କଲେଜ୍ ଗେଟ୍‌ରେ ତାଲା ପକାଇଲେ ବିଦ୍ୟାର୍ଥୀ : ଅନ୍‌ଲାଇନ ପରୀକ୍ଷା କରିବାକୁ ନିଷ୍ପତ୍ତି

ଖଲ୍ଲିକୋଟ: ଅନ୍‌ଲାଇନ ପରୀକ୍ଷା ଦାବିରେ ରାମଚନ୍ଦ୍ର ମର୍ଦ୍ଧରାଜ ବିଜ୍ଞାନ ମହାବିଦ୍ୟାଳୟ(ଆର୍‌ସିଏମ୍‌)ରେ ତାଲା ପକାଇଲେ ଛାତ୍ରଛାତ୍ରୀ । ମହାମାରୀ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଦୁଇ ବର୍ଷ ହେଲା ଅନଲାଇନରେ ପିଲାଙ୍କୁ ପାଠ ପଢ଼ାଯାଉଥିଲା । ତେବେ ଗତ କିଛି ମାସ ହେଲା ସରକାରଙ୍କ ଅନୁମତି କ୍ରମେ କଲେଜ ଖୋଲିଥିବା ବେଳେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଅଫ୍ ଲାଇନ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ପିଲା ଅନଲାଇନ୍‌ରେ ପାଠ ପଢିଥିବାରୁ ଅନଲାଇନରେ ହିଁ ପରୀକ୍ଷା ଦେବାକୁ ଦାବି କରିଥିଲେ ।

ରାଜ୍ୟର ବିଭିନ୍ନ ଜିଲ୍ଲା ଓ ଗଞ୍ଜାମ ଜିଲ୍ଲାର ଅନ୍ୟ ମହାବିଦ୍ୟାଳୟରେ ଅନ୍‌ଲାଇନ ପରୀକ୍ଷା ହେଉଥିବାରୁ ଆମ କଲେଜରେ ମଧ୍ୟ ଅନ୍‌ଲାଇନ ପରୀକ୍ଷା କରାଯାଉ ବୋଲି ବିଦ୍ୟାର୍ଥୀମାନେ ଜିଦ୍ ଧରିଥିଲେ । ଦୀର୍ଘ ୪ଘଣ୍ଟା ଧରି କଲେଜ ମୁଖ୍ୟ ଫାଟକରେ ଛାତ୍ରଛାତ୍ରୀ ତାଲା ପକାଇ ଧାରଣା ଦେଇଥିଲେ । ଖଲ୍ଲିକୋଟ ପୋଲିସ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା ପରେ ଧାରଣାରୁ ଉଠିଥିଲେ । ଅପରାହ୍ନରେ କଲେଜ ଅଧ୍ୟକ୍ଷ ଶ୍ୟାମସୁନ୍ଦର ପାଢୀଙ୍କ ଅଧ୍ୟକ୍ଷତାରେ ଷ୍ଟାଫ କାଉନସିଲ ବୈଠକ ହୋଇଥିଲା । ପିଲାଙ୍କ ଦାବି ମୁତାବକ ଅନଲାଇନ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏ ସମ୍ପର୍କରେ ନୋଟିସ ବାହାର କରାଯାଇଛି ବୋଲି କଲେଜ ଅଧ୍ୟକ୍ଷ ଶ୍ୟାମସୁନ୍ଦର ପାଢୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here