34.1 C
Bhubaneswar
Thursday, April 25, 2024
Homeଓଡିଶାଭୁବନେଶ୍ୱର ରେଳଷ୍ଟେସନରୁ ଛାତ୍ରୀ ନିଖୋଜ

ଭୁବନେଶ୍ୱର ରେଳଷ୍ଟେସନରୁ ଛାତ୍ରୀ ନିଖୋଜ

ଭୁବନେଶ୍ୱର: ଉତ୍କଳ ଏରୋସ୍ପେସ୍ ଆଣ୍ଡ୍ ଇଞ୍ଜିନିୟରିଂ କଲେଜର ଦ୍ୱିତୀୟବର୍ଷର ଜଣେ ଛାତ୍ରୀ ଭୁବନେଶ୍ୱର ରେଳଷ୍ଟେସନ ନିକଟରୁ ନିଖୋଜ ହୋଇଯାଇଛନ୍ତି । ସମ୍ପୃକ୍ତ ଛାତ୍ରୀ ଜଣକ ହେଲେ ପଶ୍ଚିମବଙ୍ଗ ଉତ୍ତର ୨୪ପ୍ରାଙ୍ଗଣ ଜୟପୁର ଅଞ୍ଚଳର ସ୍ୱିଟି ରୟ(୨୦) । ସେ କୋଲକାତାରୁ ଜନଶତାବ୍ଦୀ ଟ୍ରେନ୍ ଯୋଗେ ଆସି ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିଥିଲେ । ଏହାପରଠୁ ତାଙ୍କ ମୋବାଇଲ ସ୍ୱିଚ୍ ଅଫ ରହିଛି । ଏନେଇ ସ୍ୱିଟିଙ୍କ ଭୁବନେଶ୍ୱର ଅଭିଭାବକ ସୁରେଶ ପଣ୍ଡା ଭୁବନେଶ୍ୱର ସରକାରୀ ରେଳବାଇ ଥାନାରେ(ଜିଆର୍‌ପି)ରେ ଅଭିଯୋଗ କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ସ୍ୱିଟିଙ୍କ ମା’ ଭୁବନେଶ୍ୱରରେ ପହଞ୍ଚି ଜିଆର୍‌ପି ପୁଲିସ ନିକଟକୁ ଯାଇଥିଲେ ।

ଜିଆର୍‌ପି ତାଙ୍କ ମାଙ୍କ ଉପସ୍ଥିତିରେ ରେଳଷ୍ଟେସନର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ସିସିଟିଭି ଫୁଟେଜରେ ଜଣାପଡିଛି ଯେ, ରାତି ୮ଟା ୧୫ମିନିଟ୍‌ରେ ଜନଶତାବ୍ଦୀ ଟ୍ରେନ୍ ୬ ନଂ ପ୍ଲାଟଫର୍ମରେ ଲାଗିଥିଲା । ଏହାପରେ ସ୍ୱିଟି ମୁଖ୍ୟଦ୍ୱାର ଦେଇ ରେଳଷ୍ଟେସନରୁ ବାହାରିକି ଯାଇଥିବା ସିସିଟିଭିରୁ ଜଣାପଡ଼ିଛି । ଏଥିସହ ସ୍ୱିଟିଙ୍କ ମୋବାଇଲ ଲୋକେସନ୍‌କୁ ଟ୍ରାକ୍ କରାଯାଇଥିଲା । ଷ୍ଟେସନରୁ ବାହାରିବାର ୫ରୁ ୧୦ ମିନିଟ୍ ପରେ ମାଷ୍ଟରକାଣ୍ଟିନ୍‌ସ୍ଥିତ ରିଲାଏନ୍ସ ଫ୍ରେସ ନିକଟରେ ତାଙ୍କର ମୋବାଇଲ ସୁଇଚ୍ ଅଫ୍ ହୋଇଯାଇଥିବା ଜଣାପଡ଼ିଛି । ଏସମ୍ପର୍କରେ ଜିଆର୍‌ପି ଅଧିକାରୀ ଜୟଦେବ ବିଶ୍ୱଜିତ କହିଛନ୍ତି, ଏନେଇ ଏଯାବତ୍ ମାମଲା ରୁଜୁ କରାଯାଇନାହିଁ । ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଛି । ମାମଲା ରୁଜୁ କରାଯିବ କି ନାହିଁ ବିଚାର କରାଯାଉଥିବା ସେ କହିଛନ୍ତି । ତେବେ ସ୍ୱିଟି କୁଆଡ଼େ ଗଲେ, ତାଙ୍କୁ କେହି ଅପହରଣ କରିନାହିଁ ତ, ଏଭଳି ଅନେକ ପ୍ରଶ୍ନ ଏବେ ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, ସ୍ୱିଟି କିଛିଦିନ ହେବ ପଶ୍ଚିମବଙ୍ଗସ୍ଥିତ ଘରକୁ ଯାଇଥିଲେ । ସେ ଜନଶତାବ୍ଦୀ ଟ୍ରେନ୍‌ର ଡି୪, ଏସ୍‌୩ କୋଚ୍‌ସ୍ଥିତ ୬୪ ନଂ ସିଟ୍‌ରେ ବସି ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିଥିଲେ । ଏହାପରେ ସେ କଲେଜ ଅଭିମୁଖେ ଯାଉଥିବା ମା’ଙ୍କୁ ଫୋନ କରି ଜଣାଇଥିଲେ । ହେଲେ ଏହାର କିଛି ସମୟ ପରେ ତାଙ୍କ ମୋବାଇଲ ସୁଇଚ୍ ଅଫ୍ ଦେଖାଇଥିଲା । ସେ କଲେଜରେ ପହଞ୍ଚିନଥିବା ମଧ୍ୟ କର୍ତ୍ତୁପକ୍ଷ କହିଥିଲେ ।

ତେଣୁ ଭୁବନେଶ୍ୱର ୟୁନିଟ୍‌-୧ରେ ରହୁଥିବା ସ୍ୱିଟିଙ୍କ ସ୍ଥାନୀୟ ଅଭିଭାବକ ସୁରେଶଙ୍କୁ ପରିବାରଲୋକଙ୍କ ପକ୍ଷରୁ ଖବର ଦିଆଯାଇଥିଲା । ସୁରେଶ ତୁରନ୍ତ ଏନେଇ ପ୍ରଥମେ ନୟାପଲ୍ଲୀ ଥାନାକୁ ଜଣାଇଥିଲେ । ସ୍ଥାନୀୟ ପୁଲିସର ପରାମର୍ଶକ୍ରମେ ସୁରେଶ ଜିଆର୍‌ପିରେ ଜଣାଇଥିଲେ । ପରେ ଗୁରୁବାର ସକାଳେ ସ୍ୱିଟିଙ୍କ ଫଟୋ ସହ ସେ ଲିଖିତ ଅଭିଯୋଗ କରିଛନ୍ତି । ସ୍ୱିଟିଙ୍କୁ ଅପହରଣ କରାଯାଇଥିବା ପରିବାରଲୋକେ ସନ୍ଦେହ କରୁଛନ୍ତି । ତେବେ ସ୍ୱିଟିଙ୍କ ବାପା ବିଜୟ କୁମାର ରୟ ବିଏସ୍‌ଏଫ୍‌ରେ କାର୍ଯ୍ୟରତ । ସେ ଏବେ ତ୍ରିପୁରାରେ ଅଛନ୍ତି । ତେଣୁ ସେ ଭୁବନେଶ୍ୱର ଆସିପାରିନଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking