟଙ୍କରୀ ରୂପ ଧାରଣ କରି ମାଡ଼ି ଆସୁଛି ମହାବାତ୍ୟା ‘ଅମ୍ଫାନ’

ଭୁବନେଶ୍ବର : ପ୍ରଳୟଙ୍କରୀ ରୂପ ଧାରଣ କରି ସମୁଦ୍ରରେ ଆଗକୁ ବଢୁଛି ‘ଅମ୍ଫାନ’ । ବର୍ତ୍ତମାନ ପାରାଦୀପଠାରୁ ୫୭୦ କିଲୋମିଟର ଦୂରରେ ରହିଛି ‘ଅମ୍ଫାନ’ । ତେବେ ଦୀଘାଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗକୁ ୭୨୦ କିଲୋମିଟର ଏବଂ ବାଂଲାଦେଶ କ୍ଷେପୁପଡ଼ା ଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗକୁ ୮୪୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁ ହେଉଛି ମହାବାତ୍ୟା ‘ଅମ୍ଫାନ’।
ଏହା ସହିତ ଆଜି ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଏହା ମହାବାତ୍ୟା ରୂପରେ ରହିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ସର୍ବନିମ୍ନ ୨୨୫ରୁ ସର୍ବାଧିକ ୨୬୦ କିଲୋମିଟର ରହିବ। କିନ୍ତୁ ଏହା ପୂର୍ବରୁ ପବନର ବେଗ ୨୪୦ ରୁ ୨୭୫ କିଲୋମିଟର । ଆଜି ଅପରାହ୍ଣରେ ମହାବାତ୍ୟାରୁ ଏକ୍ସଟ୍ରିମ୍‌ଲୀ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ ଅମ୍ଫାନ୍ । ଏହି ସମୟରେ ପବନର ବେଗ ୨୦୦ ରୁ ୨୩୦ କିଲୋମିଟର ରହିବ । ରାତି ପ୍ରାୟ ସାଢେ ୧୧ଟା ବେଳକୁ ପବନର ବେଗ ହ୍ରାସ ପାଇ ୧୮୦ ରୁ ୨୧୦ କିଲୋମିଟର ପର୍ଯ୍ୟନ୍ତ ରହିବ । ଆସନ୍ତାକାଲି ମଧ୍ୟାହ୍ନ ଭିତରେ ସ୍ଥଳଭାଗ ମୁହାଁ ହେବା ବେଳେ ୧୭୦ରୁ ୨୦୦ କିଲୋମିଟର ବେଗରେ ପବନ ବହିବ ।
ତେବେ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଏହା ଏକ୍ସଟ୍ରିମ୍‌ଲୀ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପରେ ଲ୍ୟାଣ୍ଡଫଲ କରିବ। ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ମଝିରେ ଥିବା ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁବ ଅମ୍ଫାନ ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୬୫ରୁ ୧୯୫ କିଲୋମିଟର ରହିବ।
ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ସମୁଦ୍ର ମଧ୍ୟରେ ଥିବାବେଳେ ‘ଅମ୍ଫାନ’ ର ପବନର ବେଗ ଘଣ୍ଟାପ୍ରତି ୨୨୦ରୁ ୨୩୦ କିଲୋମିଟର ଓ ଏହାର ଉଚ୍ଚତା ୧୫ କିଲୋମିଟର ପର‌୍ୟ୍ୟନ୍ତ ରହିଛି। ସେହିପରି ମହାବାତ୍ୟା ଅମ୍ଫାନର ପରିଧି ୧୨୦ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ରହିଛି। ଏଥିସହ ଶ୍ରୀ ମହାପାତ୍ର କହିଛନ୍ତି ଯେ ଅମ୍ଫାନ୍‌ର ଗତିପଥ ଓଡ଼ିଶା ଉପକୂଳ ଦେଇ ଏକ ସମାନ୍ତରାଳ ରେଖାରେ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହତିୟା ଉପକୂଳ ଆଡ଼କୁ ଅଗ୍ରସର ହେବା ଥିବା ଦୃଷ୍ଟିରୁ ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣ, ପୂର୍ବ, କେନ୍ଦ୍ରୀୟ ଓ ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକରେ ଅମ୍ଫାନର ପ୍ରଭାବ ଅନୁଭୂତ ହେବ।
