40.1 C
Bhubaneswar
Thursday, April 25, 2024
Homeଖେଳସୁଦୀରମାନ୍ କପ୍‌ : ଚୀନଠାରୁ ହାରି ଭାରତ ବିଦା

ସୁଦୀରମାନ୍ କପ୍‌ : ଚୀନଠାରୁ ହାରି ଭାରତ ବିଦା

ନୂଆଦିଲ୍ଲୀ : ଚଳିତ ସୁଦୀରମାନ୍ କପ୍ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତ ନକ୍‌ଆଉଟ୍ ପର୍ଯ୍ୟାୟରେ ପହଞ୍ଚିବା ପୂର୍ବରୁ ବିଦାୟ ନେଇଛି । ସୋମବାର ଚୀନ୍‌ଠାରୁ ୦-୫ରେ ଅତି ଶୋଚନୀୟ ଭାବେ ପରାସ୍ତ ହେବା ଫଳରେ ଭାରତକୁ ନିରାଶ ହେବାକୁ ପଡ଼ିଛି । ଗ୍ରୁପ୍‌-ଏ’ର ପ୍ରଥମ ମୁକାବିଲାରେ ଭାରତ ରବିବାର ଥାଇଲାଣ୍ଡ୍‌ଠାରୁ ପରାସ୍ତ ହୋଇଥିଲା । ତେଣୁ କ୍ରମାଗତ ପରାଜୟ ବରଣ କରି ଭାରତ କ୍ୱାର୍ଟର୍ ଫାଇନାଲ୍‌ରେ ପହଞ୍ଚିବାରେ ବିଫଳ ହୋଇଛି । ଏଥିସହ ଆସନ୍ତା ବୁଧବାର ଦଳ ଫିନଲାଣ୍ଡ୍ ସହ ଖେଳିବାକୁ ଥିବା ମୁକାବିଲା ଅପ୍ରାସଙ୍ଗିକ ହୋଇପଡ଼ିଛି । ଭାରତୀୟ ଟିମ୍‌ରେ ଅଭିଜ୍ଞତାର ଅଭାବ ଥିବା ବେଳେ ଏହା ଉପରେ ଅଭିଜ୍ଞ ଚୀନ୍ ଟିମ୍ ଭାରୀ ପଡ଼ିଥିଲା ।

ଏପରିକି ଭାରତୀୟ ଖେଳାଳିମାନେ ଗୋଟିଏ ଗେମ୍ ମଧ୍ୟ ଜିତିପାରିନଥିଲେ । ତେଣୁ ଭାରତର ବେଞ୍ଚ୍ ଷ୍ଟ୍ରେନ୍‌ଥ ଯେ କେତେ ଦୁର୍ବଳ, ତାହା ଏହି ମୁକାବିଲାରେ ପ୍ରମାଣିତ ହୋଇଯାଇଛି । ଡବଲ୍ ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ, ଲଣ୍ଡନ ଅଲିମ୍ପିକ୍ସ ଗେମ୍ସ ବ୍ରୋଞ୍ଜ୍ ପଦକ ବିଜେତା ସାଇନା ନେହ୍ୱାଲ୍ ଓ ପୁରୁଷ ଡବଲ୍ସ ଯୋଡ଼ି ଚିରାଗ୍ ଶେଟ୍ଟୀ-ସାତ୍ତ୍ୱିକସାଇରାଜ୍ ରାଙ୍କିରେଡ୍ଡୀଙ୍କ ପରି ଶୀର୍ଷ ସ୍ଥାନୀୟ ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେଇ ନ ଥିବାରୁ ଟୁର୍ଣ୍ଣାମେଣ୍ଟ୍‌ରେ ଦଳକୁ ଦୟନୀୟ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି ।

ସୋମବାର ପୁରୁଷ ଡବଲ୍ସରେ ଭାରତୀୟ ଯୋଡ଼ି ଏମଆର୍ ଅର୍ଜୁନ-ଧ୍ରୁବ କପିଲ ଚୀନ୍ ଯୋଡ଼ି ଲିଉ ଚେଙ୍ଗ୍‌-ଝୋଉ ହାଓ ଡୋଙ୍ଗ୍‌ଙ୍କଠାରୁ ୨୦-୨୨, ୧୭-୨୧ରେ ପରାସ୍ତ ହୋଇଥିଲେ । ଏହାପରେ ଯୁବ ଖେଳାଳି ଅଦିତି ଭଟ୍ଟ ଅଲିମ୍ପିକ୍ ଚାମ୍ପିଅନ୍ ଚେନ୍ ୟୁ ଫେଇଙ୍କଠାରୁ ୯-୨୧, ୮-୨୧ରେ ବେଶ୍ ସହଜରେ ହାରିଯାଇଥିଲେ । ସେହିପରି ବିଶ୍ୱର ପଞ୍ଚଦଶ ର‌୍ୟାଙ୍କ୍ ବିଶିଷ୍ଟ ଖେଳାଳି ବି. ସାଇ ପ୍ରଣୀତ ପୂର୍ବତନ ଅଲ୍ ଇଂଲଣ୍ଡ ଚାମ୍ପିଅନ୍ ତଥା ଦଶମ ର‌୍ୟାଙ୍କ୍ ଖେଳାଳି ଶି ୟୁକିଙ୍କ ବିପକ୍ଷରେ ପୁରୁଷ ସିଙ୍ଗଲ୍ସ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ ।

କିନ୍ତୁ ୟୁକି ଏହାକୁ ଏକତରଫା ମ୍ୟାଚ୍‌ରେ ପରିଣତ କରିଦେଇଥିଲେ । ସେ ପ୍ରଥମ ଗେମ୍‌ଟିକୁ ମାତ୍ର ୧୬ ମିନିଟ୍‌ରେ ଶେଷ କରିଥିବା ବେଳେ ମ୍ୟାଚ୍‌କୁ ୨୧-୧୦, ୨୧-୧୦ରେ ଜିତି ଚୀନ୍‌କୁ ୩-୦ର ଅପରାଜେୟ ଅଗ୍ରଣୀ ଦେଇଥିଲେ । ଶେଷ ଦୁଇଟି ଅଲୋଡ଼ା ମୁକାବିଲାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବ୍ରୋଞ୍ଜ୍ ପଦକ ବିଜେତା ଅଶ୍ୱିନୀ ପୋନାପ୍ପା ଓ ଏନ. ସିକ୍କିରେଡ୍ଡୀ ଯୋଡ଼ି ଚୀନ୍‌ର ପଞ୍ଚଦଶ ସିଡ୍ ଯୋଡ଼ି ଝେଙ୍ଗ୍ ୟୁ-ଲି ୱେନ୍ ମେଇଙ୍କଠାରୁ ୧୬-୨୧, ୧୩-୨୧ରେ ହାରିଯାଇଥିଲେ । ସେହିପରି ପଞ୍ଚମ ମ୍ୟାଚ୍‌ରେ ଭାରତର କିଦାମ୍ବୀ ଶ୍ରୀକାନ୍ତ ଓ ଋତୁପର୍ଣ୍ଣା ପଣ୍ଡାଙ୍କ ମିକ୍ସଡ ଡବଲ୍ସ ଯୋଡ଼ିକୁ ଡୁ ୟୁଏ-ଫେଙ୍ଗ୍ ୟାନ୍ ଝେ ଯୋଡ଼ିଠାରୁ ୯-୨୧, ୯-୨୧ରେ ପରାଜୟ ବରଣ କରିବାକୁ ପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking