କରୋନାକୁ ପରାଜିତ କଲେ ୯୬ ବର୍ଷୀୟ ସ୍ୱାଧିନତା ସଂଗ୍ରାମୀ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଫେରିଲେ ଘରକୁ

ଭୁବନେଶ୍ୱର, : ସାରା ବିଶ୍ୱରେ ଜାରି ରହିଥିବା କୋଭିଡ -୧୯ ମହାମାରୀ ସହ ଲଢ଼ି ଏହାକୁ ପରାଜିତ କରିଛନ୍ତି ଜଣେ ୯୬ ବର୍ଷୀୟ ସ୍ୱାଧିନତା ସଂଗ୍ରାମୀ । ସମ୍ କୋଭିଡ ହସ୍ପିଟାଲ୍‌ରେ ସଫଳ ଚିକିତ୍ସା ପାଇବା ପରେ ଏହି ବର୍ଷୀୟାନ୍ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଚାରିଆଡେ ଆନନ୍ଦର ଲହରୀ ଖେଳିଯାଇଛି ।
ଭୁବନେଶ୍ୱରର ଶ୍ରୀ ଲୋକନାଥ ନାୟକ ଗତ ସେପ୍ଟେମ୍ବର ୨୯ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେହି ଦିନ ହିଁ ସମ୍ କୋଭିଡ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ । ତାଙ୍କୁ ଜ୍ୱର ରହିଥିବା ବେଳେ ସେ ଖୁବ୍ ଦୁର୍ବଳ ହୋଇପଡ଼ିଥିଲେ ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ।
ସମ୍ କୋଭିଡ୍ ଟିମ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ତାଙ୍କ ଶରୀରରେ ଜଟିଳ କିଡ୍‌ନୀ ରୋଗ ଓ ଡାଏବେଟିସ୍ ଭଳି ସମସ୍ୟା ମଧ୍ୟ ରହିଥିଲା। ତୁରନ୍ତ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା ।
ଶ୍ରୀ ନାୟକଙ୍କୁ ଆଂଟି ଭାଇରାଲ୍ ଚିକିତ୍ସା ପ୍ରଦାନ କରାଯିବା ସହିତ ସେ ସଂପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ଆଇସିୟୁରେ ରଖାଯାଇଥିଲା । ଏହି ବୟୋଜ୍ୟେଷ୍ଠଙ୍କୁ ସୁସ୍ଥ କରିବା ପାଇଁ ସମ୍ କୋଭିଡ ଟିମ୍ ଅତି ନିଷ୍ଠା ଓ ଯତ୍ନର ସହିତ ତାଙ୍କର ଚିକିତ୍ସା କରିଥିଲେ ।
ସୁସ୍ଥ ହେବା ପରେ ଶ୍ରୀ ନାୟକ କହିଛନ୍ତି ମୋତେ ଯେଉଁ ଭଳି ଚିକିତ୍ସା କରାଗଲା ତାହା ମୋର ଆଶାତୀତ । ହସ୍ପିଟାଲ୍‌ର ଡାକ୍ତର ଓ ନର୍ସମାନେ ନିଷ୍ଠା ଓ ଯତ୍ନର ସହ ମୋର ଚିକିତ୍ସା କରିଛନ୍ତି । ମୁଁ ସେମାନଙ୍କ ଠାରେ କୃତଜ୍ଞ ବୋଲି ସେ କହିଛନ୍ତି ।
ଶ୍ରୀ ନାୟକଙ୍କ ପୁଅ ଶ୍ରୀ ମନୋରଞ୍ଜନ ନାୟକ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ବାପା ସୁସ୍ଥ ହୋଇ ଘରକୁ ଫେରିଥିବାରୁ ସେ ସମ୍ କୋଭିଡ୍ ହସ୍ପିଟାଲ୍‌କୁ ଉଚ୍ଚ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି ।
ବୁଧବାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଶ୍ରୀ ଲୋକନାଥ ନାୟକ ।

LEAVE A REPLY

Please enter your comment!
Please enter your name here