ତେବେ, ଆସନ୍ତୁ ଜାଣିବା ଆଇଏମ୍‌ଡି ଡିଜି ଶ୍ରୀ ମହାପାତ୍ରଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଅନୁଯାୟୀ ରାଜ୍ୟର ଉପକୂଳବର୍ତ୍ତୀ କେଉଁ ଜିଲ୍ଲାରେ କ’ଣ ରହିବ ଅମ୍ଫାନର ପ୍ରଭାବ
୧) ଦକ୍ଷିଣ ଉପକୂଳ : ଗଞ୍ଜାମ ଓ ଗଜପତି
ଓଡ଼ିଶାର ଦକ୍ଷିଣ ଉପକୂଳପର୍ତ୍ତୀ ଏହି ଜିଲ୍ଲା ଦୁଇଟିରେ ଆଜି ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି (ମେ ୧୯) ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ହେବ। ଏଥିସହ ଏହି ଦୁଇ ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ପର୍ଯ୍ୟନ୍ତ ଓ ପବନ ଝଟକାର ବେଗ ୬୫ କିଲୋମିଟର ପର୍ଯ୍ୟନ୍ତ ରହିବ। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ମଧ୍ୟ ଉଠିବାର ସମ୍ଭାବନା ରହିଛି।
୨) ପୂର୍ବ- କେନ୍ଦ୍ରୀୟ ଉପକୂଳ : ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଟକ
ଏହି ସମସ୍ତ ଜିଲ୍ଲାରେ ମେ ୧୯ରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ପର୍ଯ୍ୟନ୍ତ ଓ ପବନ ଝଟକାର ବେଗ ୭୫ କିଲୋମିଟର ପର୍ଯ୍ୟନ୍ତ ରହିବ। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ମଧ୍ୟ ଉଠିବାର ସମ୍ଭାବନା ରହିଛି।
୩) ଉତ୍ତର ଉପକୂଳ : ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର
ତେବେ, ଅମ୍ଫାନ ପ୍ରଭାବରେ ସବୁଠାରୁ ଅଧିକ ମାତ୍ରାରେ ପ୍ରଭାବିତ ରାଜ୍ୟ ଉତ୍ତର ଉପକୂଳର ଏହି ୪ ଜିଲ୍ଲା। ମେ ୧୯ ତାରିଖ ଠାରୁ ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଏହି ସବୁ ଜିଲ୍ଲାରେ ଘଣ୍ଟାପ୍ରତି ୧୬୫ରୁ ୧୭୫ କିଲୋମିଟର ବେଗରେ ବହିବା ସହ ୧୯୫ କିଲୋମିଟର ବେଗରେ ମଧ୍ୟ ପବନ ଝଟକା ଦେଇପାରେ। ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଅମ୍ଫାନ ରାଜ୍ୟର ଉତ୍ତର ଉପକୂଳ ଦେଇ ଅତିକ୍ରମ କରୁଥିବା ବେଳେ ଉପକୂଳର ଅତି ନିକଟଦେଇ ଗତି କରୁଥିବ ଫଳରେ ଅମ୍ଫାନର ବାହ୍ୟ ବଳୟ ଏହି ସବୁ ଜିଲ୍ଲା ଉପର ଦେଇ ଗତି କରିବ। ସେଥିପାଇଁ ଏହି ସବୁ ଜିଲ୍ଲାରେ ଅଧିକ ପ୍ରଭାବ ଅନୁଭୂତ ହେବା ସହ ପବନର ବେଗ ମଧ୍ୟ ଅଧିକ ରହିବ। ଫଳରେ କଚ୍ଚା ଘରଠାରୁ ଆରମ୍ଭ କରି ପୁରୁଣା ଘର, ଗଛ, ବିଦ୍ୟୁତ ଖୁଣ୍ଟି ଓ ଟାଓ୍ଵାର ଉପୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଏଥିସହ ତଟବର୍ତ୍ତୀ ଅଞ୍ଚଳରେ ୪ରୁ ୬ ମିଟର ଉଚ୍ଚତାର ସାମୁଦ୍ରିକ ଉଠି ସ୍ଥଳଭାଗ ଆଡ଼କୁ ମାଡ଼ି ଆସିବାର ସମ୍ଭାବନା ରହିଥିବା ନେଇ ସତର୍କ କରାଇ ଦେଇଛନ୍ତି ଆଇଏମ୍‌ଡି ଡିଜି ଶ୍ରୀ ମହାପାତ୍ର।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking